ହାଇଦ୍ରାବାଦ୍: ହାଇଦ୍ରାବାଦ୍ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଭୋରରୁ ପୁଲିସ୍ ଏନ୍କାଉଣ୍ଟରରେ ନିହତ କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେଲେଙ୍ଗାନା ପୁଲିସ୍ର ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରୁଥିବା ବେଳେ ଆହୁରି ଅନେକ ସମାଲୋଚନା କରିଛନ୍ତି। ତେବେ, ଏହି ଏନ୍କାଉଣ୍ଟର୍ରେ ଯଦି କେହି ଅଧିକ ଦୁଃଖ ପାଇଥାନ୍ତି ସେ ହେଉଛନ୍ତି ଏନ୍କାଉଣ୍ଟ୍ରରେ ପ୍ରାଣ ହରାଇଥିବା ଅଭିଯୁକ୍ତମାନଙ୍କ ସଂପର୍କୀୟ।
ତେବେ ଏହି ୪ ଜଣଙ୍କ ମଧ୍ୟରୁ ଅନ୍ୟତମ ଅଭିଯୁକ୍ତ ଆରିଫ୍ଙ୍କ ମାଆ ପୁଅର ନିହତ ପରେ ଗଣମାଧ୍ୟମରେ କହିଛନ୍ତି, ‘ମୋ ପୁଅକୁ ଯେଉଁ ଭଳି ଭାବେ ମରାଯାଇଛି ତାହା ଭୁଲ୍ ଅଟେ, ମୁଁ ଜାଣେନାହିଁ ସେ କ’ଣ କରିଛି। ମୋ ପୁଅ ଗଲା। ନିଶ୍ଚିତ ଭାବେ ଏହା ଭୁଲ୍। ମୁଁ କିଛି କହିବା ଅବସ୍ଥାରେ ନାହିଁ।’
ଅନ୍ୟ ଜଣେ ଅଭିଯୁକ୍ତ ଶିବାଙ୍କ ମାଆ ପୂର୍ବରୁ କହିଥିଲେ କି ‘ଯଦି ମୋ ପୁଅ ଦୋଷୀ। ତାକୁ ଦଣ୍ଡ ଦିଆଯାଉ। ତାକୁ ଗୁଳିରେ ଉଡ଼ାଇ ଦିଆଯାଉ।’ ମାତ୍ର ଶିବାଙ୍କ ବାପା ତାଙ୍କର ପୁଅର ଏନ୍କାଉଣ୍ଟରକୁ ନେଇ ପ୍ରଶ୍ନ କରିଛନ୍ତି ଯେ ଏପରି ଏକ ଦୋଷ ପାଇଁ କେବଳ ଏହି ମାମଲାରେ ହିଁ କାହିଁକି ଅଭିଯୁକ୍ତଙ୍କୁ ଏଭଳି ଭାବେ ଦଣ୍ଡିତ କରାଗଲା ବୋଲି।
ତୃତୀୟ ଅଭିଯୁକ୍ତ ନବୀନଙ୍କ ବାପା କହନ୍ତି, ‘ଆମ ପୁଅର ଏନ୍କାଉଣ୍ଟର ପୂର୍ବରୁ ଥରେ ଆମ ପରିବାର ଲୋକଙ୍କୁ ତାକୁ ଭେଟିବାର ସୁଯୋଗ ଦିଆଯିବା ଉଚିତ ଥିଲା। ପୁଅର ଆଖି ସବୁ ଦିନ ପାଇଁ ବନ୍ଦ ହୋଇଯିବା ପୂର୍ବରୁ କାହିଁକି ଆମକୁ ତାକୁ ଶେଷ ଥର ପାଇଁ ଦେଖିବାକୁ ସୁଯୋଗ ଦିଆଗଲାନି। ’
/sambad/media/post_attachments/wp-content/uploads/2019/12/hyderabad-rape-accused-killed-1575610248-300x200.jpg)
ପୂର୍ବରୁ ୪ର୍ଥ ଅଭିଯୁକ୍ତ ଚେନାକେଶବୁଲୁଙ୍କ ମାଆ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ଯେ ‘ଯଦି ମୋ ପୁଅ ଭୁଲ୍ କରିଛି ତାକୁ ଜାଳି ଦିଆଯାଉ। ମୋ ପୁଅ ମୋ ପାଇଁ କିଛି ନୁହେଁ। ଭୁଲ୍ଟା ସବୁବେଳେ ଭୁଲ୍। ଯିଏ ନିଜ ଝିଅକୁ ୯ ମାସ ଗର୍ଭରେ ରଖି ଜନ୍ମ ଦେଇଥିବେ ତାଙ୍କ ଅବସ୍ଥା କ’ଣ ହୋଇଥିବ!’
ସେହିପରି ଏନ୍କାଉଣ୍ଟର୍ ପରେ ତାଙ୍କ ପତ୍ନୀ କହିଛନ୍ତି, ‘ବିବାହର ବର୍ଷେ ପରେ ସେ ମୋତେ ଛାଡ଼ି ଦେଇଛନ୍ତି। ମୋତେ ତାଙ୍କ ପାଖକୁ ନେଇଚାଲ। ତାଙ୍କୁ ଯେଉଁଠି ମାରିଛ ମୋତେ ସେଇଠି ମାରିଦିଅ। ମୁଁ ତାଙ୍କ ବିନା ବଞ୍ଚିପାରିବି ନାହିଁ।’