ଦେଶର ବିଭିନ୍ନ ଅଞ୍ଚଳରୁ କାଶ୍ମୀରର ପହଲଗାମ୍‌ ବୁଲି ଆସିଥିବା ୨୬ ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ବର୍ବରତାର ସହ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ଘଟଣାରେ ମର୍ମାହତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି, ଆତଙ୍କବାଦୀ ପାତାଳରେ ଲୁଚିଲେ ବି ଖୋଜି ଖୋଜି ସେମାନଙ୍କୁ ନିପାତ କରାଯିବ। ଏହି କଥାଟି ପାକିସ୍ତାନ ମାଟିରେ ପୁଣି ଏକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଦିଗକୁ ଇଙ୍ଗିତ କରୁଛି କି? ପୂର୍ବରୁ ଏକାଧିକବାର ଆତଙ୍କବାଦୀଙ୍କ ଦମନ ପାଇଁ ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍‌ କରିଛି ଭାରତ। ଏଥର କିନ୍ତୁ ଭାରତ ଏକ ବଡ଼ ଧରଣର ଆକ୍ରମଣ କରିବ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପାକିସ୍ତାନରେ ଭାରତ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ଆଗାମୀ ସାମରିକ ରଣନୀତି ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...

Advertisment

ପୁଣି କାଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଧର୍ମାନ୍ଧ ଆତଙ୍କବାଦୀ। ଅତୀତରେ ସେମାନେ ଅବିଚାରିତ ଭାବେ ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ଏବେ ଧର୍ମ ପଚାରି ହତ୍ୟା କରିଛନ୍ତି। ଧର୍ମ‌ାନ୍ଧତା ଓ ଅମଣିଷପଣିଆର ଅକଳ୍ପନୀୟ ଉଚ୍ଚତାରେ ପହଞ୍ଚିଛନ୍ତି। ପ୍ରକୃତିର ନୈସର୍ଗିକ ଶୋଭାରେ ଟିକେ ଆନନ୍ଦପ୍ରଦ ସମୟ ବିତାଇବାକୁ ପହଲ୍‌ଗାମ୍ ଛୁଟି ଆସିଥିବା ଦେଶର ବିଭିନ୍ନ ପ୍ରାନ୍ତର ୨୬ ନାଗରିକଙ୍କୁ ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଉ ସେ ରକ୍ତଛିଟା ବି ପଡ଼ିଛି ଆମ ମାଟି ଓଡ଼ିଶାରେ। ବାଲେଶ୍ବର ଜିଲ୍ଲାର ପ୍ରଶାନ୍ତ ଶତପଥୀ ଓ ବଲାଙ୍ଗୀର ଜିଲ୍ଲାର ଦୀନେଶ ଅଗ୍ରୱାଲ୍‌ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଯେହେତୁ ଆତଙ୍କବାଦୀମାନେ ଧର୍ମ ପଚାରି, ହିନ୍ଦୁମାନଙ୍କୁ ଚିହ୍ନଟ କରି ହତ୍ୟା କରିଛନ୍ତି, ତେଣୁ ଭାରତରେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ଆଉ ଅଛପା ହୋଇ ରହିନାହିଁ। ଏହା ପଛରେ ଶତ୍ରୁରାଷ୍ଟ୍ର ପାକିସ୍ତାନର ହାତ ଥିବା ବି ନିଶ୍ଚିତ ହୋଇଛି। ଯଦିଓ ଭାରତ ସରକାର ତୁରନ୍ତ ୱାଘା ସୀମାରେ ଥିବା ଚେକ୍‌ପୋଷ୍ଟ ବନ୍ଦ କରିବା, ଗୁରୁତ୍ବପୂର୍ଣ୍ଣ ସିନ୍ଧୁନଦୀ ଜଳ ଆବଣ୍ଟନ ଚୁକ୍ତି ସ୍ଥଗିତ ରଖିବା ଏବଂ ପାକିସ୍ତାନୀମାନଙ୍କୁ ବହିଷ୍କାର କରିବା ଭଳି କେତେଗୁଡ଼ିଏ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

କେବଳ ଆକ୍ରମଣକାରୀ ଆତଙ୍କବାଦୀ ନୁହନ୍ତି, ଭାରତ ମାଟିରେ ଏଭଳି ଅପକର୍ମ ଲାଗି ମସୁଧା କରିଥିବା ‘ମାଷ୍ଟର୍‌ମାଇଣ୍ଡ୍‌ମାନଙ୍କ’ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି, ଆତଙ୍କବାଦୀ ପାତାଳରେ ଲୁଚିଲେ ବି ଖୋଜି ଖୋଜି ସେମାନଙ୍କୁ ନିପାତ କରାଯିବ। ଯଦି ଆମେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଅନୁଶୀଳନ କରିବା ତେବେ ‘ଖୋଜି ଖୋଜି ମାରିବୁ’ ବାକ୍ୟଟି ପାକିସ୍ତାନ ମାଟିରେ ପୁଣି ଏକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଦିଗକୁ ଇଙ୍ଗିତ କରୁଛି। ଯେହେତୁ ବିଶ୍ବରେ ଭାରତ ଯୁଦ୍ଧକୁ ବିରୋଧ କରିଆସିଛି, ତେଣୁ ପାକ୍‌ ପ୍ରେରିତ ଓ ପ୍ରଶିକ୍ଷିତ ଆତଙ୍କବାଦୀଙ୍କ ନିପାତ ଲାଗି ଘୋଷିତ ଯୁଦ୍ଧକୁ ଓହ୍ଲାଇବ ନାହିଁ। କିନ୍ତୁ ୨୦୧୬ ଓ ୨୦୧୯ ଭଳି ସ୍ଥଳସେନା ହେଉ କି ବାୟୁସେନା ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଧ୍ବଂସ କରିବା ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ।  

୨୦୧୯ ପୁଲ୍‌ୱାମା ଆକ୍ରମଣ ପରେ କଶ୍ମୀରରେ ଏହା ହେଉଛି ଆତଙ୍କବାଦୀମାନଙ୍କର ସବୁଠାରୁ ଭୟାବହ ହିଂସା। ଆଗରୁ ସେମାନେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିଥିଲା ବେଳେ ଏଥର ସାଧାରଣ ଜନତାଙ୍କୁ ଧର୍ମ ଆଧାରରେ ହତ୍ୟା କରିଛନ୍ତି। ଏ ପରିପ୍ରେକ୍ଷୀରେ ଜନଆବେଗକୁ ସମ୍ଭାଳିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ। ସାମରିକ ଐତିହାସିକ ଶ୍ରୀନାଥ ରାଘବନ୍‌ କହିଛନ୍ତି, ‘‘୨୦୧୬ରୁ ବିଶେଷକରି ୨୦୧୯ ପରେ ଶାସ୍ତିବିଧାନ ନିମନ୍ତେ ସୀମାପାର କରିବା ଅଥବା ବିମାନ ଆକ୍ରମଣ କରିବା ପାଇଁ ପଥ ଉନ୍ମୁକ୍ତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ତା’ଠାରୁ କମ୍‌ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଭାରତ ସରକାରଙ୍କ ‌ପକ୍ଷେ ଅସମ୍ମାନଜନକ ହେବ।’’
୨୦୧୬ ସେପ୍ଟେମ୍ବରରେ ମାରାତ୍ମକ ଉରି ଆକ୍ରମଣ ଘଟଣାରେ ୧୯ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଭାରତ ବାସ୍ତବ ନିୟନ୍ତ୍ରଣ ରେଖା ଟପି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରିଥିଲା। ଏହି ଆକ୍ରମଣରେ କେବଳ ପାକିସ୍ତାନ-ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିଲା।

ସେହିପରି, ୨୦୧୯ରେ ପୁଲ୍‌ୱାମା ବିସ୍ଫୋରଣ ଘଟଣାରେ ଅନ୍ୟୂନ ୪୦ଜଣ ଅର୍ଦ୍ଧ-ସାମରିକ ବାହିନୀ ଯବାନ ସହିଦ ହୋଇଥିଲେ। ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର୍‌ଷ୍ଟ୍ରାଇକ୍‌ କରି ଭାରତ ଉକ୍ତ ଘଟଣାର ପ୍ରତିଶୋଧ ନେଇଥିଲା। ୧୯୭୧ ପରେ ଏହା ଥିଲା ପାକିସ୍ତାନ ଅଭ୍ୟନ୍ତରକୁ ଯାଇ ବିମାନ ଆକ୍ରମଣ କରାଯିବାର ପ୍ରଥମ ଘଟଣା। ଏହାର ଜବାବରେ ପାକିସ୍ତାନ ମଧ୍ୟ ବିମାନ ଆକ୍ରମଣ କରିଥିଲା। ଏଥିରେ ଉଭୟ ଦେଶ ନିଜ ନିଜର ସାମର୍ଥ୍ୟ ଦେଖାଇଲେ ସିନା ଘୋଷିତ ଯୁଦ୍ଧରେ ବ୍ୟାପୃତ ହେଲେନାହିଁ। ତେବେ ଏହାର ଦୁଇବର୍ଷ ପରେ ୨୦୨୧ରେ ଉଭୟ ଦେଶ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଲାଗି ରାଜିହେଲେ। କଶ୍ମୀରରେ ଥରକୁ ଥର ଆତଙ୍କବାଦୀ ଆକ୍ରମଣ ହେଉଥିଲେ ମଧ୍ୟ ମୋଟାମୋଟି ଅସ୍ତ୍ରବିରତି ପାଳନ କରାଗଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ଏକ ବଡ଼ ଧରଣର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ପାକ୍‌ ଅଧିକୃତ କଶ୍ମୀରରେ ୪୨ଟି ଲଞ୍ଚ୍‌ପ୍ୟାଡ୍‌ ବା ଆତଙ୍କବାଦୀ ପ୍ରଶିକ୍ଷଣ ଓ ପ୍ରେରଣ ଶିବିର ଠାବ କରାଯାଇଛି। ଏଠାରେ ପ୍ରାୟ ୧୩୦ ପ୍ରଶିକ୍ଷିତ ଆତଙ୍କବାଦୀ ଥିବା ଜଣାପଡ଼ିଛି। ପାକ୍‌ ସେନା ସହାୟତାରେ ସେମାନେ କଶ୍ମୀରକୁ ଅନୁପ୍ରବେଶ କରିବା ଅପେକ୍ଷାରେ ଅଛନ୍ତି। ଏହି ଲଞ୍ଚପ୍ୟାଡ୍‌ଗୁଡ଼ିକୁ ଧ୍ବଂସ କରି ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କରିବା ବର୍ତ୍ତମାନ ଭାରତ ପାଇଁ ବଡ଼ ଆହ୍ବାନ। ଆମେରିକୀୟ ସାମରିକ ବିଶେଷଜ୍ଞ କ୍ରିଷ୍ଟୋଫର୍‌ କ୍ଲେରି କହନ୍ତି, ‘‘ଭାରତ ପାଇଁ ଦୁଇଟି ସମ୍ଭାବ୍ୟ ମାର୍ଗ ରହିଛି। ପ୍ରଥମତଃ, ୨୦୨୧ ନିୟନ୍ତ୍ରଣ ରେଖା ଅସ୍ତ୍ରବିରତି ଉଲ୍ଲଂଘନ ହେବ ଏବଂ ପୁନଶ୍ଚ ସୀମାପାରି ଗୁଳିଚାଳନା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଅନୁମତି ଦେଇପାରନ୍ତି। ଦ୍ବିତୀୟତଃ, ୨୦୧୯ ପରି ବିମାନ ଆକ୍ରମଣ ଅଥବା ସାଧାରଣ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିବା ଭଳି ବିକଳ୍ପ ବି ରହିଛି।’’
ଅନ୍ୟପକ୍ଷରେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ସପକ୍ଷରେ ଜନମତ ରହିଛି।

 ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଦି ରେଜିଷ୍ଟାନ୍‌ସ୍‌ ଫୋର୍ସ’ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରୁଥିବା ବେଳେ ଭାରତ ସରକାର ମଧ୍ୟ ସୁନିଶ୍ଚିତ ଯେ ଏହି ଘଟଣାରେ ପାକିସ୍ତାନୀ ସେନାର ସଂପୃକ୍ତି ରହିଛି। ଅନେକ ରାଜ୍ୟରେ ଜନସାଧାରଣ ସ୍ବେଚ୍ଛାରେ ମହମବତି ଶୋଭାଯାତ୍ରା କରି ଆତଙ୍କବାଦୀ ଆକ୍ରମଣ ଯୋଗୁଁ ପହଲ୍‌ଗାମ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ରାଜନୀତି ଓ ଧର୍ମ ଊର୍ଦ୍ଧ୍ବକୁ ଯାଇ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଛନ୍ତି। ପାକିସ୍ତାନରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରିବା ଲାଗି ଭାରତ ସରକାରଙ୍କ ନିକଟରେ ସେମାନେ ଦାବି କରୁଛନ୍ତି। ଅତୀତରେ ୨୦୧୬ ଓ ୨୦୧୯ରେ ଭାରତ ପାକିସ୍ତାନ ଉପରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରିଛି। ସେଥିପାଇଁ ତୃତୀୟବାର ‘ସିର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରି ଆତଙ୍କବାଦୀଙ୍କ ସମେତ ପାକିସ୍ତାନକୁ ପାନେ ଦେବା ପାଇଁ ଭାରତୀୟମାନେ ଦାବି କରୁଛନ୍ତି।

ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବଜାୟ ରଖିବା ଲାଗି ପାକିସ୍ତାନ ବିରୋଧରେ ରଣନୈତିକ ମୁକାବିଲା ଜରୁରି ବୋଲି ବିବେଚନା କରି ଭାରତ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପନ୍ଥା ଚୟନ କରିଥିଲା। ପାକିସ୍ତାନର ଗୁପ୍ତ ଓ ପରୋକ୍ଷ ଆକ୍ରମଣ ଦ୍ବାରା ଭାରତକୁ, ବିଶେଷକରି କଶ୍ମୀରକୁ ଅସ୍ଥିର କରିବା ନୀତିର ଉପଯୁକ୍ତ ମୁକାବିଲା ଲାଗି ୨୦୧୯ରେ ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ମଧ୍ୟ କରିଥିଲା। ଭାରତ ଏକ ଦାୟିତ୍ବସମ୍ପନ୍ନ ଆଣବିକ ଶକ୍ତି ଭାବେ ସୀମିତ ଓ ସମୁଚ୍ଚିତ ଉପାୟରେ ପ୍ରତିଶୋଧ ନେଉଛି ବୋଲି ବିଶ୍ବ ସମୁଦାୟକୁ ବାର୍ତ୍ତା ଦେବା ଥିଲା ଏହି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ଉଦ୍ଦେଶ୍ୟ। ଏହାଛଡ଼ା, ସୀମାପାରି ଆତଙ୍କବାଦର କଡ଼ା ମୁକାବିଲା କରିବାକୁ ସରକାର ଗୁରୁତ୍ବାରୋପ କରୁଛନ୍ତି ବୋଲି ଦେଶବାସୀ ବି ଏଥିରୁ ସନ୍ଦେଶ ପାଇଥିଲେ।

ଭାରତ-ପାକିସ୍ତାନ ମଧ୍ୟରେ ଘଟୁଥିବା ଯେକୌଣସି ସଙ୍କଟରେ ସବୁଠୁ ବଳି ଗମ୍ଭୀର ପ୍ରସଙ୍ଗ ହେଉଛି ପରମାଣୁ ଅସ୍ତ୍ର। ଦୁଇ ଦେଶ ପରମାଣୁ ବୋମାଧାରୀ। ଏହା ହିଁ ରଣନୀତି ଓ ରାଜନୈତିକ ହିସାବକିତାବ ସଂକ୍ରାନ୍ତ ନିଷ୍ପତ୍ତିକୁ ପରିଚାଳିତ କରୁଛି। ଶ୍ରୀନାଥ ରାଘବନ୍‌ କହନ୍ତି, ‘‘ଆଣବିକ ଅସ୍ତ୍ର ବିପଦ ଏବଂ ଆତ୍ମ-ନିୟନ୍ତ୍ରକ ମଧ୍ୟ। ଏହା ଦୁଇ ଦେଶର ରଣନୀତିକାରଙ୍କୁ ସାବଧାନତା ସହକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟକରେ। ତେଣୁ, ଯେକୌଣସି ପ୍ରତିଶୋଧାତ୍ମକ କାର୍ଯ୍ୟପନ୍ଥା ସଠିକ୍‌ ଓ ଲକ୍ଷ୍ୟ ନିର୍ଦ୍ଧାରିତ ହେବା ଉଚିତ। ପାକିସ୍ତାନ ବି ଅନୁରୂପ ଭାବେ ପ୍ରତିଶୋଧ ନେଇପାରେ। ଏ‌ କ୍ଷେତ୍ରରେ ପ୍ରତିଶୋଧ ନିମନ୍ତେ ସୁରକ୍ଷିତ ପଥ ଖୋଜିବା ଆବଶ୍ୟକ।’’
‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଏକ ସାମରିକ ରଣନୀତି ଉରି ଆକ୍ରମଣ ପ୍ରତିଶୋଧ ଘଟଣାକୁ ଭାରତ ସରକାର ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆଖ୍ୟା ଦେଲେ। କିନ୍ତୁ, ପାକିସ୍ତାନର ସାମରିକ ଗଣମାଧ୍ୟମ ବିଭାଗ ଦାବିକଲେ ଯେ ଏ ଘଟଣା ଆକସ୍ମିକ ସୀମାପାରି ଗୁଳିଚାଳନା ପରି, କିନ୍ତୁ ଏହାକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି ନାମିତ କରାଗଲା। ଭାରତରେ ବି ଶାସକ ଦଳକୁ ସମାଲୋଚନା କରୁଥିବା ବ୍ୟକ୍ତିମାନେ କହିଲେ ଯେ ଅତୀତରେ ବି ଏଭଳି ପ୍ରତିଶୋଧ ନିଆଯାଇଥିଲା। ସରକାର କିଛି ନୂଆ ବା ଉଲ୍ଲେଖନୀୟ କାମ କରିନାହାନ୍ତି। କିନ୍ତୁ, ଏହା ସତ୍ୟ ଯେ ସେତେବେଳେ ଏଥିପାଇଁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଶବ୍ଦ ପ୍ରୟୋଗ କରାଯାଇ ନ ଥିଲା। ସେ ଯାହାହେଉ ଏଭଳି ସେନା ଅଭିଯାନ ଅଭୂତପୂର୍ବ ବୋଲି ସମାଲୋଚକମାନେ ବି ସ୍ବୀକାର କରିଥିଲେ। ସେହିପରି, ୨୦୧୫ ଜୁନ୍‌ରେ ଭାରତୀୟ ସେନା ଆମର ପ୍ରାଚ୍ୟ ପଡ଼ୋଶୀ ରାଷ୍ଟ୍ର ମିଆଁମାର୍‌ରେ କେତେଗୁଡ଼ିଏ ସାମରିକ ଅଭିଯାନ ଚଳାଇଥିଲା। ସେତେବେଳେ ବି ଏହାକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କୁହାଯାଇଥିଲା। ଏହି ଅଭିଯାନରେ ଉତ୍ତରପୂର୍ବ ସୀମାନ୍ତ ରାଜ୍ୟ ମଣିପୁର ଓ ନାଗାଲାଣ୍ଡ୍‌ରେ ସକ୍ରିୟ ଥିବା ଉଗ୍ରବାଦୀ ସଙ୍ଗଠନ  ‘ନ୍ୟାସ୍‌ନାଲ୍‌ ସୋସିଆଲିଷ୍ଟ୍‌ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ୍‌-କେ’ର ଦୁଇଟି ଶିବିର ଉପରେ ଆକ୍ରମଣ କରାଯାଇଥିଲା।

ସେହିପରି, ୨୦୧୯ ଫେବ୍ରୁଆରି ୨୦୧୬ ପୁଲ୍‌ୱାମା ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣା ଯେଉଁଥିରେ ୪୦ଜଣ ଅର୍ଦ୍ଧସାମରିକ ବଳର ଯବାନ ସହିଦ ହୋଇଥିଲେ, ତାହାର ପ୍ରତିଶୋଧ ନେବାକୁ ଯାଇ ଭାରତ ପାକିସ୍ତାନ ଅନ୍ତର୍ଗତ ବାଲାକୋଟ୍‌ରେ ଥିବା ‘ଜୈସ୍‌-ଏ-ମହମ୍ମଦ୍‌’ ଆତଙ୍କବାଦୀ ତାଲିମ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଘଟଣାର ୧୨ ଦିନ ପରେ ଭାରତୀୟ ବାୟୁସେନାର ମିରେଜ୍‌ ଜେଟ୍‌ ବିମାନ ସେଠାରେ ଇଜ୍ରାଏଲ୍‌ ନିର୍ମିତ ୫ଟି ‘ସ୍ପାଇସ୍‌ ୨୦୦୦’ ବୋମା ପକାଇଥିଲା। ସେହି ବୋମାରେ କୋଠାବାଡ଼ି ଭେଦ କରିବା ନିମିତ୍ତ ୱାର୍‌ହେଡ୍‌ ବା ବୋମା ଲାଗିଥିବାରୁ ତାଲିମ ଶିବିରର ପ୍ରଭୁତ୍ବ କ୍ଷତି ହୋଇଥିଲା। ଭାରତର ତତ୍କାଳୀନ ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଏହି ଆକ୍ରମଣରେ କମାଣ୍ଡର୍‌ଙ୍କ ସମେତ ବହୁସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି, କିନ୍ତୁ କୌଣସି ବେସାମରିକ ବ୍ୟକ୍ତିବିଶେ‌ଷ ମରିନାହାନ୍ତି। କିନ୍ତୁ, ପାକିସ୍ତାନ ଏ କଥା ଅସ୍ବୀକାର କରି କହିଥିଲା ଯେ, ପାକିସ୍ତାନୀ ଲଢୁଆ ଜେଟ୍‌ ସବୁ ଭାରତୀୟ ଲଢୁଆ ବିମାନଗୁଡ଼ିକୁ ଫେରିଯିବାକୁ ବାଧ୍ୟ କରିଥିଲେ। ତେଣୁ, ବାଲାକୋଟ୍‌ରେ କେହି ମୃତାହତ ହୋଇନାହାନ୍ତି।

‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ସଂଜ୍ଞା
୧୯୫୫ରୁ ୧୯୭୫ ପର୍ଯ୍ୟନ୍ତ ଚାଲିଥିବା ଭିଏତ୍‌ନାମ୍‌ ଯୁଦ୍ଧ ସମୟରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଶବ୍ଦର ଉତ୍ପତ୍ତି ହୋଇଥିବା ଜଣାଯାଏ। ସରଳ ଅର୍ଥରେ କହିଲେ, ଶରୀରର କୌଣସି ସ୍ଥାନରେ ଯଦି ବଥ କିମ୍ବା ଘା’ ହୋଇଥିଲେ, ସେଇ ସ୍ଥାନରେ ଅସ୍ତ୍ରୋପଚାର ବା ସର୍ଜରି କରି ଯେଭଳି ତାହାର ନିରାକରଣ କରାଯାଏ; ଠିକ୍‌ ସେଭଳି କୌଣସି ନିର୍ଦ୍ଦିଷ୍ଟ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରି ତାହାକୁ ଧ୍ବଂସ କରିବାକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କୁହାଯାଏ। ଶୀତଳ ଯୁଦ୍ଧର ପରିସମାପ୍ତିଠାରୁ ଏହି ଶବ୍ଦ ଗ୍ରହଣୀୟ ହୋଇ ପ୍ରଚଳନରେ ରହିଥିଲା। କିନ୍ତୁ, ୧୯୯୧ ଉପସାଗରୀୟ ଯୁଦ୍ଧ, ୧୯୯୯ରେ କୋସୋଭୋରେ ହୋଇଥିବା ଯୁଦ୍ଧ, ଆଫଗାନିସ୍ତାନ ଓ ଇରାକ୍‌ରେ ହୋଇଥିବା ଯୁଦ୍ଧ ସମୟରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଶବ୍ଦ ବହୁଳ ଭାବେ ବ୍ୟବହାର କରାଗଲା। ବିଂଶ ଶତାବ୍ଦୀରେ ସେନା ରଣନୀତି ବ୍ୟାପାରରେ ଆମୂଳଚୂଳ ପରିବର୍ତ୍ତନ ହେବା ପରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଥିଲା। କୌଣସି ଦେଶର ସାଧାରଣ ନାଗରିକଙ୍କର କ୍ଷତି ନ ନକରି କେବଳ ଆଇନସମ୍ମତ ସାମରିକ ଲକ୍ଷ୍ୟ ଉପରେ ଆକ୍ରମଣ ବ୍ୟବସ୍ଥା କ୍ରମଶଃ ଲୋକପ୍ରିୟ ହେଲା। ଘଣ୍ଟାଏ ଭିତରେ ବିଶ୍ବର ଯେକୌଣସି ପ୍ରାନ୍ତରେ ଆକ୍ରମଣ ବା ‘ପ୍ରମ୍ପ୍‌ଟ୍‌ ଗ୍ଲୋବାଲ୍‌ ଷ୍ଟ୍ରାଇକ୍‌’ ସାମର୍ଥ୍ୟ ଏହାକୁ ସହଜ କରିଦେଲା। ସମ୍ମୁଖ ଯୁଦ୍ଧ ଓ ଆଣବିକ ଆକ୍ରମଣ ହ୍ରାସ କରିବା ଲାଗି ଏହା ସହାୟକ ହେବ ବୋଲି ସେତେବେଳେ ଆଶା କରାଯାଉଥିଲା।

ଭାରତର ପ୍ରଥମ ଘୋଷିତ ସର୍ଜିକାଲ୍‌ ଷ୍ଟ୍ରାଇକ୍
୨୦୧୬ ସେପ୍ଟେମ୍ବର ୧୮ ପ୍ରତ୍ୟୁଷରେ ସଶସ୍ତ୍ର ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀରର ରାଜଧାନୀ ଶ୍ରୀନଗର ନିକଟସ୍ଥ ଉରିରେ ଥିବା ସେନା ଶିବିର ଉପରେ ଅତର୍କିତ ଆକ୍ରମଣ କଲେ। ଏଭଳି ଆକ୍ରମଣ ଲାଗି ପ୍ରସ୍ତୁତ ନ ଥିବା ଭାରତୀୟ ସୁରକ୍ଷାକର୍ମୀ ସେମାନଙ୍କର କଡ଼ା ମୁକାବିଲା କରିପାରିଲେ ନାହିଁ। ସେଦିନ ୧୯ଜଣ ଭାରତୀୟ ଯବାନ ସହିଦ ହେଲେ। ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଠିକ୍‌ ଏହାର ୧୦ ଦିନ ପରେ ଭାରତ ସେପ୍ଟେମ୍ବର ୨୮ ଓ ୨୯ରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଏକାଧିକ ଆତଙ୍କବାଦୀ ତାଲିମ ଶିବିର (ଲଞ୍ଚପ୍ୟାଡ୍‌) ଉପରେ ଏକକାଳୀନ ଆକ୍ରମଣ କଲା। ଭାରତ ଉପରେ ଆକ୍ରମଣ କରିବା ଲାଗି ସେ ସବୁ ଶିବିରରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷିତ କରାଯାଉଥିଲା। ସେତେବେଳେ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି ଅଭିହିତ କଲେ। ଏହି ଆକ୍ରମଣରେ ପାକିସ୍ତାନ ପକ୍ଷର ୭୦ରୁ ୮୦ଜଣ ନିହତ ହୋଇଥିଲେ ବୋଲି ଗୋଟାଏ ହିସାବରୁ ଜଣାପଡ଼େ। ଆଉ ଗୋଟାଏ ଆକଳନ ଅନୁସାରେ ଏଥିରେ ୩୮ରୁ  ୪୦ଜଣ ଆତଙ୍କବାଦୀ ଓ ଦୁଇଜଣ ପାକିସ୍ତାନୀ ସେନା କର୍ମଚାରୀ ନିହତ ହୋଇଥିଲେ। ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପରେ ଭାରତ ସରକାର ବିବୃତି ଦେଇ କହିଲେ ଯେ, ଏହା ସମ୍ପୂର୍ଣ୍ଣ ଜାତୀୟ ସ୍ବାର୍ଥ ପ୍ରଣୋଦିତ ସେନା କାର୍ଯ୍ୟାନୁଷ୍ଠାନ।