କୋଡିଏର କୋହ : ରହସ୍ୟମୟ ମୃତ୍ୟୁ

୨୦୨୦ ମସିହାର ସବୁଠାରୁ ଚର୍ଚ୍ଚିତ ତଥା ରହସ୍ୟମୟ ଘଟଣା ଥିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ। ଜୀବନକୁ ଭଲ ପାଇବାର ବାର୍ତ୍ତ‌ା ବାଣ୍ଟୁଥିବା ଆଦିତ୍ୟଙ୍କର ଶବ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଥିଲା। ଜୀବନକୁ ଭଲ ପାଉଥିବା ଓ ଅନ୍ୟମାନଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଉଥିବା ଏହି ମାନବପ୍ରେମୀଙ୍କର ମୃତ୍ୟୁକୁ କେହି ଆତ୍ମହତ୍ୟା ବୋଲି ଗ୍ରହଣ କରିପାରିନଥିଲେ।

ସେହିଭଳି ଆଉ ଗୋଟିଏ ଘଟଣା ଚର୍ଚ୍ଚାରେ ରହିଥିଲା। ତାହା ହେଉଛି ଓଏଫ୍‌ଏସ୍‌ (ଓଡ଼ିଶା ଫାଇନାନ୍ସ ସର୍ଭିସ) ଅଫିସର୍‌ ଅଭିଳାଷ ସ୍ବରୂପ ମହାପାତ୍ରଙ୍କ ଆତ୍ମହତ୍ୟା। ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ପ୍ରବନ୍ଧକ ଭାବରେ କାମ କରୁଥିବା ଅଭିଳାଷ ପତ୍ନୀଙ୍କ ସହ ୬ ବର୍ଷର ଶିଶୁ କନ୍ୟା ଓ ୬ ମାସର ଶିଶୁପୁତ୍ରକୁ ଛାଡ଼ି ଆତ୍ମହତ୍ୟା କରିଥିଲେ। କରୋନା କାଳରେ ପାରିବାରିକ କଳହର ଏହା ଥିଲା କରୁଣ ପରିଣତି।

ସେହିଭଳି ଜଣାଶୁଣା ବିଲ୍ଡର ସଂସ୍ଥା ଉତ୍କଳ ବିଲ୍ଡର ଅଂଶୀଦାରଙ୍କ ପୁଅ ମନୋଜ ଭୁରା ନଈକୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୂର୍ବରୁ ଏକାଧିକ ବାର ସେ ଆତ୍ମହତ୍ୟା ଉଦ୍ୟମ କରି ସାରିଥିଲେ।

ସାଇବର ଠକଙ୍କ ରାଜ୍‌
ଲକ୍‌ଡାଉନ୍‌ ସମୟରେ କେ ତେବେଳେ ଅନ୍‌ଲାଇନ୍‌ରେ ମଦ ଓ କେତେବେଳେ ଓଏଲ୍‌ଏକ୍ସରେ ଜିନିଷ ବିକ୍ରି ଭଳି ଠକେଇ ବଢ଼ିଥିଲା। କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଚଳିତବର୍ଷ ଏ ନେଇ ୧୪୭ ମାମଲା ରୁଜୁ ହୋଇଥିଲା। ଏହା ବ୍ୟତୀତ ଆଇପିଏସ୍‌, ଆଇଏଏସ୍‌, ଓପିଏସ୍‌, ଓଏଏସ୍‌ ଅଫିସରଙ୍କ ନାମରେ ଆକାଉଣ୍ଟ ଖୋଲି ସାଇବର ଠକମାନେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଅଫିସରମାନେ କେବଳ ଅସହାୟତା ପ୍ରକାଶ କରିଥିଲେ, କିନ୍ତୁ ଠକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନଥିଲା।

ଦାଦା ସାବାଡ଼
ଦୀର୍ଘ ଦିନ ଧରି ଭୁବନେଶ୍ବରରେ ନିଜର ପତିଆରା ଜାହିର କରିଥିବା କେତେକ ଦାଦାଙ୍କୁ ସାବାଡ଼୍‌ କରିଥିଲା କମିସନରେଟ୍‌ ପୁଲିସ। ‘ଦାଦାବଟିକୁ ନା’ ସ୍ବତନ୍ତ୍ର ମିସନ ବଳରେ ୯୨ ମାମଲା ରୁଜୁ କରାଯାଇଥିବା ବେଳେ ୧୦୪ଙ୍କୁ ଗିରଫ କରାଯାଇଛି। ଏଥିରେ ରାଜା ଆଚାର୍ଯ୍ୟ ଭଳି ଗ୍ୟାଙ୍ଗ୍‌ଷ୍ଟର ସହ ନକଲି ସାମ୍ବାଦିକ ମଧ୍ୟ ଅଛନ୍ତି।

ଲାଇଫ୍‌ ଲାଇନ୍‌-୧୦୦
କରୋନା କାଳରେ ଲାଗୁ କଟକଣାରେ ଲୋକମାନେ ଘରେ ଫସି ରହିଥିଲେ। ଜରୁରୀ କାମ ପାଇଁ ବାହାରକୁ ବାହାରିବାକୁ ହେଲେ ପୁଲିସ ସ୍ବୀକୃତିର ଆବଶ୍ୟକତା ରହିଥିଲା। ଏଭଳି ସ୍ଥିତିରେ ଲାଇଫ୍‌ ଲାଇନ୍‌ ପାଲଟିଥିଲା କମିସନରେଟ୍‌ ପୁଲିସର ହେଳ୍ପ ଲାଇନ୍‌ ନମ୍ବର ‘୧୦୦’। ଏହି ବ୍ୟବସ୍ଥାରେ ସମସ୍ତ ପ୍ରକାରର ସହାୟତା ମିଳୁଥିଲା। ଏହାର ଉପଯୋଗିତାକୁ ଆଖି ଆଗରେ ରଖି କମିସନରେଟ୍‌ ପୁଲିସ ମଧ୍ୟ ଏହାର ନବକଳେବର କରିଥିଲା। ଚଳିତବର୍ଷ ଡିସେମ୍ବର ମାସ ଯାଏ ଏହି ବ୍ୟବସ୍ଥାକୁ ୮ ଲକ୍ଷ ୩୪ ହଜାର ୧୮୧ ଫୋନ୍‌କଲ୍‌ ଆସିଛି। ୮ ଲକ୍ଷରୁ ଊର୍ଦ୍ଧ୍ବ କଲ କେବଳ କରୋନା କଟକଣା କାଳରେ ଆସିଛି।

ରିକଭରି ୧୮%
ଚଳିତବର୍ଷ ଅନେକ ଲୁଟେରା ଓ ଚୋରଙ୍କୁ ଧରିଛି କମିସନରେଟ୍‌ ପୁଲିସ। କରୋନା କାଳରେ ଅତିରିକ୍ତ ଦାୟିତ୍ବ ସତ୍ତ୍ବେ ଅନେକ ମାମଲାରେ ପୁଲିସକୁ ସଫଳତା ମିଳିଛି। ହେଲେ ରିକଭରି ହାର ମାତ୍ର ୧୮ ପ୍ରତିଶତ ରହିଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଭୁବନେଶ୍ବର ବ୍ୟାଙ୍କ୍‌ ଲୁଟ୍‌ ମାମଲା। ଏଥିରେ ଟଙ୍କାଟିଏ ପୁଲିସ ରିକଭରି କରି ପାରିନାହିଁ।

ସମ୍ବନ୍ଧିତ ଖବର