ଆମ ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ଅଭିମୁଖେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ପଠାଯାଇଥିବା ମହାକାଶଯାନ ‘ଜୁନୋ’ ଦ୍ବାରା ପ୍ରେରିତ କିଛି ଫଟୋ ଏବେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଅଭିଭୂତ କରିଦେଇଛି। ବୃହସ୍ପତି ଚାରିପଟେ ଘୂରିବା ଅବସରରେ ‘ଜୁନୋ’ରେ ଖଚିତ କ୍ୟାମେରା ଉଠାଇଥିବା ଏକ ସବୁଜ ରଙ୍ଗର ଆଲୋକ ବର୍ତ୍ତିକା ନାନା ସମ୍ଭାବନା ସୃଷ୍ଟି କରିଛି। ବୃହସ୍ପତିର ଗର୍ଭଦେଶରୁ ଆସିଲା ପରି ଜଣାପଡୁଥିବା ଏହି ରଶ୍ମିକୁ ପ୍ରଥମେ କୌଣସି ପୃଥିବୀ ବାହାର ଜୀବ ପଠାଉଥିବା ଆଲୋକ ତରଙ୍ଗ ବୋଲି ଅନୁମାନ କରାଯାଉଥିଲା।
ମାତ୍ର ନାନା ବିଶ୍ଳେଷଣ ପରେ ତାହା ବୃହସ୍ପତିରେ ସଂଘଟିତ ବିଜୁଳି ବୋଲି ଜଣାଯାଇଛି। ସୁତରାଂ ବୃହସ୍ପତିର ଚାରିପାଖରେ ମେଘଖଣ୍ଡ ଭାସୁଥିବା ଅନୁମାନ କରାଯାଉଛି ଯାହା ପରସ୍ପର ଦେହରେ ପିଟିହୋଇ ଏପରି ବିଜୁଳି ସୃଷ୍ଟି କରିଛନ୍ତି। ଅଢ଼େଇ ବର୍ଷ ଧରି ବୃହସ୍ପତି ସଂପର୍କିତ ବିଭିନ୍ନ ତଥ୍ୟକୁ ତର୍ଜମା କରି ଗବେଷକମାନେ ଏବେ ଏହି ନିର୍ଯାସରେ ପହଞ୍ଚିଛନ୍ତି। ବୃହସ୍ପତିରେ ଏମୋନିଆ-ଜଳ ମିଶ୍ରିତ ମେଘ ଦେହରୁ ଏପରି ସବୁଜ ବିଜୁଳି ସୃଷ୍ଟି ହେବା ସହ ତାହା ମେରୁ ଅଞ୍ଚଳରେ ମାତ୍ରାଧିକ ବୋଲି ଜଣାଯାଇଛି। ‘ଜୁନୋ’ ଏହି ଫଟୋଟି ଉଠାଇବା ବେଳେ ବୃହସ୍ପତିର ମେଘମଣ୍ଡଳ ଠାରୁ ୩୨,୦୦୦ କି.ମି. ଉପରେ ରହିଥିଲା। ତେବେ ଆଗାମୀ ଦିନରେ ‘ଜୁନୋ’ ବୃହସ୍ପତିର ଆହୁରି ନିକଟରୁ ଫଟୋ ଉଠାଇ ପାରିବାର ସମ୍ଭାବନା ରହିଛି ଏବଂ ବୃହସ୍ପତି ପୃଷ୍ଠରେ ଜଳ ଅଛି ନା ନାହିଁ ସେ ସଂକ୍ରାନ୍ତ ତଥ୍ୟ ମିଳିପାରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।