ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଲୌକିକ କାହାଣୀ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ଗତ କିଛି ଦିନ ହେବ ଉତ୍ସୁକତା ଲାଗି ରହିଥିବା ବେଳେ ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଲୋକଲୋଚନରେ ଶୁଣିବାକୁ ମିଳିଥାଏ। ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ। ଏପର୍ଯ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ ନାହିଁ କି ଏହାକୁ ଖୋଲିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ। ଲୋକକଥା ଅନୁଯାୟୀ ଏହି ଭଣ୍ଡାରଙ୍କୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଛନ୍ତି। ଏହାସହ ଏହି ଭଣ୍ଡାର ଘରୁ ସାପଙ୍କର ଭୟଙ୍କର ସଁ ସଁ ଶବ୍ଦ ଶୁଣିବାକୁ ମିଳେ ବୋଲି ଲୋକକଥା ରହିଛି ।

ତେବେ ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏପରି ଏକ ଲୋକକଥା କହିଛନ୍ତି ଯାହା ରତ୍ନଭଣ୍ଡାରକୁ ଆହୁରି ରହସ୍ୟ ଘେର ଭିତରକୁ ଟାଣି ନେଇଛି। ଲୋକକଥା ଅନୁଯାୟୀ, ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ କିଛି ସେବାୟତ ଜଣେ ବ୍ୟକ୍ତିଙ୍କୁ ଭାର ଦୋଳିରେ ବସାଇ ଭଣ୍ଡାର ଭିତରକୁ ପଠାଇଥିଲେ। ଦଉଡି ଯୋଗେ ବ୍ୟକ୍ତି ଜଣକ ମସାଲ ଧରି ରତ୍ନ ଭଣ୍ଡାରକୁ ଗଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ଭଣ୍ଡାର ଭିତରକୁ ଯିବା ପରେ ଧିରେ ଧିରେ ବାହାରେ ଦଉଡି ଭାର ଧରିଥିବା ସେବାୟତ ହାଲୁକା ଅନୁଭବ କଲେ । ଯେପରି ଦୋଳିରେ କେହି ନଥିଲେ। ଫଳରେ ଭିତର ଦୋଳିିକୁ ବାହାରକୁ ଟାଣିବା ପରେ ସେବାୟତ ମାନେ ଯାହା ଦେଖିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତ ଭାର ଦୋଳିରେ ନଥିଲେ ଏବଂ ମସାଲ ଲିଭି ଯାଇଥିଲା। ଏପରିକି ଦୋଳି ଉପରେ ଏକ ପାରାର ମୃତ ଦେହ ପଡିଥିଲା। କିନ୍ତୁ ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତଙ୍କ ପତ୍ତା ମିଳି ନଥିଲା। ଆଉ ଏହି ଲୋକକଥା ରତ୍ନଭଣ୍ଡାରକୁ ଆହୁରି ରହସ୍ୟାବୃତ୍ତ କରିଥିଲା।

ରତ୍ନଭଣ୍ଡାରରେ ପ୍ରକୃତରେ କେତେ ପରିମାଣର ଅଳଙ୍କାର ରହିଛି। ଏହାକୁ ମୂଲ୍ୟାୟନ କରିବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଇଛି। କିନ୍ତୁ ଏଥିରେ କେହି ମଧ୍ୟ ସଫଳ ହୋଇନାହାନ୍ତି। ପ୍ରକୃତରେ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହାର ସଠିକ ତଥ୍ୟ କାହା ପାଖରେ ମଧ୍ୟ ନାହିଁ। କିନ୍ତୁ କିଛି ଗବେଷକଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁ ବରଣ କରିଥିଲେ। ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ। ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା । ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ। ତେବେ ଏହି ଲୋକକଥାରେ କେତେ ସତ୍ୟତା ରହିଛି ତାହା ଯେବେ ରତ୍ନଭଣ୍ଡାର ଖୋଲିବ ସେବେ ଜଣାପଡିବ।

ସମ୍ବନ୍ଧିତ ଖବର