ମଙ୍ଗଳ ପୃଷ୍ଠରେ ରହସ୍ୟମୟ ଦାଗ

ପୃଥିବୀବାସୀମାନଙ୍କ ପାଇଁ ମଙ୍ଗଳ ଗ୍ରହ ଯୁଗେ ଯୁଗେ ଏକ ଆକର୍ଷଣୀୟ ତଥା କୌତୂହଳୀ ବସ୍ତୁ ହୋଇ ରହିଆସିଛି। ସେଠାରେ ଅଦ୍ୟାବଧି ଜୀବସତ୍ତାର ସନ୍ଧାନ ମିଳିନଥିଲେ ହେଁ ଜୀବନଧାରଣର ସମ୍ଭାବନା ତାହାକୁ ରହସ୍ୟମୟ କରି ରଖିଛି। ତେବେ ମଙ୍ଗଳର ଜଳବାୟୁ ଓ ଭୌଗୋଳିକ ପରିବର୍ତ୍ତନ ଅନୁଧ୍ୟାନ କରିବା ପାଇଁ ଆମେରିକାର ନାସା ପଠାଇଥିବା ମହାକାଶ ଯାନ ‘ମାର୍ସ ରିକନ୍ନାଇସାନ୍ସ ଅର୍ବିଟର’ ନିକଟରେ ପ୍ରେରଣ କରିଥିବା ଫଟୋଚିତ୍ରରୁ ମଙ୍ଗଳପୃଷ୍ଠରେ ନୂତନ କରି ନିର୍ଦ୍ଦିଷ୍ଟ ଆକୃତିର ଝୋଟି ପରି ଚିତ୍ର ଦେଖାଯିବା ଘଟଣା ଆହୁରି ରହସ୍ୟମୟ ମନେ ହେଉଛି। ମଙ୍ଗଳ ପୃଷ୍ଠରେ ବସନ୍ତଋତୁର ଆବିର୍ଭାବ ସହ ଏପରି ବହୁଭୁଜୀୟ ଦାଗ କେମିତି ସୃଷ୍ଟି ହେଲା ତାହା ଗବେଷକମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ମଙ୍ଗଳର ଉଚ୍ଚ ଅକ୍ଷାଂଶଯୁକ୍ତ ପୃଷ୍ଠଭାଗରେ ଏପରି ଅଙ୍କାବଙ୍କା ଧଳା ରଙ୍ଗର ଜାଲ ସଦୃଶ ଚିତ୍ର ଅଙ୍କାଯାଇଥିବା ଦେଖାଯାଉଛି। କେଉଁଠି କେଉଁଠି କଳା ଓ ନୀଳ ରଙ୍ଗର ଛିଟା କ୍ରମଶଃ ଫିକା ହୋଇଯାଇଥିବା ସେଥିରେ ଜଣାପଡୁଛି। ତେବେ ଜଳ ଓ ଶୁଷ୍କ ବରଫ ଯୋଗୁଁ ମଙ୍ଗଳ ପୃଷ୍ଠ ଏଭଳି ଝୋଟି ଆଙ୍କିଲା ପରି ଚିତ୍ରିତ ହୋଇଥିବା ଆରିଜୋନା ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ମଙ୍ଗଳପୃଷ୍ଠରେ ଶୀତଦିନ ବେଳେ ବରଫୀକୃତ ଜଳ ଯୋଗୁଁ ଏଭଳି ବହୁଭୁଜୀୟ ଚିତ୍ର ପଡ଼ିଥିବା ବେଳେ ବସନ୍ତର ଆଗମନ ହେତୁ ବରଫଗୁଡ଼ିକ ଫାଟି ଏପରି ଫିକା କ​ଳା ଓ ନୀଳ ରଙ୍ଗର ଗାର ପଡ଼ିଥିବା ସେମାନେ ଅନୁମାନ କରୁଛନ୍ତି। ତେବେ ତାହା ନିଶ୍ଚିତ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଅପରପକ୍ଷେ, ଏହି ଅନୁମାନରୁ ମଙ୍ଗଳପୃଷ୍ଠରେ ଜୀବନଧାରଣର ମୁଖ୍ୟ ଉପାଦାନ ଜଳର ସମ୍ଭାବ୍ୟ ଅବସ୍ଥିତି ହିଁ ଗବେଷକମାନଙ୍କୁ ପୁଣି ଥରେ ଉତ୍ସାହିତ କରିଛି।

ସମ୍ବନ୍ଧିତ ଖବର