ଚନ୍ଦ୍ରଗ୍ରହଣ ପଛରେ ରହିଥିବା ପୌରାଣିକ ଆଖ୍ୟାନଟି ସମ୍ପର୍କରେ ଜାଣନ୍ତି କି

ଆସନ୍ତା କାଲି ଅର୍ଥାତ ୨୦୧୮ ମସିହା ଜାନୁଆରି ମାସ ୩୧ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ବିଜ୍ଞାନ ଦୃଷ୍ଟିକୋଣୁ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ପୃଥିବୀ ଅବସ୍ଥାନ କାଳରେ ସୂର୍ଯ୍ୟାଲୋକ ଚନ୍ଦ୍ରଙ୍କ ପୃଷ୍ଠରେ ପଡ଼ି ପାରେ ନାହିଁ। ତେଣୁ ଚନ୍ଦ୍ରଗ୍ରହଣ ହୁଏ। ତେବେ ବର୍ଷ ବର୍ଷ ଧରି କେତେକ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଏକ ବିଶ୍ୱାସ( ଅନ୍ଧ ବିଶ୍ୱାସ) ରହି ଆସିଛି ଯେ ଚନ୍ଦ୍ରଗ୍ରହଣ ହେଉଛି, ଏକ ସମୟ ଯେଉଁ ସମୟରେ କେତୁ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ। ତେବେ ଚନ୍ଦ୍ରଙ୍କୁ କେତୁ କାହିଁକି ଗ୍ରାସ କରିଥାଏ , ସେ ନେଇ ଏକ ବେଶ୍‌ ରୋମାଞ୍ଚକର କାହାଣି ପୁରାଣରେ ରହିଛି।


ଯେତେବେଳେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କଲେ ସେତେବେଳେ ସମୁଦ୍ରରୁ ଏରାବତ ହସ୍ତୀ, ଉଚ୍ଚୈସ୍ରବା ଅଶ୍ୱ, ପାରିଜାତ ପୁଷ୍ପ, ସିନ୍ଧୁକନ୍ୟା ଲକ୍ଷ୍ମୀ ପ୍ରଭୃତି ବାହାରିବା ପରେ ଶେଷରେ ବାହାରିଥିଲା ଅମୃତ। ଏହି ଅମୃତ ପାନ କଲେ ଜଣେ ଅମରତ୍ୱ ପ୍ରାପ୍ତ ହେବ। ଏହା ଜାଣିବା ପରେ ଦେବତାଙ୍କ ଠାରୁ ଶାରୀରିକ ଶକ୍ତିରେ ବଳଶାଳୀ ଦାନବମାନେ ସେହି ଅମୃତ ପାତ୍ରଟିକୁ ଛଡ଼ାଇ ନେଇ ପଳାଇ ଗଲେ। ତେବେ କୌଶଳରେ ବିଷ୍ଣ ‘ମୋହିନୀ’ ରୂପ ଧାରଣ କରି ଦାନବ ମାନଙ୍କୁ ମୋହିତ କରି ସେମାନଙ୍କ ମଧ୍ୟରେ ଅମୃତ ବାଣ୍ଟି ଦେବାର ପ୍ରଲୋଭନ ଦେଖାଇ ଅମୃତ ପାତ୍ରଟିକୁ ଅକ୍ତିଆର କରି ନେଇଥିଲେ। ନିଜ ମୋହିନୀ ରୁପରେ ମୋହାବିଷ୍ଟ କରି ଦାନବ ମାନଙ୍କୁ ଶୁଅେଇ ଦେଇ ଦେବତା ମାନଙ୍କୁ ଅମୃତ ବାଣ୍ଟିବା ପାଇଁ ଆସି ପହଞ୍ଚିଯାଇଥିଲେ ମୋହିନୀ ରୂପଧାରୀ ବିଷ୍ଣୁ। ତେବେ ବିଷ୍ଣୁଙ୍କ ଏହି ଚାଲକୁ ଜାଣି ପାରିଥିଲା ଜଣେ ଦାନବ। ତାର ନାମ ‘ରାହୁ’। ତେବେ ଦେବତାମାନେି ଅମୃତ ପାନ ପାଇଁ ଧାଡିଧାଡି ହୋଇ ବସି ଥିବା ବେଳେ ଦେବତାଙ୍କ ଛଦ୍ମ ବେଶରେ ସେଠାରେ ପହଞ୍ଚି ଯାଇଥିଲା ଦାନବ ‘ରାହୁ’ । ସେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ବସି ଅମୃତ ପାନ କରିବାକୁ ଅପେକ୍ଷା କରଥିଲା। ମୋହିନୀ ବିଷ୍ଣୁ ଅମୃତ ଦେବା ମାତ୍ରେ ରାହୁ ତାକୁ ଖାଇବାକୁ ଯାଉଥିବା ବେଳେ ଉଭୟ ଚନ୍ଦ୍ର ଓ ସୂର୍ଯ୍ୟ ରାହୁକୁ ଚିହ୍ନି ଦେଇଥିଲେ। ତେଣୁ ସେମାନେ ପାଟି କରି ଏ କଥା ବିଷ୍ଣୁଙ୍କୁ ଜଣାଇ ଦେଇଥିଲେ। ତତ୍‌କ୍ଷଣାତ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ରାହୁର ମୁଣ୍ଡଟିକୁ କାଟି ଦେଇଥଲେ।

ମାତ୍ର ସେତେବେଳେକୁ ରାହୁ ତାକୁ ଦିଆ ଯାଇଥିବା ଅମୃତକୁ ତଣ୍ଟି ପର୍ଯ୍ୟନ୍ତ ନେଇ ସାରିଥାଏ। ତେଣୁ ଅମୃତ ନେଇଥିବାରୁ ତାର କଟା ମୁଣ୍ଟଟି ବିରାଟ ଅଟ୍ଟହାସ୍ୟ କରି ଉପରକୁ ଉଠିଗଲା। ଅମୃୃତ ସମ୍ପର୍କରେ ଆସି ନ ଥିବା ଶରୀରର ତଳ ଅଂଶ( ଗଣ୍ଡି ) ତଳେ ପଡ଼ି ଥିଲା। ଏହି କବନ୍ଧ( କେତୁ)ଏପରି ଥରି ଉଠିଥିଲା ଯେ ଭୂମିକମ୍ପ ପରି ସମଗ୍ର ବିଶ୍ୱ ଥରି ଉଠିଥିଳା। ଶେଷର ବିଷ୍ଣୁ ପୁଣି ଉଭୟ ରାହୁ ଓ କେତୁଙ୍କୁ ଶାନ୍ତ କରାଇଥିଲେ। ମାତ୍ର ରାହୁ ଓ କେତୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଉପରେ ପ୍ରତିଶୋଧ ନେବାକୁ ଅଡ଼ି ବସିବାରୁ, ବିଷ୍ଣୁ ସେମାନଙ୍କୁ ପ୍ରବୋଧନା ଦେଇ କହିଥିଲେ ଯେ ସେମାନେ( ଚନ୍ଦନ୍ର ଓ ସୂର୍ଯ୍ୟ) ଅମର। ତେଣୁ ସେମାନଙ୍କ ଉପରେ ତୁମେ ଦୁହେଁ ସମ୍ପୂର୍ଣ୍ଣ ପ୍ରତିଶୋଧ ନେଇ ପାରିବ ନାହିଁ। ତେବେ କେତେକ ଅମବାସ୍ୟା ତିଥିରେ ରାହୁ ସୂର୍ଯ୍ୟଙ୍କୁ ସାମୟିକ ପାଇଁ ଗିଳି ଦେବ ଓ ସୂର୍ଯ୍ୟ ପୁଣି ପଦାକୁ ବାହାରି ଆସିବେ। ଠିକ୍‌ ସେହିପରି କେତେକ ପୂର୍ଣ୍ଣିମା ରାତିରେ କେତୁ ଚନ୍ଦ୍ରଙ୍କୁ କିଛି ସମୟ ପାଇ ଗିଳି ଦେଇ ନିଜ ମନର ଓରିମାନା ମେଣ୍ଟାଇବେ। ଉଭୟ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଏହିି ପରି ଭାବେ ସେହିଦିନରୁ ଅମବାସ୍ୟା ଦିନ ଓ ପୂର୍ଣ୍ଣିମା ରାତିରେ ଗିଳି ରାହୁ ଓ କେତୁ ସେମାନଙ୍କ ମନସାଧ୍ୟ ମେଣ୍ଟାଇ ଥାନ୍ତି ବୋଲି କେତେକ ହିନ୍ଦୁ ବିଶ୍ୱାସ କରନ୍ତି।

ସମ୍ବନ୍ଧିତ ଖବର