ନବରଙ୍ଗପୁର: ନବରଙ୍ଗପୁରବାସୀଙ୍କ ଇଷ୍ଟଦେବୀ ମା’ ଭଣ୍ଡାରଘରଣୀ। ଏ ମାଟିର ସନ୍ତାନଙ୍କୁ ଯୁଗ ଯୁଗ ଧରି ନିଜ ଅଭୟ ପଣତ ତଳେ ସୁରକ୍ଷିତ ରଖି ଆସିଛନ୍ତି। କେବଳ ନବରଙ୍ଗପୁର ସହର ନୁହେଁ, ସାରା ଜିଲ୍ଲାବାସୀଙ୍କ ପାଇଁ ସୁରକ୍ଷାକବଚ ପାଲଟିଛନ୍ତି ମା’। ଅନେକ କିମ୍ବଦନ୍ତି ଓ ଲୋକକଥା ମା’ଙ୍କ ମନ୍ଦିର ସହ ଜଡ଼ିତ ହୋଇ ରହିଛି। ନବରଙ୍ଗପୁର ସଦର ମହକୁମାରୁ ୩୦ କିମି ଦୂର ଜଗନ୍ନାଥପୁରରେ ୧୮୨୦ରେ ପ୍ରତିଷ୍ଠା ହୋଇଥିଲା ନବରଙ୍ଗପୁର ରାଜାଙ୍କ ରାଜଧାନୀ। ମା’ ଭଣ୍ଡାରଘରଣୀ ଥିଲେ ରାଜବଂଶର ଇଷ୍ଟଦେବୀ। ରାଜାନଅରର ଭଣ୍ଡାର ଘରେ ପୂଜା ପାଉଥିଲେ ମା’। ଜଗନ୍ନାଥପୁରରେ ମା’ଙ୍କ ମୂଳପୀଠ ରାଜପ୍ରସାଦ ମଧ୍ୟରେ ରହିଥିଲା। ୧୮୩୨ରେ ରାଜା ଚୈତନ୍ୟ ଦେବ ତାଙ୍କ ରାଜଧାନୀ ଜଗନ୍ନାଥପୁରରୁ ନବରଙ୍ଗପୁରକୁ ସ୍ଥାନାନ୍ତର କରିଥିଲେ। ରାଜଧାନୀ ପରିବର୍ତ୍ତନ ସହିତ ରାଜା ଇଷ୍ଟଦେବୀ ମା’ ଭଣ୍ଡାରଘରଣୀଙ୍କୁ ଜଗନ୍ନାଥପୁରରୁ ଆବାହନ କରି ନବରଙ୍ଗପୁରରେ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଚାଳଛପରରେ ନିର୍ମିତ ମନ୍ଦିରରେ ମା’ଙ୍କୁ ପୂଜା କରାଯାଉଥିଲା। ମନ୍ଦିରର ଠିକ୍ ସମ୍ମୁଖରେ ରାଜାଙ୍କ ଦରବାର (ବର୍ତ୍ତମାନର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ) ରହିଥିଲା। ରାଜା ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଣ୍ଡାରଘରଣୀଙ୍କୁ ସ୍ମରଣ କରୁଥିଲେ।
୧୯୪୬ରେ ଟିଣ ଘର ନିର୍ମାଣ କରାଯାଇ ମା’ଙ୍କୁ ସ୍ଥାପନ କରାଯାଇଥିଲା। ୨୦୦୮ ମସିହାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ମନ୍ଦିର ନିର୍ମାଣ ସରିଥିଲା। ପୂର୍ବ ଦ୍ବାରରେ ଥିବା ବିଶାଳ ସିଂହଦ୍ବାର ଦେଇ ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି। ଏହି ଶକ୍ତିପୀଠର ବିଶେଷତ୍ବ ହେଉଛି, ମନ୍ଦିରର ମୁଖ୍ୟଦ୍ବାର ପୂର୍ବାଭିମୁଖୀ ହୋଇଥିବା ବେଳେ ମା’ ପଶ୍ଚିମାଭିମୁଖୀ। ମନ୍ଦିରର ପଶ୍ଚିମ ଦିଗରେ ଆଦି ସେବକଙ୍କର ବାସସ୍ଥଳୀ। ମା’ ପ୍ରଚଣ୍ଡ ଶକ୍ତିର ଅଧିକାରିଣୀ ହୋଇଥିବାରୁ ଭକ୍ତଙ୍କୁ ସିଧାସଳଖ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ସମସ୍ତ ଭକ୍ତ କାନ୍ଥରେ ଖଚିତ ଦର୍ପଣ ଦ୍ବାରା ମା’ଙ୍କ ଦର୍ଶନ ଲାଭ କରିଥାନ୍ତି। କେଉଟ ସମ୍ପ୍ରଦାୟର ବ୍ୟକ୍ତି ମା’ଙ୍କ ପୂଜକ ଦାୟିତ୍ବ ତୁଲାଉଛନ୍ତି। ହାତରେ ଖଣ୍ଡାଧରି ମା’ ଭଣ୍ଡାର ଘର ରକ୍ଷା କରିବାର ଜନଶ୍ରୁତି ରହିଛି। ଏବେ ବି ଭକ୍ତଙ୍କର ବିଶ୍ବାସ ରହିଛି ମା’ଙ୍କ ମୂଳପୀଠ ତଳେ ରତ୍ନ ଭଣ୍ଡାର ରହିଛି। ମା’ ଝିଅ ବେଶରେ ପାଟରାଙ୍କ ପାଖରୁ ଚୁଡ଼ି ପିନ୍ଧିବା, କ୍ଷୁଧାର୍ତ୍ତଙ୍କୁ ଭଣ୍ଡାର ଘର ଥାଳିରେ ଖାଦ୍ୟ ପରଷିବା, ମୂଳପୀଠ ନିର୍ମାଣ ସମୟରେ ଅପରାହ୍ନରେ ପ୍ରତିଦିନ ଗୋଟିଏ ଥର ୫ଟି ବାଘ ଆସିବା ଏପରି ଅନେକ କାହାଣୀ ରହିଛି। ମା’ଙ୍କ ମୂଳପୀଠ ଏବେ ବି ଜଗନ୍ନାଥପୁରରେ ରହିଛି।