ନବରାତ୍ରି: ନଅଟି କଳସରେ ହୁଏ ନବଶକ୍ତିଙ୍କର ଆବାହନ ଓ ପୂଜନ

ଆଶ୍ୱିନ ଶୁକ୍ଳ ପ୍ରତିପଦ୍‌ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ନବଦିନାତ୍ମକ ଦୁର୍ଗାପୂଜା। ଏହାର ଅନ୍ୟ ନାମ ନବରାତ୍ର। ଦୁର୍ଗାପୂଜାର ପାରମ୍ପରିକ ବ୍ୟବସ୍ଥାରେ ୧୬ ଦିନ, ୯ ଦିନ, ୫ ଦିନ, ୩ ଦିନ, ୨ ଦିନ ଓ ୧ ଦିନ ପୂଜାର ବିଧାନ ଅଛି। ସେସବୁ ମଧ୍ୟରେ ୯ ଦିନିଆ ପୂଜା ଅଧିକ ଆଦୃତ। ଏଥିରେ ନବଦୁର୍ଗା ଓ ନବପତ୍ରିକା ପୂଜାର ବିଧାନ ମଧ୍ୟ ଅଛି। ଏହି ସବୁ ପୂଜା ବିଧାନ ମଧ୍ୟରେ ନଅଟି କଳସରେ ନବଶକ୍ତିଙ୍କର ଆବାହନ ଓ ପୂଜନ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି ନଅଟି କଳସ ମଧ୍ୟରୁ ଆଠଟି ଆଠ ଦିଗରେ ସ୍ଥାପନ କରାଯାଏ ଏବଂ ଏହାର ମଧ୍ୟଭାଗରେ ଗୋଟିଏ କଳସ ସ୍ଥାପିତ ହୁଏ। ଏହି ଆଠଦିଗ ହେଉଛି- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏବଂ ଐଶାନ୍ୟ, ଅଗ୍ନି, ନୈଋତ ଓ ବାୟୁ। ଏହି ଆଠ କଳସ ଓ ମଧ୍ୟ କଳସରେ ନବଦେବୀ ବା ନବଶକ୍ତି ଅବସ୍ଥାନ କରନ୍ତି। ଏହି ଦେବୀ ବା ଶକ୍ତିମାନଙ୍କ ମଧ୍ୟରୁ, ପୂର୍ବ କଳସରେ ବ୍ରାହ୍ମୀ, ପଶ୍ଚିମ କଳସରେ ବାରାହୀ, ଉତ୍ତର କଳସରେ ଚାମୁଣ୍ଡା ଓ ଦକ୍ଷିଣ କଳସରେ କୌମାରୀ ଅବସ୍ଥାନ କରନ୍ତି। ସେହିପରି, ଐଶାନ୍ୟ କଳସରେ ମହାଲକ୍ଷ୍ମୀ, ଅଗ୍ନି କଳସରେ ମାହେଶ୍ୱରୀ, ନୈଋତ କଳସରେ ବୈଷ୍ଣବୀ ଓ ବାୟୁ କଳସରେ ଇନ୍ଦ୍ରାଣୀ ଅବସ୍ଥାନ କରନ୍ତି। ଅଷ୍ଟଦିଗର କଳସର ଏହି ଅଷ୍ଟଶକ୍ତିଙ୍କ ବ୍ୟତୀତ, ମଧ୍ୟଭାଗରେ ଅବସ୍ଥାପିତ କଳସରେ ଶିବା ଅବସ୍ଥାନ କରନ୍ତି। ଶାରଦୀୟ ନବରାତ୍ରିରେ ଏହି ନବଶକ୍ତିଙ୍କର ଆବାହନ ଓ ଉପାସନା ଫଳରେ ସେହିସବୁ ଶକ୍ତିଙ୍କର ଶୁଭାଶିଷ ମିଳିଥାଏ।

ସମ୍ବନ୍ଧିତ ଖବର