ଅହମଦାବାଦ: ଭାରତୀୟ ରେଳ ସମ୍ବେଦନଶୀଳତା ଦେଖାଇ ପୂର୍ବରୁ ଅନେକ ଥର ଚର୍ଚ୍ଚାରେ ରହିଛି। ନିକଟରେ ବି ସେପରି ଏକ ଘଟଣା ଦେଖିବାକୁ ମିଳିଛି। ପଶ୍ଚିମ ରେଳବାଇର ଭଦୋଦରାରୁ ଅହମଦାବାଦ ମଧ୍ୟରେ ପଡୁଥିବା ନଡିଆଦ୍ ଷ୍ଟେସନ୍ ମାଷ୍ଟରଙ୍କ ସକ୍ରିୟତା ହେତୁ ଜଣେ ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଶିଶୁଟିକୁ ଜନ୍ମ ଦେଇଛନ୍ତି।
ଭଦୋଦରା ବିଭାଗର ନାଡିଆଦ୍ ଷ୍ଟେସନ କର୍ମଚାରୀଙ୍କ ସକ୍ରିୟତା ଏବେ ବହୁ ପ୍ରଶଂସା ସାଉଁଟୁଛି। ଜୁଲାଇ ୨୧ ତାରିଖରେ, ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ ଶତାବ୍ଦୀ ଏକ୍ସପ୍ରେସରେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳା ହଠାତ୍ ଅଚେତ ହୋଇଗଲେ। ଆତଙ୍କିତ ଯାତ୍ରୀ ତୁରନ୍ତ ରେଳବାଇର ଚେକିଂ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏ ବିଷୟରେ ଜାଣିବା ମାତ୍ରେ ନଡିଆଦ ଷ୍ଟେସନ ମାଷ୍ଟର ରାକେଶ ମିତ୍ତଲ ଅସୁସ୍ଥ ମହିଳାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ହସ୍ପିଟାଲ୍ ନେଇ ଯାଇଥିଲେ। ସେଠାରେ ମହିଳା ଜଣକ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି।
ଜାଣିବାକୁ ମିଳିଛି ଯେ ମହିଳାଙ୍କର ଡେଲିଭରି ତାରିଖ ବିଳମ୍ବ ଥିବା ହେତୁ ସେ ଅଚିନ୍ତା ହୋଇ ରେଳରେ ଯାତ୍ରା କରୁଥିଲେ। ମାତ୍ର ଅଚାନକ ତାଙ୍କର ଡେଲିଭରି ପେନ୍ ଆରମ୍ଭ ହୋଇଯିବା ସହ ସେ ସେଇଠାରେ ହିଁ ଅସୁସ୍ଥ ହୋଇ ପଡ଼ିଥିଲେ।
ନଡିଆଦ୍ ରେଳ କର୍ମଚାରୀ ଏବଂ ବିଶେଷକରି ଷ୍ଟେସନ ମାଷ୍ଟରଙ୍କ ମାନବିକ ପଦକ୍ଷେପ ପାଇଁ ରେଳବାଇ ପୁରସ୍କାର ଘୋଷଣା କରିଛି। ବିଭାଗୀୟ ରେଳ ପରିଚାଳକ ଜିତେନ୍ଦ୍ର ସିଂ ଷ୍ଟେସନ ମାଷ୍ଟର ରାକେଶ ମିତ୍ତଲଙ୍କୁ ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ପ୍ରଶଂସା କରି ଉପଯୁକ୍ତ ପୁରସ୍କାର ଘୋଷଣା କରିଛନ୍ତି।
ମିତ୍ତଲ ଏହା ପୂର୍ବରୁ ନଡିଆଦ ଷ୍ଟେସନରେ ସିପିଆର ଦେଇ ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ମିତ୍ତଲ ମାନବ ସେବା କାର୍ଯ୍ୟରେ ସର୍ବଦା ବୁଡ଼ି ରହିଥାନ୍ତି। ଅନ୍ୟପକ୍ଷରେ, ନଡିଆଦ୍ ଷ୍ଟେସନରେ ପାଇଥିବା ସୁବିଧା ପାଇଁ ରେଳବାଇକୁ ଧନ୍ୟବାଦ ଜଣାଇ ମହିଳା ଜଣକ କୃତଜ୍ଞତା ଜ୍ଞାପନ କରିଛନ୍ତି।