୫୬ ବର୍ଷରେ ୬ ଥର ହୋଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ବେଶର ନାମ ନାଗାର୍ଜୁନ-୧୦/ ଅସିତ ମହାନ୍ତି

ଇତିହାସ ତଥା ଶ୍ରୀମନ୍ଦିରର ନଥିପତ୍ରରେ ନାଗାର୍ଜୁନ ବେଶ ସଂପର୍କରେ ସର୍ବପ୍ରାଚୀନ ପ୍ରମାଣ ମିଳେ ୧୯୬୬ରେ । ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ୧୯୬୦ରେ ଓଡ଼ିଶା ସରକାର ବିଧିବଦ୍ଧ ଭାବରେ ଶ୍ରୀମନ୍ଦିରର ପରିଚାଳନା ଭାର ହାତକୁ ନେଇଥିଲେ ଏବଂ ତାହାପରେ, ୧୯୬୬ ମସିହାର ବେଶ ହିଁ ଥିଲା ପ୍ରଥମ ନାଗାର୍ଜୁନ ବେଶ । ସେବର୍ଷ ନଭେମ୍ବର ୨୬ ତାରିଖ ଦିନ, କାର୍ତ୍ତିକ ମାସର ମଳ ତ୍ରୟୋଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥିଲା ।

ନାଗାର୍ଜୁନ ବେଶ ଏକ ଯଜମାନି ବେଶ । ଉପଲବ୍ଧ ତଥ୍ୟ ଅନୁସାରେ, ଏହି ବେଶର ଦାତା ହେଉଛନ୍ତି ପୁରୀ ହରଚଣ୍ଡୀ ସାହିର ଚକ୍ରକୋଟ ଖୁଣ୍ଟିଆ ପରିବାର । ତାଙ୍କ ପରିବାର ସୂତ୍ରର ସୂଚନା କହେ, ଏହାର ଇତିହାସ ଅନ୍ୟୂନ ୨୦୦ ବର୍ଷର । ୧୯୬୬ର ଇତିହାସ କହେ ଯେ ସେ ବର୍ଷର ବେଶ ମଧ୍ୟ ଶ୍ରୀମନ୍ଦିରର ଏହି ସେବକ ଖୁଣ୍ଟିଆ ପରିବାର କରାଇଥିଲେ । ପରବର୍ଷ ଅର୍ଥାତ୍ ୧୯୬୭ ମସିହା, ନଭେମ୍ବର୧୬ ତାରିଖ, ମଳ ଚତୁର୍ଦ୍ଦଶୀ ତିଥିରେ ମଧ୍ୟ ଏହି ବେଶ ହୋଇଥିଲା । କ୍ରମାଗତ ତୃତୀୟ ବର୍ଷ ପାଇଁ, ୧୯୬୮ ମସିହା ନଭେମ୍ବର ୩ ତାରିଖ, ମଳ ତ୍ରୟୋଦଶୀ ତିଥିରେ ମଧ୍ୟ ନାଗାର୍ଜୁନ ବେଶ ହୋଇଥିଲା ।

କିନ୍ତୁ ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି, ଦୀର୍ଘ ୨୪ ବର୍ଷ ପରେ ୧୯୯୩ ନଭେମ୍ବର ୨୬ ତାରିଖ ମଳ ଦ୍ୱାଦଶୀ ତିଥିରେ ଏହି ବେଶ ପଡ଼ିଥିଲେ ମଧ୍ୟ କୌଣସି କାରଣରୁ ସେହି ପରିବାର ଏହି ବେଶ କରାଇବାକୁ ଆଗ୍ରହୀ ହୋଇ ନଥିଲେ । ତେଣୁ ଦୋଳମଣ୍ଡପ ସାହିର ଦଇତାପତି ପରିବାରର ଜନୈକା ତିଳୋତ୍ତମା ଦାସ ମହାପାତ୍ର ଏହି ବେଶ ବାବଦ ଖର୍ଚ୍ଚ ପଇଠ କରି, ଏହି ବେଶ କରାଇଥିଲେ ।

ତାହାର ପରବର୍ଷ ଅର୍ଥାତ୍ ୧୯୯୪ ମସିହା, ନଭେମ୍ବର ୧୬ ତାରିଖ, ମଳ ତ୍ରୟୋଦଶୀ ତିଥିରେ ମଧ୍ୟ ପୁଣି ଏହି ବେଶ ପଡ଼ିଲା । କିନ୍ତୁ ସେ ବର୍ଷ ଶ୍ରୀ ଖୁଣ୍ଟିଆ ବା ଶ୍ରୀମତୀ ଦାସମହାପାତ୍ର ପରିବାରର କେହି, ଏହି ବେଶ କରାଇବାକୁ ରାଜି ହୋଇ ଥିଲେ । ତେଣୁ, ସେବର୍ଷ ଶ୍ରୀମନ୍ଦିର ପ୍ରଶାସନ ହିଁ ଏହି ବେଶ କରାଇଥିଲେ।

ତାହାର ଦୀର୍ଘ ୨୫ ବର୍ଷ ପରେ, ଏଇ ନଭେମ୍ବର ୨୭ ତାରିଖ, ମଳ ଦ୍ୱାଦଶୀ ତିଥିରେ ପୁନର୍ବାର ଏହି ବେଶ ଅନୁଷ୍ଠିତ ହେଲା । ଏହା ଥିଲା ଏକବିଂଶ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ । ଏଥର କିନ୍ତୁ ଏହି ବେଶର ପାରମ୍ପରିକ ପ୍ରଦାତା, ଚକ୍ରକୋଟର ଖୁଣ୍ଟିଆ ସେବକ ପରିବାର ପକ୍ଷରୁ ବେଶ କରାଯାଇଛି । ଏହା ଫଳରେ ପରମ୍ପରାର ପୁନରାବର୍ତ୍ତନ ହୋଇଛି । ତେବେ ହସ୍ତଗତ ଇତିହାସ ଅନୁସାରେ, ଗତ ୫୬ ବର୍ଷ ମଧ୍ୟରେ ସମୁଦାୟ ୬ ଥର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି।

କିନ୍ତୁ ଏ ବର୍ଷ କୋଭିଡ଼ କଟକଣା ଦୃଷ୍ଟିରୁ ଭକ୍ତ ଓ ଦର୍ଶନାର୍ଥୀ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ଆଗାମୀ ବର୍ଷ, ଅର୍ଥାତ୍ ୨୦୨୧ ମସିହାର ମଳ ଏକାଦଶୀ ତିଥିରେ ଏହି ବେଶ ପଡ଼ୁଥିବାରୁ, ପୁଣି ଆଗାମୀବର୍ଷ ଏହି ବେଶ ହେବ ଏବଂ ଭକ୍ତ ଓ ଦର୍ଶନାର୍ଥୀ ଏହା ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଆଶା ସଂଚାର ହୋଇଛି ।

କିନ୍ତୁ ବିଂଶ ଶତାବ୍ଦୀର ସବୁ ବେଶ, ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିରେ ହୋଇଛି ଏବଂ ଏକାଦଶୀ ତିଥିରେ ଏହି ବେଶ ହୋଇଥିବାର ନିଦର୍ଶନ ସେ ଶତାବ୍ଦୀରେ ନାହିଁ । ତେଣୁ ଆଗାମୀ ବର୍ଷ ଏହି ବେଶ ହେବା ନେଇ ଭକ୍ତ ଓ ଦର୍ଶନାର୍ଥୀ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି ।

ସମ୍ବନ୍ଧିତ ଖବର