ଆଜି ସମଗ୍ର ବିଶ୍ବରେ ‘ନାଗାସାକି ଦିବସ’ ପାଳିତ ହେଉଛି। ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ଦ୍ବିତୀୟ ବିଶ୍ବଯୁଦ୍ଧ ଅବସରରେ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ’ ନିକ୍ଷେପ କରିଥିଲା। ତାହା ସତ୍ତ୍ବେ ଜାପାନ ମିତ୍ର ଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ତିନି ଦିନ ପରେ ଜାପାନର ଅନ୍ୟତମ ଅଗ୍ରଣୀ ବନ୍ଦର ତଥା ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ବିତୀୟ ପରମାଣୁ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’ ନିକ୍ଷେପ କରିଥିଲା। ସେହି ବୋମା ବିସ୍ଫୋରଣର ତେଜସ୍କ୍ରିୟ ବିକିରଣ ଯୋଗୁଁ ୭୪,୦୦୦ରୁ ୮୦,୦୦୦ ନାଗରିକ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା।

Advertisment

ଅଗଷ୍ଟ ୧୫ ତାରିଖରେ ଜାପାନ ସର୍ତ୍ତହୀନ ଅତ୍ମସମର୍ପଣ ଘୋଷଣା କରିବା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟିଥିଲା। ନାଗାସାକି ଦିବସ ପରମାଣୁ ଅସ୍ତ୍ରଶସ୍ତ୍ରର ଧ୍ବଂସକାରୀ ପରିଣାମ ସମ୍ପର୍କରେ ମଣିଷକୁ ଚେତାଇଦେବା ସହିତ ବିନାଶକାରୀ ଅସ୍ତ୍ରଶସ୍ତ୍ରରୁ ବିଶ୍ବକୁ ମୁକ୍ତ ରଖିବା ଲାଗି ଆମକୁ ଆହ୍ବାନ କରିଥାଏ। ଇତିହାସରୁ ଶିକ୍ଷାଲାଭ କରି ଏପରି ଏକ ବିଶ୍ବ ଗଠନ ପାଇଁ ପ୍ରୋତ୍ସାହନ ମିଳିଥାଏ ଯେଉଁଠି ପରମାଣୁ ଅସ୍ତ୍ରଶସ୍ତ୍ର ଆଉ କେବେ ମାନବିକତା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହେବ ନାହିଁ। ବାସ୍ତବରେ ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉଛି ଯୁଦ୍ଧର ଶ୍ରେଷ୍ଠ ବିକଳ୍ପ।