ଲକ୍ଷ୍ନୌ: ଆପଣ ନାଗ ଓ ନାଗୁଣୀ ଗପ ପିଲାଦିନରୁ ଶୁଣିଥିବେ। ନାଗକୁ କେହି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ନାଗୁଣୀ ପହଞ୍ଚି ଯାଇଥାଏ ଓ ନାଗୁଣୀକୁ କେହି କ୍ଷତି ପହଞ୍ଚାଇବାକୁ ଉଦ୍ୟମ କଲେ ନାଗ ପହଞ୍ଚି ଯାଇଥାଏ। ଆହୁରି ବି ଗପ ରହିଛି ଯେ ଯଦି ସେମାନଙ୍କ ମଧ୍ୟରୁ ଜଣେ କାହାକୁ ମାରି ଦିଆଯାଏ ତେବେ ଆର ଜଣକ ସେହି ହତ୍ୟାର ପ୍ରତିଶୋଧ ନନେବା ପର୍ଯ୍ୟନ୍ତ ମାରିଥିବା ଲୋକକୁ ଖୋଜି ବୁଲୁଥାଏ। ଏ ସବୁ ଗପରୁ ଏହା ପ୍ରମାଣିତ ହେଉଛି ଯେ, ନାଗ-ନାଗୁଣୀଙ୍କ ଭିତରର ସଂପର୍କ ଖୁବ୍ ନିବିଡ଼। ଉଭୟ ଉଭୟଙ୍କର ଛାଇ ପରି ପାଖେ ପାଖେ ରହିଥାନ୍ତି। ଏବେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ହମିରପୁର ଜିଲ୍ଳାରେ। ଲୋକେ ନାଗକୁ ବାଡ଼େଇବା ବେଳେ ଫଁ ଫଁ ହୋଇ ନିଜର କ୍ରୋଧ ବ୍ୟକ୍ତ କରି ଚର୍ଚ୍ଚା ପାଲଟିଛି ଏକ ନାଗୁଣୀ।
ହମିରପୁର ଜିଲ୍ଳାର ଏକ ନଳକୂପରେ ପ୍ରାୟ ୩ ମାସ ହେବ ଏକ ଯୋଡ଼ା ନାଗ-ନାଗୁଣୀ ରହି ଆସୁଥିଲେ। ଏହି କାରଣରୁ ଲୋକେ ବି ସେହି ନଳକୂପକୁ ବ୍ୟବହାର କରିପାରୁ ନଥିଲେ। କେହି ଯଦି ସେଠାକୁ ଯାଇ ପାଣି ଆଣିବାକୁ ଉଦ୍ୟମ କରୁଥିଲା ତ ନାଗନାଗୁଣୀ ସେମାନଙ୍କୁ ଫଁ ଫଁ ଶବ୍ଦ କରି ଡରାଇ ବିଦା କରି ଦେଉଥିଲେ। ଫଳରେ ଲୋକେ ପାଣି ପାଇଁ ଖୁବ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଘଟଣାଟି ହେଉଛି ହମିରପୁର ଗାଁର ରାଠ ତହସିଲ୍ସ୍ଥିତ ଟୋଲା ସଂଗାରନ ଗାଁର। ଗାଁ ଲୋକ ପ୍ରାୟ ୩ ମାସ ଧରି ନାଗନାଗୁଣୀଙ୍କୁ ଭୟ କରି ଚୁପ୍ ରହିବା ପରେ ଶେଷରେ ସେମାନଙ୍କୁ ମାରିବାକୁ ଚିନ୍ତା କରିଥିଲେ। କିଛି ଲୋକ ଠେଙ୍ଗା ସାହାଯ୍ୟରେ ପ୍ରଥମେ ନାଗକୁ କାଢ଼ି ବାଡ଼େଇବାକୁ ଚେଷ୍ଟା କରିଥିଲେ। ଗାଁର ଜଣେ ଯୁବକଙ୍କ କହିବାନୁସାରେ, ନାଗୁଣୀଟି ନାଗୁ ଲୋକେ ବାଡ଼ଉଥିବାର ଦେଖି ଫଁ ଫଁ ଶବ୍ଦ କରି ଚୋଟ ମାରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସଂଘବଦ୍ଧ ଲୋକେ କୌଣସି ସାପ ଧରାଳିର ସାହାଯ୍ୟ ନ ନେଇ ଉଭୟ ନାଗ ଓ ନାଗୁଣୀଙ୍କୁ ବାଡ଼େ ମାରି ଦେଇଥିଲେ।