ଖୁସି ଭିତରେ ଦୁଃଖ

ନନ୍ଦନକାନନ ପାଇଁ ସୁଖ ଓ ଦୁଃଖର ଫେଣ୍ଟାଫେଣ୍ଟି ବର୍ଷ ଥିଲା ୨୦୧୮। ବାଘ ‘ସମ୍ରାଟ’ ଓ ବାଘୁଣୀ ‘ରେଣୁକା’ ମିଳନରୁ ଦୁଇଟି କଳା ବାଘ ଜନ୍ମ ‌ହୋଇଥିଲେ। ବାଘୁଣୀ ‘ବିଜୟା’ ବି ଦୁଇଟି ଶାବକ ଜନ୍ମ କରିଥିଲା। ମହାବଳ ବାଘ ‘ମନୀଷ’ର ମୃତ୍ୟୁ, ଇସ୍ରାଏଲ୍‌ର ତେଲ୍‌ଅଭିଭ୍‌ରୁ ଆସିଥିବା ୨ଟି ସିଂହ ମୃତ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳାଇଥିଲା। କଲରାପତରିଆ ବାଘ ଉଦ୍ଧାର ହୋଇ ଏଠାକୁ ଆସିବା, ଶାଗୁଣା ପ୍ରଜନନ କେନ୍ଦ୍ର ଉଦ୍‌ଘାଟନ, ଗ୍ବାଲିୟରରୁ ୧୦ଟି ଶାଗୁଣା ଆସିବା, ୩ଟି ହିମାଳୟ ଭାଲୁ, ଗଧିଆ, ମଣିପୁରୀ ହରିଣ, ଜଙ୍ଗଲୀ ବିଲୁଆ ଆଦି ବର୍ଷ ୨୦୧୮ରେ ନନ୍ଦନକାନନ ଇତିହାସରେ ଯୋଡ଼ି‌ ହୋଇଛନ୍ତି।

ମୁହାଁମୁହିଁ

ବନ୍ୟଜନ୍ତୁଙ୍କ ସହ ମଣିଷର ଲ‌ଢ଼େଇ ବର୍ଷ ସାରା ଲାଗି ରହିଥିଲା। ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ହାତୀ-ମଣିଷ ଲଢ଼େଇରେ ଏବର୍ଷ ୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଭାଲୁପାହାଡ଼ି ଗ୍ରାମରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିଲେ।

ନାଗ ସାପ ଅଣ୍ଡାକୁ ଭୟ

ସାପ ଅଣ୍ଡାକୁ ନେଇ ରାଜ୍ୟରେ ଆତଙ୍କ ଖେଳିଥିଲା। ଭଦ୍ରକରୁ ଭୁବନେଶ୍ବର ହେଉ ଅଥବା ପିପିଲିରୁ ରାଜନଗର ପର୍ଯ୍ୟନ୍ତ, ସବୁଠି ସାପ ଛୁଆ ଓ ଅଣ୍ଡା ଉଦ୍ଧାର ହୋଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ପାଇକ ସାହିରୁ ୧୦୬ଟି ସାପ ଓ ଅଣ୍ଡା ଉଦ୍ଧାର ହୋଇଥିଲା। ଭୁବନେଶ୍ବରରୁ ୨୩ଟି ସାପ ଅଣ୍ଡା ମିଳିଥିଲା।

କୁମ୍ଭୀର ବଢ଼ିଲେ

ଚଳିତବର୍ଷ ଚିଲିକାକୁ ଅତିଥି ପକ୍ଷୀଙ୍କ ସଂଖ୍ୟା କମିଥିଲା। ଗତବର୍ଷ ଏଠାକୁ ୯ ଲକ୍ଷ ୩୭ ହଜାର ୪୨୦ ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୪୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ ପକ୍ଷୀ ଆସିଥିଲେ। ସେପଟେ ଭିତରକନିକାକୁ ଗତବର୍ଷ ୭୬,୨୬୮ ବିଦେଶୀ ପକ୍ଷୀ ଆସିଥିବା ବେଳେ ଏବର୍ଷ ୧ ଲକ୍ଷ ୧୨ ହଜାର ୯୩୭କୁ ବୃଦ୍ଧି ପାଇଥିଲା। ହେଲେ ଗତବର୍ଷ ଭିତରକନିକାରେ ୧୬୮୨ କୁମ୍ଭୀର ଥିବା ବେଳେ ଚଳିତବର୍ଷ ୧୬୯୮କୁ ବୃଦ୍ଧି ପାଇଥିଲା।

ଗାଁମୁହାଁ ଜୀବଜନ୍ତୁ

ଏପ୍ରିଲ ମାସରେ ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ନିଆଁ ଲାଗିବାରୁ ବହୁ ମୂଲ୍ୟବାନ ଗଛ ପୋଡ଼ି ଯାଇଥିଲା। ୧୫ଦିନ ମଧ୍ୟରେ ଦୁଇଥର ନିଆଁ ଲାଗିବା ଯୋଗୁଁ ପ୍ରକୋପ ସହି ନ ପାରି ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ ଜନବସତିମୁହାଁ ହୋଇଥିଲେ। ଗାଁ ଦାଣ୍ଡରେ ବୁଲିଥିଲେ। ୯ ଫୁଟର ଅହିରାଜ ଗାଁରେ ବୁଲିବା ଭିଡିଓ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର