ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଥମ ମହିଳା ଭାବରେ ସଭିଏଁ ତାଙ୍କୁ ଜାଣନ୍ତି। ଜଣେ ସ୍ପଷ୍ଟବାଦୀ, ଦକ୍ଷ ଓ ସାହସୀ ନେତ୍ରୀ ଭାବରେ ପରିଚିତା ନନ୍ଦିନୀ ଶତପଥୀ। କଟକ ଜିଲ୍ଲାର ପିଠାପୁର ଗ୍ରାମରେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଜ୍ୟୋଷ୍ଠାକନ୍ୟା ଭାବେ ୧୯୩୧ ମସିହାରେ ନନ୍ଦିନୀ ଦେବୀ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଭଗବତୀ ପାଣିଗ୍ରାହୀଙ୍କ ଝିଆରୀ, ଯାହାଙ୍କ ଛାପ ଅତି ପିଲାଦିନୁ ତାଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ଛାତ୍ରୀ ଜୀବନରେ ବିପ୍ଳବିନୀ ନନ୍ଦିନୀ ରେଭେନ୍ସା ମହାବିଦ୍ୟାଳୟର ଛାତରେ ଚଢ଼ି ଫରଫର ଉଡ଼ୁଥିବା ୟୁନିୟନ ଜ୍ୟାକ୍ ପତାକାକୁ ଓହ୍ଲାଇବାର ସାହସ କରିଥିଲେ। ୧୯୫୧ରେ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ କାରାବରଣ କରିଥିଲେ। ସେତିକି ବେଳେ ସେ ଗର୍ଭବତୀ ଥାଇ ମଧ୍ୟ ଲାଠିମାଡ଼ ଖାଇ ପଛକୁ ହଟିନଥିଲେ।

Advertisment

publive-image Quora

ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟା ଭାବରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ନନ୍ଦିନୀ ୧୯୬୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଥିଲା। ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହିତ ଦିଲ୍ଲୀରେ ତାଙ୍କର ଘନିଷ୍ଠ ସଂପର୍କ ଗଢ଼ିଉଠିଥିଲା, ଯାହା ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାରେ ସାହାଯ୍ୟ କରିଥିଲା ବୋଲି କୁହାଯାଏ। ୧୯୭୨-୭୩ ପର୍ଯ୍ୟନ୍ତ ଗୋଟିଏ ବର୍ଷ ପାଇଁ ପ୍ରଥମ ଥର ଏବଂ ପୁଣିଥରେ ୧୯୭୪-୧୯୭୬ ପର୍ଯ୍ୟନ୍ତ ଦ୍ବିତୀୟ ଥର ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକାଳ ତୁଲାଇଥିଲେ। ୧୯୭୨ରୁ ୨୦୦୦ ମସିହା ଯାଏ ଓଡ଼ିଶା ବିଧାନସଭାକୁ କଟକ ସଦର, ଢେଙ୍କାନାଳ, ଗଁଦିଆରୁ ସେ କ୍ରମାଗତ ଭାବରେ ସାତଥର ବିଜୟୀ ହୋଇଥିଲେ। ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇଥିଲେ।

ତେବେ ରାଜନୀତି ବ୍ୟତିରକେ ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସୁକନ୍ୟା ନନ୍ଦିନୀ ସାହିତ୍ୟ ସର୍ଜନାରେ ମଧ୍ୟ ନିଜର ଅନବଦ୍ୟ କୃତି ଛାଡ଼ିଯାଇଛନ୍ତି। ଅନାଥ, କେତୋଟି କଥା ଓ ସପ୍ତଦଶୀ ପରି ତିନୋଟି ଗଳ୍ପ ସଂକଳନ, ଉପନ୍ୟାସ ‘ଟିକି ସୁନା ହଜିଗଲା’ ସହିତ କ୍ରିଷ୍ଣା କ୍ରିପାଳିନୀଙ୍କ ଦ୍ବାରା ରଚିତ ‘ଅଲ୍ ମେନ୍ସ୍ ଆର୍ ବ୍ରଦର୍ସ’ର ଓଡ଼ିଆ ଅନୁବାଦ, ଗାନ୍ଧୀ କଥାମୃତର ଓଡ଼ିଆ ଅନୁବାଦ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ହୋଇଛି। ଅମୃତା ପ୍ରୀତମ୍‌ଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ୍’ର ଓଡ଼ିଆ ଅନୁବାଦ ରସିଦି ଟିକଟ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତସଲିମା ନସରିନ୍‌ଙ୍କ ଲୋକପ୍ରିୟ ବଙ୍ଗଳା ଉପନ୍ୟାସ ‘ଲଜ୍ଜା’ ତଥା ‘ମହାଶ୍ବେତା ଦେବୀଙ୍କ ପଚାଶଟି ଗଳ୍ପ’ ଏବଂ କ୍ରିଷନ୍ ଚନ୍ଦଙ୍କର ‘ଜମି ଯେବେ ଜାଗିଉଠେ’ ଇତ୍ୟାଦି ଅନୁବାଦ କରି ବିପୁଳ ପାଠକୀୟ ସ୍ବୀକୃତି ପାଇଥିଲେ। ଶେଷରେ ୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ଓଡ଼ିଶାର ଲୌହକନ୍ୟା ନନ୍ଦିନୀଙ୍କ ମୃତ୍ୟୁ ଘଟିଥିଲା।