ମିସ୍ ୱାର୍ଲଡ ୨୦୨୫ ପ୍ରତିଯୋଗିତାରେ ଥାଇଲାଣ୍ଡର ଓପାଲ ସୁଚତା ମୁକୁଟ ହାସଲ କରିଛନ୍ତି। ଏହି ଇଭେଣ୍ଟ ସାରା ବିଶ୍ୱର ଯୁବତୀଙ୍କ ସୃଜନଶୀଳତା, ଆଗ୍ରହ ଓ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ବ ଦେଇଥାଏ। ତେବେ ଗ୍ରାଣ୍ଡ୍ ଫିନାଲେ ପାଇଁ ମନୋନୀତ ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ନନ୍ଦିନୀ ଗୁପ୍ତା ଭାରତର ପ୍ରତିନିଧିତ୍ବ କରି ପ୍ରତିଯୋଗିତାରେ ନିରନ୍ତର ସଭିଙ୍କୁ ପ୍ରଭାବିତ କରିଥିଲେ। ରେଡିଫ୍କୁ ତାଙ୍କର ଫିଟନେସ୍ ଯାତ୍ରା ବିଷୟରେ ନନ୍ଦିନୀ କହିଛନ୍ତି, “ମୁଁ ଏକ ସରଳ ଜୀବନ ଜିଇବାକୁ ପସନ୍ଦ କରେ। ମୁଁ ଯୋଗ କରିବାକୁ ଓ ବେଳେବେଳେ ଦୌଡ଼ିବାକୁ ପସନ୍ଦ କରେ। ମୁଁ ଭାଙ୍ଗଡ଼ା ଓ ଗିଦ୍ଦା ମଧ୍ୟ କରେ। ମୁଁ ଅନେକ ସମୟରେ ଘରେ ନୃତ୍ୟ କରେ, ଏଥିପାଇଁ ମୁଁ କୌଣସି କର୍ମଶାଳାରେ ଯୋଗ ଦେଇନାହିଁ। ଏହା ବ୍ୟତୀତ, ମୁଁ ମୋ କାର୍ଯ୍ୟଧାରାକୁ ବି ସରଳ ରଖିବାକୁ ଚେଷ୍ଟା କରେ। ମୁଁ ଭାବୁଛି ଦୌଡ଼ିବା ଟିକେ କାର୍ଡିଓ ହୋଇପାରେ।”
ଯଦିଓ ତାଙ୍କର ଫିଟନେସ୍ ରୁଟିନ୍ ବହୁତ ସରଳ ଓ କଟକଣାମୁକ୍ତ, ନନ୍ଦିନୀ ତାଙ୍କ ଖାଦ୍ୟପେୟ ବିଷୟରେ କୌଣସି ସାଲିସ କରନ୍ତି ନାହିଁ। ସେ କହିଛନ୍ତି, “ଆହାର ହେଉଛି ସବୁକିଛିର ସଠିକ୍ ଅନୁପାତ। ଖାଦ୍ୟ ସବୁବେଳେ ସନ୍ତୁଳିତ ହେବା ଦରକାର, କିଛି ଅଳ୍ପ ନୁହେଁ ବା ବେଶୀ। ଯେତେବେଳେ ମୋତେ କିଛି ଖାଇବାକୁ ଇଚ୍ଛା ନଥାଏ ସେତେବେଳେ ମୁଁ କାକୁଡ଼ି ଓ ଟମାଟୋ ଖାଏ, କାରଣ ଏଥିରେ ପ୍ରଚୁର ଜଳୀୟଅଂଶ ରହିଛି ଏବଂ ଏହା ମୋତେ ସାରାଦିନ ହାଇଡ୍ରେଟ୍ ରଖେ।’’ ଯଦିଓ ନନ୍ଦିନୀ ସନ୍ତୁଳିତ ଆହାର ଖାଆନ୍ତି କିନ୍ତୁ ଏସବୁ ପରେ ବି ସେ ତାଙ୍କର ପ୍ରିୟ ଷ୍ଟ୍ରିଟ୍ ଫୁଡ୍ ଗୁପ୍ଚୁପ୍ ଖାଇବାରେ କେବେ ସାଲିସ କରନ୍ତି ନାହିଁ।
ମିସ୍ ୱାର୍ଲଡ ୨୦୨୫ ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ଡିଜାଇନର୍ ଗୌରାଙ୍ଗ ଶାହଙ୍କ ଦ୍ୱାରା ନିର୍ମିତ ଏକ ସୁନ୍ଦର ଭାରତୀୟ ହାତବୁଣା ଶାଢ଼ିରେ ନନ୍ଦିନୀ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଗର୍ବର ସହିତ ପ୍ରତିନିଧିତ୍ୱ କରିଥିଲେ। ସେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଜଟିଳ ଜାମଦାନୀ ଶାଢ଼ି ପିନ୍ଧି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ବଦରବାରରେ ପରିଚିତ କରାଇଥିଲେ।