ଦେବର୍ଷି ନାରଦ ପୂର୍ବ ଜନ୍ମରେ କ’ଣ ଥିଲେ ଜାଣନ୍ତି ?

ଥରେ ମହର୍ଷି ବ୍ୟାସଦେବ ନିଜ ଆଶ୍ରମରେ ଥାଆନ୍ତି । ଏହି ସମୟରେ ସେଠାରେ ଦେବର୍ଷି ନାରଦ ତାଙ୍କର ଚିରାଚରିତ ଢଙ୍ଗରେ ନାରାୟଣ.. ନାରାୟଣ. କହି ପହଞ୍ଚିଲେ । ସେହି ସମୟରେ ବ୍ୟାସଙ୍କ ମନରେ ସତ୍‌ସଙ୍ଗର ଲାଳସା ଜାଗ୍ରତ ହୋଇଥିଲା । ମହର୍ଷି ବ୍ୟାସ ନାରଦ ମୁନିଙ୍କୁ ପାଖରେ ଦେଖି ଖୁବ୍‌ ପ୍ରସନ୍ନ ହେଲେ ।
ନାରଦ ମହର୍ଷି ବ୍ୟାସଙ୍କୁ କୁଶଳ ସମାଚାର ପଚାରିଲେ । ତା’ପରେ ବ୍ୟାସଜୀ ହାତ ଯୋଡ଼ି କହିଲେ, ସବୁ ଭଲ । ଆଜି ଗଙ୍ଗାମାତା ଅତି ଶାନ୍ତ । ଏହି କାରଣରୁ ଗଙ୍ଗା ଦୁଇ ଜଣ ମହାନ୍‌ ସନ୍ଥଙ୍କୁ ତାଙ୍କ ତଟରେ ଏକାଠି କରିଛନ୍ତି । ଦେବର୍ଷି ଓ ମହର୍ଷିଙ୍କ ମଧୁର ମିଳନ ହୋଇଛି ।
ହଠାତ୍‌ ନାରଦ ପ୍ରଶ୍ନ କରିଲେ, ‘‘ ମହର୍ଷି , ଆପଣଙ୍କ ମୁଖ ମଣ୍ଡଳକୁ ଦେଖିଲେ ଲାଗୁଛି, ସତେ ଯେମିତି ଆପଣ ଚିନ୍ତିତ ଅଛନ୍ତି । ଆପଣଙ୍କର କି ଚିନ୍ତା ରହିଛି? ‘‘ ମହର୍ଷି ବ୍ୟାସଦେବ କହିଲେ, ’’ ଦେବର୍ଷି ! ଆପଣ ତ ସୂଯ୍ୟର୍ଙ୍କ ପରି ତିନି ଲୋକ ଭ୍ରମଣ କରୁଛନ୍ତି ଏବଂ ଯୋଗବଳରେ ପ୍ରାଣବାୟୁସମ ସମସ୍ତଙ୍କ ଭିତରେ ରହିଛନ୍ତି । ଯୋଗାନୁଷ୍ଠାନ ଓ ନିୟମ ପାଳନ ଦ୍ୱାରା ପରଂବ୍ରହ୍ମ ଓ ଶଦ୍ଦବ୍ରହ୍ମ ଉଭୟର ପ୍ରାପ୍ତି କରିବାରେ ମୁଁ ଅକ୍ଷମ, କୃପା ପୂର୍ବକ ମୋତେ ଏହାର ରାସ୍ତା ବତାନ୍ତୁ ।
ନାରଦ କହିଲେ, ‘‘ ମହର୍ଷି ଆପଣଙ୍କ ଭଳି ମହାନ୍‌ ଜ୍ଞାନୀ ଓ ବୁଦ୍ଧି ତଥା ଜଗଦ୍‌ଗୁରୁ ମୋତେ ପ୍ରଶଂସା କରି ଲଜ୍ଜିତ କରନ୍ତୁ ନାହିଁ । ଆପଣ ତ ସ୍ୱୟଂ ଭଗବାନଙ୍କ ସ୍ୱରୂପ ଅଟନ୍ତି , କିନ୍ତୁ ଆପଣ ନିଜର ସାମାନ୍ୟତ୍ରୁଟି ଲାଗି ଏଥିରୁ ସକ୍ଷମ ହୋଇ ପାରିନାହାଁନ୍ତି । ମହର୍ଷି ନିଜର ତ୍ରୁଟି ସଂପର୍କରେ ଜାଣିବାକୁ ଚାହିଁଲେ । ନାରଦ କହିଲେ ଯେ ପରଂବ୍ରହ୍ମ ପ୍ରାପ୍ତି ନିମିତ୍ତ ଶ୍ରୀକୃଷ୍ଣ ପ୍ରେମର ବଡ଼ ଆବଶ୍ୟକତା ରହିଛି । ଆପଣ କେବଳ କର୍ମ ଯୋଗ ଓ ଜ୍ଞାନ ଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ପରମାତ୍ମାଙ୍କ ପ୍ରତି ନିଜର ପ୍ରେମଭାବକୁ ଦର୍ଶାଇ ନାହାଁନ୍ତି । ପ୍ରେମ ବିନା ଜ୍ଞାନ ର ବା କି ମୂଲ୍ୟ?
କର୍ମଯୋଗୀ ମଧ୍ୟ ପ୍ରଭୁ-ପ୍ରେମୀ ହୋଇଥାଏ । ପ୍ରେମ ଥିଲେ ଜ୍ଞାନର ଆବଶ୍ୟକତା ନାହିଁ । ଯିଏ ଶ୍ରୀକୃଷ୍ଣଙ୍କୁ ଯେତେ ଅଧିକ ପ୍ରେମ କରିବ, ତା’ପ୍ରତି ଭଗବତ୍‌ କୃପା, ସେତେ ବରଷିବ । ପୁତନା ଭଗବାନଙ୍କୁ ବିଷ ଦେଲା, କିନ୍ତୁ ଶ୍ରୀକୃଷ୍ଣ ତାକୁ ବାସନା ରହିତ କରିଦେଲେ । ଶ୍ରୀକୃଷ୍ଣ ଲୀଳା ରେ କେବଳ ପ୍ରେମ ହିଁ ପ୍ରେମ ଅଛି ।

photo- en.wikipedia.org

ନାରଦ କହନ୍ତି ଯେ ପୂର୍ବ ଜନ୍ମରେ ସେ ଜଣେ ଦାସୀ ପୁତ୍ର ଥିଲେ । ତାଙ୍କର ଆଚାର ବିଚାର ଜ୍ଞାନ ଥିଲା । ସେ ସନ୍ଥସେବା କରିଲେ ଓ ଶ୍ରୀୟା କଥା ଶୁଣିଲେ । ତା’ପରେ ଗୁରୁଦେବଙ୍କ କୃପା ହେଲା ଓ ଭକ୍ତି ମାର୍ଗର ପଥିକ ହେଲେ । ଅତଏବ ମହର୍ଷି ବ୍ୟାସଦେବଙ୍କୁ ଈଶ୍ୱର ପ୍ରେମ କରିବା ପାଇଁ ପରାମର୍ଶ ଦେଲେ ନାରଦ ।

ସମ୍ବନ୍ଧିତ ଖବର