‘ଦେବୀ ମାହାତ୍ମ୍ୟ’ର ଏକାଦଶ ଅଧ୍ୟାୟରେ ଅଛି ଦେବୀ ଦୁର୍ଗାଙ୍କର ଏକ ସୁନ୍ଦର ସ୍ତୁତି। ସେହି ସ୍ତୁତିଟି ହେଉଛି- “ସର୍ବ ମଙ୍ଗଲ ମାଙ୍ଗଲ୍ୟେ ଶିବେ ସର୍ବାର୍ଥସାଧିକେ। ଶରଣ୍ୟେ ତ୍ର୍ୟମ୍ବକେ ଗୌରି ନାରାୟଣି ନମୋଽସ୍ତୁ ତେ।” ଏହି ସ୍ତୁତିର ଦୁଇଟି ସମ୍ବୋଧନ- ‘ଶିବେ’ ଓ ‘ନାରାୟଣି’ ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେ ଶିବପତ୍ନୀ, ତେଣୁ ‘ଶିବେ’। କିନ୍ତୁ ତାଙ୍କୁ କାହିଁକି କୁହାଯାଇଛି ‘ନାରାୟଣି’?
ଏ ସଂପର୍କରେ କୁହାଯାଏ- ସେ ଶିବଙ୍କର ଶକ୍ତି ହେଲେ ମଧ୍ୟ ବୈଷ୍ଣବୀ ଭାବେ ନାରାୟଣଙ୍କର ମଧ୍ୟ ଶକ୍ତି। ‘ମାର୍କଣ୍ଡେୟ ପୁରାଣ’ରେ ମଧ୍ୟ ତାଙ୍କୁ କୁହାଯାଇଛି ‘ବିଷ୍ଣୁମାୟା’। କିନ୍ତୁ ଏହାର ଆଉ ଏକ ସୁନ୍ଦର ସଂପର୍କ ମିଳେ ‘କଥାସରିତ ସାଗର’ରୁ। ଶିବବିବାହ ଉତ୍ସବ ଶୀତଳଷଷ୍ଠୀ ଅବସରରେ ଏହା ଆମର ପ୍ରଣିଧାନ ଯୋଗ୍ୟ।
ଦିନେ ମହାଦେବଙ୍କୁ ଏକାକୀ ଦେଖି ପାର୍ବତୀ ତାଙ୍କଠାରୁ କଥା ଶୁଣିବାପାଇଁ ଆଗ୍ରହ ପ୍ରକାଶ କଲେ। ତାହା ଶୁଣି ଶିବ କହିଲେ- “ପ୍ରିୟେ! ଆଗତ ଭବିଷ୍ୟତର କେଉଁକଥା ଅବା ତୁମର ଅଜ୍ଞାତ ଯେ ପୁଣି ଏକ ନୂଆକଥା ଶୁଣିବାପାଇଁ ତୁମ ମନରେ ବାସନା ଜାଗ୍ରତ ହୋଇଛି?” କିନ୍ତୁ, ତାହା ସତ୍ତ୍ୱେ ପାର୍ବତୀ କଥା ଶୁଣିବାପାଇଁ ନିବେଦନ କଲେ ଏବଂ ଶିବ ତାଙ୍କୁ କଥା ଶୁଣାଇଲେ।
‘କଥାସରିତ ସାଗର’ ସଂସ୍କୃତ ଭାଷାର କଥାଗ୍ରନ୍ଥମାନଙ୍କ ମଧ୍ୟରେ ସର୍ବବୃହତ୍। ଏହାର ରଚୟିତା କାଶ୍ମୀରର ମହାକବି ସୋମଦେବ ଭଟ୍ଟ। ଏହାର ପ୍ରେରଣା ଓ ଆଧାର ହେଉଛି ଗୁଣାଢ଼୍ୟଙ୍କ ‘ବୃହତ୍କଥା’।
‘କଥାସରିତ ସାଗର’ର ପ୍ରଥମ ଲମ୍ବକ (ତରଙ୍ଗ)ରେ ଦେବୀ ପାର୍ବତୀଙ୍କର ପୂର୍ବଜନ୍ମ ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ସେହି ପ୍ରସଙ୍ଗରେ ସେ କିପରି ଶିବପତ୍ନୀ ଓ ନାରାୟଣୀ ସେ କଥା ଆସିଛି।
ଦିନେ ମହାଦେବଙ୍କୁ ଏକାକୀ ଦେଖି ପାର୍ବତୀ ତାଙ୍କଠାରୁ କଥା ଶୁଣିବାପାଇଁ ଆଗ୍ରହ ପ୍ରକାଶ କଲେ। ତାହା ଶୁଣି ଶିବ କହିଲେ- “ପ୍ରିୟେ! ଆଗତ ଭବିଷ୍ୟତର କେଉଁକଥା ଅବା ତୁମର ଅଜ୍ଞାତ ଯେ ପୁଣି ଏକ ନୂଆକଥା ଶୁଣିବାପାଇଁ ତୁମ ମନରେ ବାସନା ଜାଗ୍ରତ ହୋଇଛି?” କିନ୍ତୁ, ତାହା ସତ୍ତ୍ୱେ ପାର୍ବତୀ କଥା ଶୁଣିବାପାଇଁ ନିବେଦନ କଲେ ଏବଂ ଶିବ ତାଙ୍କୁ କଥା ଶୁଣାଇଲେ।
ଶିବ କହିଲେ- ଥରେ ବ୍ରହ୍ମା ଓ ବିଷ୍ଣୁ ତାଙ୍କର ଦର୍ଶନ ପାଇଁ ଇଚ୍ଛା କରି ସାରା ଜଗତ୍ ଘୂରି ଆସିଲେ ମଧ୍ୟ ତାଙ୍କର ଦର୍ଶନ ପାଇଲେ ନାହିଁ। ଶେଷରେ ହିମାଳୟର ପାଦଦେଶରେ ଏକ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ; ମାତ୍ର ତାହାର ଆଦି ଅନ୍ତ ପାଇଲେ ନାହିଁ। ତେଣୁ ଶିବଙ୍କୁ ତପସ୍ୟା କରି ତାଙ୍କର ଦର୍ଶନ ପାଇଲେ। ସେହି ସମୟରେ ବିଷ୍ଣୁ ଧୀର ଓ ନମ୍ର ଭାବରେ ଇଚ୍ଛା ପ୍ରକାଶ କଲେ ଯେ ସେ ଶିବଙ୍କର ସେବକ ହେବାକୁ ଚାହାନ୍ତି। ତାହା ଶୁଣି ଶିବ ସନ୍ତୁଷ୍ଟ ହୋଇ ସେଥିରେ ସମ୍ମତି ପ୍ରକାଶ କଲେ। ଫଳରେ କାୟାର ଛାୟା ପରି, ବିଷ୍ଣୁ ପାର୍ବତୀଙ୍କ ରୂପ ଧରି ପତ୍ନୀ ଭାବରେ ତାଙ୍କର ସେବା କରିବାର ସୁଯୋଗ ଲାଭ କଲେ। ଏହା କହିବା ସହିତ ଶିବ ପାର୍ବତୀଙ୍କୁ କହିଛନ୍ତି- “ମୁଁ ନିଜେ ଶକ୍ତିମାନ ଏବଂ ନାରାୟଣ ମୋର ଶକ୍ତି।” ଏଣୁ ଶିବବିବାହ ଉତ୍ସବର ଶୁଭ ଅବସରରେ ସେହି ନାରାୟଣୀଙ୍କୁ ଆମର ପ୍ରଣାମ।