ଆଜିର ପୁରୁଷପ୍ରଧାନ ସମାଜରେ ଅନେକ ମହିଳା ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଭଳି କିଛି ସଫଳ ମହିଳାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓ କୃତିତ୍ୱ ସମ୍ପର୍କରେ ଉପସ୍ଥାପନା
ଟେସୀ ଥୋମାସ୍
ପୁରୁଷ ପ୍ରାଧାନ୍ୟ କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମହିଳାଙ୍କ ମଧ୍ୟରେ ଟେସୀ ଥୋମାସ୍ ଅନ୍ୟତମ। ଭାରତୀୟ କ୍ଷେପଣାସ୍ତ୍ର ପ୍ରକଳ୍ପର ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ଟେସୀ ଭାରତର ପ୍ରଥମ ମହିଳା। ‘ମିଜାଇଲ୍ ଓମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ସେ ପ୍ରସିଦ୍ଧ। ଅଗ୍ନି-୩ କ୍ଷେପଣାସ୍ତ୍ର ପ୍ରକଳ୍ପରେ ସହଯୋଗୀ ପ୍ରକଳ୍ପ ନିର୍ଦେଶିକା ଭାବେ କାର୍ଯ୍ୟ କରି ସଫଳତା ଅର୍ଜନ କରିଥିଲେ। କେରଳରେ ତାଙ୍କର ଜନ୍ମ। ଟେସୀଙ୍କ ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା ୧୯୮୮ରେ। ଡିଆର୍ଡିଓରେ ନିଉ ଜେନେରେସନ୍ ବାଲିଷ୍ଟିକ୍ ମିଜାଇଲ୍, ‘ଅଗ୍ନି’ର ଡିଜାଇନ୍ ଏବଂ ଡେଭେଲପ୍ମ୍ୟାଣ୍ଟ୍ ବିଭାଗରେ କାର୍ଯ୍ୟ କରିବା ପରେ, ଆଉ ପଛକୁ ଫେରି ଚାହିଁ ନ ଥିଲେ। ନିଜ ପରିବାରର ଯତ୍ନ ନେବା ସହିତ ସେ ବୃତ୍ତିଗତ ଜୀବନରେ ବି ସଫଳତାର ଶୀର୍ଷ ଛୁଇଁ ପାରିଛନ୍ତି।
କନିକା ଟେକ୍ରିଓ୍ଵାଲ୍
ବିମାନ ଶିଳ୍ପ ଜଗତ୍ର ଏକ ଜଣାଶୁଣା ନାଁ କନିକା ଟେକ୍ରିଓ୍ଵାଲ୍। ଭାରତର ବୃହତ୍ତମ ଘରୋଇ ବିମାନ ଶିଳ୍ପ ‘ଜେଟ୍ସେଟ୍ଗୋ’ର ସେ ପ୍ରତିଷ୍ଠାତ୍ରୀ। ତାଙ୍କ କମ୍ପାନିର ଚବିଶଟି ବିମାନ ଏବେ ଦେଶ ବିଦେଶର ଯାତ୍ରୀଙ୍କ ସେବାରେ ନିୟୋଜିତ। କନିକା ଜଣେ କର୍କଟ ବ୍ୟାଧିକୁ ଜିଣିଥିବା ମହିଳା। ସେ ଅତ୍ୟନ୍ତ ଦୃଢ଼ମନା। ପ୍ରତିଦିନ ସେ କୋଡ଼ିଏ ଘଣ୍ଟା ଧରି କାମ କରିଥାନ୍ତି। ଲଣ୍ଡନ୍ର କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟରୁ ବ୍ୟବସାୟ ପରିଚାଳନାରେ ସେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ। କଠିନ ପରିଶ୍ରମ ବଳରେ କନିକା ଆଜି ଜଣେ ସଫଳ ଶିଳ୍ପୋଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଗଲା ବର୍ଷ ଫୋର୍ବସ୍ ପତ୍ରିକାରେ ପ୍ରକାଶିତ ଏସିଆର ଶ୍ରେଷ୍ଠ ତିରିଶ ତାଲିକାରେ କନିକାଙ୍କ ନାଁ ସ୍ଥାନିତ ହୋଇଥିଲା।
ହର୍ଷିନୀ କାହ୍ନେକର
ନିଆଁ ଲିଭାଇବା ଭଳି ଅତ୍ୟନ୍ତ କଷ୍ଟକର ତଥା ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିବା ପୁରୁଷମାନଙ୍କ ଗଡ଼ରେ ପ୍ରବେଶ କରି ଇତିହାସ ରଚିଥିଲେ ହର୍ଷିନୀ କାହ୍ନେକର। ନାଗପୁରର ନ୍ୟାସନାଲ୍ ଫାୟାର୍ ସର୍ଭିସ୍ କଲେଜ୍ରୁ ଉତ୍ତୀର୍ଣ୍ଣ ପରେ ୨୦୦୬ରୁ ଏହାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ସାହସିନୀ ହର୍ଷିନୀ ଭାରତର ପ୍ରଥମ ମହିଳା ଫାୟାର୍ ଫାଇଟର୍। ଜୀବନରେ ଦୁଃସାହସିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାକୁ ସେ ଭଲ ପାଆନ୍ତି ଏବଂ ନିଆଁ ଲିଭା କାର୍ଯ୍ୟକୁ ଏକ ଆହ୍ଵାନ ଭାବେ ଗ୍ରହଣ କରିଥିବା ସେ କହନ୍ତି।
ଦିବ୍ୟାଓ୍ଵାତୀ
୨୦୦୭ରୁ ଛତିଶଗଡ଼ ପୁଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ଦିବ୍ୟାଓ୍ଵାତୀ ଜଣେ ଦକ୍ଷ ମହିଳା କମାଣ୍ଡୋ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ କଂକର ଜିଲ୍ଲା ଅନ୍ତର୍ଗତ ମାଓବାଦୀ ପ୍ରବଣ ମାର୍ପାଇଠାରେ ଅବସ୍ଥାପିତ। ଏଥିପାଇଁ ତାଙ୍କୁ ଦିନରାତି ଜଙ୍ଗଲରେ ରହିବାକୁ ପଡ଼େ। ଗାଁ ଲୋକଙ୍କ ସହିତ ସବୁବେଳେ ସେ ଯୋଗାଯୋଗରେ ରହିଥାନ୍ତି। ଜୀବନକୁ ପାଣି ଛଡ଼ାଇ ଲୋକଙ୍କ ଜୀବନ ସୁରକ୍ଷାର ଭାର ସମ୍ଭାଳୁଥିବା ଦିବ୍ୟଓ୍ଵାତୀ ନାରୀ ଶକ୍ତିର ଜଣେ ଅନନ୍ୟ ଦୃଷ୍ଟାନ୍ତ।