ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ଚନ୍ଦ୍ର ଅଭିମୁଖେ ଏକ ମାନବବାହୀ ମହାକାଶ ଯାନ ପ୍ରେରଣ କରିବାକୁ ସମସ୍ତ ପ୍ରସ୍ତୁତି ଜାରି ରଖିଛି। ଏହାର ବିଶେଷତ୍ବ ହେଲା, ୫୦ ବର୍ଷ ପରେ ପ୍ରଥମ ଥର ଲାଗି ଚନ୍ଦ୍ର ଚାରିପାଖରେ ଚାରି ଜଣ ମହାକାଶଚାରୀଙ୍କୁ ପରିକ୍ରମା କରାଇବାର ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଶେଷ ଥର ଲାଗି ୧୯୭୨ ମସିହା ଡିସେମ୍ବରରେ ‘ନାସା’ର ‘ଆପୋଲୋ ୧୭’ ଅଭିଯାନରେ ଦୁଇ ଜଣ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ। 

Advertisment

ଆସନ୍ତା ବର୍ଷ ପ୍ରାରମ୍ଭରେ ‘ନାସା’ର ଏହି ଈପ୍‌ସିତ ଅଭିଯାନ ତାହାକୁ ପୁଣି ଥରେ ଆରମ୍ଭ ହୋଇଥିବା ଦ୍ବିତୀୟ ମହାକାଶ ଦୌଡ଼ରେ ବିଜୟୀ କରାଇବା ସହ ଚନ୍ଦ୍ର ଅଭିଯାନ ଇତିହାସରେ ଆଗ ଧାଡ଼ି ଆସନରେ ବସାଇବ ବୋଲି ନାସା ଦାବି କରିଛି। କାରଣ ଚନ୍ଦ୍ର ପୃଷ୍ଠରେ ମାନବ ବସତି ସ୍ଥାପନ ପାଇଁ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି ଅବସରରେ ଚୀନ ନିଜର ମହାକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ରୋବୋଟିକ୍ ମହାକାଶଯାନ ଅବତରଣ କରାଇଛି। ଏଥି ସହିତ ଏହା ଏକ ରକେଟ୍ ମଧ୍ୟ ପରୀକ୍ଷଣ କରୁଛି ଯାହା ୨୦୩୦ ସୁଦ୍ଧା ଚନ୍ଦ୍ର ପୃଷ୍ଠକୁ ଏକ ମାନବ ଅଭିଯାନ ପଠାଇବ ବୋଲି ଆଶା କରାଯାଉଛି। 

ପାଞ୍ଚ ଦଶନ୍ଧି ପରେ ପୁଣି ଥରେ ଚନ୍ଦ୍ରକୁ ପହଞ୍ଚିବାରେ ମହାକାଶ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆମେରିକା ଏଥର ମଧ୍ୟ ପ୍ରଥମ ହେବା ଲାଗି ଜୋରଦାର ପ୍ରସ୍ତତି ଚଳାଇଛି

‘ନାସା’ର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ କହିବାନୁସାରେ, ପୂର୍ବରୁ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଏହାର ଆର୍ଟେମିସ୍ ମହାକାଶଯାନ ଚନ୍ଦ୍ର ପ୍ରଦକ୍ଷିଣ କାର୍ଯ୍ୟକ୍ରମର ପ୍ରଥମ କ୍ରୁ ଉଡ଼ାଣ ପାଇଁ ଯୋଜନା ଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ପ୍ରସ୍ତୁତି ଆଗେଇ ଯାଇଥିବାରୁ ‘ନାସା’ ଦୁଇ ମାସ ଆଗୁଆ ଉଡ଼ାଣ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। ଉକ୍ତ ୧୦-ଦିନିଆ ଅଭିଯାନ ମହାକାଶ ଅଭିଯାନରେ ଏକ ମାଇଲଖୁଣ୍ଟ ହେବ, ଯେଉଁଥିରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡୀୟ ମହାକାଶଚାରୀ ସାମିଲ ହେବେ। 

ଉଲ୍ଲେଖଥାଉ କି, ୨୦୨୨ ମସିହାରେ ନାସାର ପ୍ରଥମ ମାନବବିହୀନ ଉଡ଼ାଣ ପରୀକ୍ଷଣ ବେଳେ ମହାକାଶଯାନର ତାପପ୍ରତିରୋଧୀ ବାହ୍ୟ ଆବରଣରେ ସମସ୍ୟା ଦେଖାଦେବାରୁ ଏହି ଅଭିଯାନ ବିଳମ୍ବିତ ହୋଇଥିଲା। ସେ ସଂକ୍ରାନ୍ତ ସଂଶୋଧନ ଏବେ ସମ୍ପୂର୍ଣ୍ଣ ହୋଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ କ୍ୟାପସୁଲକୁ ରକେଟ୍ ସହ ଯୋଡ଼ାଯିବ। ତା’ପରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ମହାକାଶଯାନ ଆର୍ଟେମିସ୍‌କୁ ଉତ୍‌କ୍ଷେପଣ କରାଯିବ। ତାହା ୫,୦୦୦ ମାଇଲ୍ ଦୂରତାରେ ଚନ୍ଦ୍ରକୁ ପରିକ୍ରମା କରି ୧୦ ଦିନରେ ଭୂପୃଷ୍ଠକୁ ଫେରି ଆସିବ। ଏହା ସଫଳ ହେଲେ ନାସା  ୨୦୨୭ ମସିହାରେ ତୃତୀୟ ଆର୍ଟେମିସ୍ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛି, ଯେଉଁଥିରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ ଏବଂ ମାନବ ବସତି ସ୍ଥାପନା ପାଇଁ ପ୍ରସ୍ତୁତି କରିବେ।