ନାସା ତିଆରି କରିବ ଗ୍ରହାଣୁ ଚିହ୍ନଟକାରୀ ଟେଲିସ୍କୋପ୍‌ : ଏହି ଟେଲିସ୍କୋପ୍‌ ଦ୍ୱାରା ଗ୍ରହାଣୁଗୁଡ଼ିକୁ ଚିହ୍ନଟ ସମ୍ଭବ ହୋଇପାରିବ ଏବ˚ ସେଗୁଡ଼ିକ ଭୂପୃଷ୍ଠକୁ ଖସିବା ପୂର୍ବରୁ ନିଆଯାଇପାରିବ ସତର୍କତାମୂଳକ ପଦକ୍ଷେପ

ଗ୍ରହାଣୁର ଆକାର ଓ ଆକୃତି, ଗ୍ରହ ଠାରୁ ଖୁବ୍‌ ଛୋଟ ଏବ˚ ଏଗୁଡ଼ିକ ମଧ୍ୟ ଗ୍ରହ ଭଳି ଆମ ସୌରମଣ୍ତଳକୁ ପରିକ୍ରମା କରିଥାନ୍ତି। ଆକାରରେ କ୍ଷୁଦ୍ର ହେଲେ ହେଁ କୌଣସି କାରଣରୁ ଏଗୁଡ଼ିକ ଅନ୍ତରୀକ୍ଷରୁ ଖସିପଡ଼ିଲେ, ପୃଥିବୀ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୁଏ। ପୂର୍ବରୁ ମଧ୍ୟ ଏମିତି କେତୋଟି ଅଘଟଣର ନଜିର ରହିଛି। ଭବିଷ୍ୟତ୍‌ରେ ଏଭଳି ବିପଦର ମୁକାବିଲା ସକାଶେ ଆମେରିକାର ଜାତୀୟ ମହାକାଶ ଗବେଷଣା ସ˚ସ୍ଥା(ନାସା) ଏକ ନୂଆ ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା କରୁଛି। ‘ନିଓକ୍ୟାମ୍‌’ ଭାବେ ନାମିତ ଏହି ପ୍ରକଳ୍ପ ଅଧୀନରେ ଗୋଟିଏ ମହାକାଶଯାନ ଓ ଅତି ସୂକ୍ଷ୍ମ ଏବଂ ଶକ୍ତିଶାଳୀ ଅନ୍ତରୀକ୍ଷ ଟେଲିସ୍କୋପ୍‌ ତିଆରି ହେବ। ଖର୍ଚ୍ଚ ହେବ ପାଞ୍ଚ ଶହରୁ ଛଅ ଶହ ନିୟୁତ ଡଲାର ଅର୍ଥରାଶି। ମହାକାଶଯାନର ଓଜନ ରହିବ ୨.୫ ଟନ୍‌ରୁ କମ୍‌ ଏବ˚ ଏଥିରେ ମାତ୍ର ପଚାଶ ସେଣ୍ଟିମିଟର‌୍‌ ଆୟତନବିଶିଷ୍ଟ ଟେଲିସ୍କୋପ୍‌ ଖଞ୍ଜାଯିବ। ଏହି ଟେଲିସ୍କୋପ୍‌ ଦ୍ବାରା ଗ୍ରହାଣୁଗୁଡ଼ିକୁ ଚିହ୍ନଟ ସମ୍ଭବ ହୋଇପାରିବ ଏବ˚ ସେଗୁଡ଼ିକ ଭୂପୃଷ୍ଠକୁ ଖସିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ। ଏହି ଯାନକୁ ୨୦୨୫ରେ ମହାକାଶକୁ ଛଡ଼ାଯିବ।

ସମ୍ବନ୍ଧିତ ଖବର