ଜଣେ ମହିଳାଙ୍କର ବାରମ୍ବାର ଗର୍ଭ ନଷ୍ଟ ହେଉଥିଲା। ତାଙ୍କର ମନେହେଉଥିଲା, ଗର୍ଭରେ ସେ ହରାଉଥିବା ପିଲା ସହିତ ଯେମିତି ତାଙ୍କ ନିଜ ଶରୀରର କିଛି ଅଂଶ ମରିଯାଉଛି। ପରିବାର ଲୋକଙ୍କ କଟୁକ୍ତି ତାଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟକୁ ଭୀଷଣ ପ୍ରଭାବିତ କରୁଥିଲା। ଶେଷରେ ସେ ଗର୍ଭନଷ୍ଟ ହେବାର କାରଣ ଜାଣିବା ଲାଗି ଡାକ୍ତରୀ ସହାୟତା ଲୋଡ଼ିଲେ। ଅର୍ଥାତ୍ ତାଙ୍କ ଶରୀରରେ କି ଅସୁବିଧା ହେଉଥିବାରୁ ଗର୍ଭନଷ୍ଟ ହୋଇଯାଉଛି ତାହା ନିର୍ଦ୍ଧାରଣ କରିବାକୁ ଚାହିଁଲେ। ବିଶେଷଜ୍ଞମାନେ ତାଙ୍କୁ ‘ଡିଏନ୍ଏ ଟେଷ୍ଟ୍’ କରାଇବାକୁ ପରାମର୍ଶ ଦେଲେ। ଫଳାଫଳରୁ ଜଣାପଡ଼ିଲା, ତାଙ୍କ ଶରୀରରେ ଥିବା ଏକ ଜିନ୍ର ରୂପାନ୍ତରଣ ଗର୍ଭରେ ଥିବା ଭ୍ରୂଣକୁ ପ୍ରଭାବିତ କରୁଛି। ବାସ୍ତବ କାରଣ ଜଣାପଡ଼ିବା ପରେ ପରବର୍ତ୍ତୀ ଗର୍ଭ ବେଳକୁ ତଦନୁଯାୟୀ ଚିକିତ୍ସା ବ୍ୟବସ୍ଥା କରାଯିବାରୁ ଆଉ ଗର୍ଭ ନଷ୍ଟ ହେଲାନାହିଁ। କେବଳ ଏହି ମହିଳା ନୁହନ୍ତି, ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଥିବା ବହୁ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ‘ଡିଏନ୍ଏ ଟେଷ୍ଟ୍’ରୁ ପ୍ରାପ୍ତ ଫଳାଫଳ ଅନୁଯାୟୀ ଚିକିତ୍ସିତ ହୋଇ ଉପକୃତ ହେଉଛନ୍ତି। ସାଧାରଣ ଭାବେ ଧାରଣା ରହିଛି ଯେ ଡିଏନ୍ଏ ଟେଷ୍ଟ କେବଳ ସନ୍ତାନର ପିତୃତ୍ବ ନିର୍ଦ୍ଧାରଣ ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହା ବାଦ୍ ଶାରୀରିକ ପରିଚାଳନାରେ ଡିଏନ୍ଏର ରହିଛି ଅନେକ ଗୁରୁତ୍ବ।
ଗୋଟାଏ ଜିନ୍ ବା ଗୁଣସୂତ୍ରର ‘ଡିଏନ୍ଏ’ କ୍ରମାନ୍ବୟତା ହେଉଛି ଏକ ‘କୋଡ୍’, ଯାହା ପ୍ରୋଟିନ୍ ବା ପୁଷ୍ଟିସାର ପ୍ରସ୍ତୁତ କରିବା ଲାଗି ସମସ୍ତ ଜୀବକୋଷକୁ ନିର୍ଦ୍ଦେଶ ଦିଏ। ଏହି ପ୍ରୋଟିନ୍ ହିଁ ସମସ୍ତ ଶାରୀରିକ କ୍ରିୟାକଳାପକୁ ପ୍ରଭାବିତ କରିଥାଏ।
ଗୋଟାଏ ଜିନ୍ ବା ଗୁଣସୂତ୍ରର ‘ଡିଏନ୍ଏ’ କ୍ରମନ୍ବୟତା ହେଉଛି ଏକ ‘କୋଡ୍’, ଯାହା ପ୍ରୋଟିନ୍ ବା ପୁଷ୍ଟିସାର ପ୍ରସ୍ତୁତ କରିବା ଲାଗି ସମସ୍ତ ଜୀବକୋଷକୁ ନିର୍ଦ୍ଦେଶ ଦିଏ। ଏହି ପ୍ରୋଟିନ୍ ହିଁ ସମସ୍ତ ଶାରୀରିକ କ୍ରିୟାକଳାପକୁ ପ୍ରଭାବିତ କରିଥାଏ। ତେଣୁ, ‘ଡିଏନ୍ଏ କ୍ରମାନ୍ବୟତା’ରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ତାହା ନିର୍ଦ୍ଦିଷ୍ଟ ପ୍ରୋଟିନ୍ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଶରୀର ରୋଗାକ୍ରାନ୍ତ ହେବାର ଆଶଙ୍କା ଉପୁଜିଥାଏ। ଜୀବ ଶରୀରରେ ‘ଡିଏନ୍ଏ’ ଗୁରୁତ୍ବ କଥା ୧୯୫୦ ଦଶକର ଆଦ୍ୟଭାଗରେ ଜଣାପଡ଼ିଥିଲା। ୧୯୫୩ରେ ଜୀବ ବିଜ୍ଞାନୀ ଓ ବୈଜ୍ଞାନିକ ଜେମ୍ସ୍ ୱାଟ୍ସନ୍, ମାର୍କକୁଇସ୍ ୱିଲକିନ୍ସ୍ ଓ ଫ୍ରାଙ୍କ୍ସିସ୍ କ୍ରିକ୍ ‘ଡିଏନ୍ଏ’ର ଢାଞ୍ଚା ଉପରେ ଏକ ନିବନ୍ଧ ବିଜ୍ଞାନ ପତ୍ରିକା ‘ନେଚର୍’ରେ ପ୍ରକାଶ କରିଥିଲେ। ଏହାଥିଲା ଗୁଣସୂତ୍ର ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କୃତ୍ବିତ୍ବ। ଏଥିପାଇଁ ତିନିହେଁ ପାଇଥିଲେ ନୋବେଲ୍ ପୁରସ୍କାର। ‘ଡିଅକ୍ସିରିବୋନ୍ୟୁକ୍ଲିସ୍ ଏସିଡ୍’ ବା ସଂକ୍ଷେପରେ ‘ଡିଏନ୍ଏ’ କୁହାଯାଉଥିବା ମିଲିକ୍ୟୁଲ୍ ହେଉଛି ଜୀବର ‘ଜେନେଟିକ୍ କୋଡ୍’ ଧାରଣ କରିଥିବା ଉପାଦାନ। ସେହିପରି, ‘ହ୍ୟୁମାନ୍ ଜିନୋମ୍ ପ୍ରୋଜେକ୍ଟ୍’ ୧୯୯୦ରେ ଆରମ୍ଭ ହୋଇଥିଲା। ଏଥିରେ ‘ହ୍ୟୁମାନ୍ ଜିନୋମ୍’ର ସମସ୍ତ ଜିନ୍ ଚିହ୍ନଟ କରି ମାନବ ‘ଡିଏନ୍ଏ’ ନିର୍ମିତ ହୋଇଥିବା ମୂଳ ଯୋଡ଼ି ନିର୍ଦ୍ଧାରଣ କରିବା ଲାଗି ବିଶ୍ବବ୍ୟାପୀ ଅନୁସନ୍ଧାନ ଚଳାଇଥିବା ବୈଜ୍ଞାନିକମାନଙ୍କୁ ଏକତ୍ର କରାଯାଇଥିଲା। କିନ୍ତୁ, ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟର ୨ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୩ ଏପ୍ରିଲ୍ ୧୪ରେ ଶେଷ ହୋଇଗଲା। ଡିଏନ୍ଏର ‘ଡବଲ୍-ହେଲିକ୍ସ୍’ ଢାଞ୍ଚା ଆବିଷ୍କାର ହେବାର ଅର୍ଦ୍ଧଶତାବ୍ଦୀ ପୂର୍ତ୍ତି ଓ ହ୍ୟୁମାନ୍ ଜିନୋମ୍ ପ୍ରୋଜେକ୍ଟ୍ର ପରିସମାପ୍ତି ପାଳନ ଲାଗି ୨୦୦୩ ଏପ୍ରିଲ୍ ୨୫କୁ ଆମେରିକା ‘ନ୍ୟାସ୍ନାଲ୍ ଡିଏନ୍ଏ ଡେ’ ବୋଲି ଘୋଷଣା କରିଥିଲା। ଆମେରିକା ଦେଖାଦେଖି ବିଶ୍ବର କେତେକ ସଙ୍ଗଠନ ଓ ଦେଶ ଏହି ଦିନ ଇଣ୍ଟର୍ନ୍ୟାସ୍ନାଲ୍ ଡିଏନ୍ଏ ଡେ’ ପାଳନ କରିବାକୁ ନିଷ୍ପତ୍ତି ନେଲେ। ସେହି କ୍ରମରେ ପ୍ରତିବର୍ଷ ଏପ୍ରିଲ୍ ୨୫ ତାରିଖ ଦିନ ଭାରତରେ ବି ‘ଜାତୀୟ ଡିଏନ୍ଏ ଦିବସ’ ପାଳନ କରାଯାଉଛି।
ଡିଏନ୍ଏ ଦିବସର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକରୁ ଗୋଟିଏ ହେଉଛି ‘ଜିନୋମିକ୍ସ୍’ କ୍ଷେତ୍ରରେ ହେଉଥିବା ସଦ୍ୟତମ ପ୍ରଗତି ସମ୍ବନ୍ଧରେ ଜନସଚେତନତା ବୃଦ୍ଧି କରିବା। ମହାମାରୀ ସମୟରେ ଚାରିଆଡ଼େ ଜେନେଟିକ୍ ପରୀକ୍ଷା ଚାଲିଥିଲା। ସମ୍ପ୍ରତି ଏହି ପରୀକ୍ଷା ରୋଗ ନିଦାନର ପ୍ରମୁଖ କ୍ଷେତ୍ର ପାଲିଟିଛି। ‘ଜେନେଟିକ୍ ଟେଷ୍ଟ୍’ର ଫଳାଫଳ ହିଁ ରୋଗର କାରଣ ଓ ଆଗକୁ ରୋଗୀ ଆଉ କେଉଁ ପ୍ରକାରର ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଛି ତାହା ନିର୍ଦ୍ଧାରଣ କରିବାରେ ଡାକ୍ତରଙ୍କୁ ସହାୟତା କରୁଛି। କୌଣସି ବ୍ୟକ୍ତିବିଶେଷଙ୍କୁ ଆକ୍ରାନ୍ତ କରିଥିବା ରୋଗ ତା’ର ପିଲାଛୁଆଙ୍କୁ ବଂଶାନୁକ୍ରମିକ ଭାବେ ଯିବ କି ନାହିଁ, ତାହା ମଧ୍ୟ ଏହି ପରୀକ୍ଷା ଫଳାଫଳରୁ କୁହାଯାଇ ପାରିବ। ଏହାଛଡ଼ା, ଏ ଫଳାଫଳକୁ ଦେଖି ପୀଡ଼ିତ ବ୍ୟକ୍ତି ଲାଗି ସୁନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିବ। ଏହା ମାନବକୁ ଦୀର୍ଘାୟୁ କରିବା ସହିତ ନିରାମୟ ଜୀବନଯାପନ କରିବାରେ ସହାୟକ ହେବ।