ଆଜିଠାରୁ ଆମ ଦେଶରେ ‘ବନ ମହୋତ୍ସବ ସପ୍ତାହ’ ଆରମ୍ଭ ହୋଇଛି। ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇ ଆସୁଛି। ଗଛ ଛାଇ ଯୋଗାଇବା, ମରୁଡ଼ି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ପହଞ୍ଚାଇବା, ପରିବେଶ ସନ୍ତୁଳନ ଆଣିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି ଓ ମୃତ୍ତିକା କ୍ଷୟ ହ୍ରାସ କରାଇବା ଆଦି ଅଗଣିତ ହିତ ସାଧନ କରିଥାଏ। ‘ଗ୍ଲୋବାଲ୍‌ ଫରେଷ୍ଟ ଵାଚ୍‌’ ସଂଗଠନ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ୨୦୧୯-୨୦ରେ ଭାରତରେ ହାରାହାରି ୩,୮୫,୦୦୦ ହେକ୍ଟର ପରିମିତ କ୍ରାନ୍ତିମଣ୍ଡଳୀୟ ଜଙ୍ଗଲ ହ୍ରାସ ପାଇଛି।

Advertisment

ଗତ ଏକ ଦଶନ୍ଧି ହେଲା କେବଳ ଗଛକଟା ଯୋଗୁଁ ଦେଶର ଜଙ୍ଗଲ ପରିମାଣ ୧୬ ପ୍ରତିଶତ କମି ଆସିଛି। ତେଣୁ ପୂର୍ବାପେକ୍ଷା ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବନ ମହୋତ୍ସବ ପାଳନ ଅନେକ ଗୁରୁତ୍ବ ବହନ କରୁଛି। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ଏହି ସପ୍ତାହରେ ଦେଶର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସର ସମେତ ଘରୋଇ ତଥା ସାର୍ବଜନୀନ ଖାଲି ସ୍ଥାନଗୁଡ଼ିକରେ ବୃକ୍ଷ ଲଗାଯିବାକୁ ପ୍ରୋତ୍ସାହିତ କରାଯାଉଛି।