ପ୍ରତିବର୍ଷ ଆମ ଦେଶରେ ଆଜିର ଦିନକୁ ଜାତୀୟ ନୌବାଣିଜ୍ୟ ଦିବସ ରୂପେ ପାଳନ କରାଯାଇ ଆସୁଛି। ଅତୀତରେ ଭାରତର ବେପାର ଓ ବଣିଜକୁ ବିଶ୍ବ ସ୍ତରରେ ପହଞ୍ଚାଇବା ଲାଗି ସମୁଦ୍ରରେ ମାସ ମାସ ଧରି ସମୟ ବିତାଇଥିବା ସୁଯୋଗ୍ୟ ବଣିକମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ୧୯୬୪ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି। ସୂଚନାଯୋଗ୍ୟ, ସଂପୂର୍ଣ୍ଣ ଭାରତୀୟ କମ୍ପାନି ‘ସିନ୍ଧିଆ ଷ୍ଟିମ୍‌ ନେଭିଗେସନ୍‌ ଲି.’ ଦ୍ବାରା ନିର୍ମିତ ଭାରତର ପ୍ରଥମ ନୌବାଣିଜ୍ୟ ଜାହାଜ ‘ଏସ୍‌ଏସ୍‌ ଲୟାଲ୍‌ଟି’ ପ୍ରଥମ କରି ୧୯୧୯ ମସିହା ଏପ୍ରିଲ ୫ ତାରିଖରେ ବମ୍ବେଠାରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସେତେବେଳେ ସମଗ୍ର ସମୁଦ୍ରପଥ ବ୍ରିଟିଶମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ଭାରତର ସେହି ଜାହାଜ ଚଳାଚଳ ଏକ ଐତିହାସିକ ପଦକ୍ଷେପ ଥିଲା।

Advertisment

ତେଣୁ ସେହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ଲାଗି ନୌବାଣିଜ୍ୟ ଦିବସର ପରିକଳ୍ପନା କରାଯାଇଥିଲା। ସେହିପରି ୧୯୬୪ ଏପ୍ରିଲ ୫ ତାରିଖକୁ ଅନ୍ତର୍ମହାଦେଶୀୟ ବାଣିଜ୍ୟ ଓ ଅର୍ଥନୀତି ସମ୍ପର୍କରେ ବିଶ୍ବସ୍ତରରେ ସଚେତନତା ସୃଷ୍ଟି ପାଇଁ ଚିହ୍ନଟ କରାଯାଇଥିଲା। କୌଣସି ଦେଶର ସାମଗ୍ରିକ ବିକାଶ ଓ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ସୁରକ୍ଷିତ ସାମୁଦ୍ରିକ ଇଲାକା ଓ ସମୁଦ୍ରପଥ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ସ୍ବାଧୀନତା ପରବର୍ତ୍ତୀ କାଳରେ ଆମ ଦେଶରେ ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ସମ୍ପ୍ରତି ଆମ ଦେଶରେ ୭,୫୧୭ କି.ମି. ଦୀର୍ଘ ସମୁଦ୍ରତଟ ରହିଛି। ଭାରତ ବିଶ୍ବର ଷୋଡ଼ଶ ବୃହତ୍ତମ ସାମୁଦ୍ରିକ ଶିଳ୍ପର ମାନ୍ୟତା ରଖିଛି ଏବଂ ଏହାର ୧୨ଟି ପ୍ରମୁଖ ବନ୍ଦର ସମେତ ୨୦୫ଟି ବିଜ୍ଞାପିତ କ୍ଷୁଦ୍ର ଓ ମଧ୍ୟମ ବନ୍ଦର ରହିଛି। ଏହି ଦିବସ ଆମ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା, ନିରାପତ୍ତା ଓ ସଂରକ୍ଷଣର ଅପରିହାର୍ଯ୍ୟତାକୁ ମଧ୍ୟ ସୂଚିତ କରୁଛି।