ଆଜି ଆମ ଦେଶରେ ‘ଜାତୀୟ ଯନ୍ତ୍ରୀ ଦିବସ’ ପାଳନ କରାଯାଉଛି। ସମାଜ ପ୍ରତି ଯନ୍ତ୍ରୀମାନଙ୍କର ଉଲ୍ଲେଖନୀୟ ଉପଲବ୍‌ଧି ଓ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ଅଭିନବ ବିଚାରକୁ ସ୍ବୀକୃତି ଦେବା ଏବଂ ବିଶ୍ବ ଗଠନରେ ସେମାନଙ୍କର ଅପରିହାର୍ଯ୍ୟ ଭୂମିକାକୁ ଉଲ୍ଲେଖ କରିବା ପାଇଁ ଏହି ଦିବସ ଉତ୍ସର୍ଗୀକୃତ। କଠିନ ପାଠପଢ଼ାଠାରୁ ଆରମ୍ଭ କରି ଚାକିରିର ହାଡ଼ଭଙ୍ଗା ପରିଶ୍ରମ ଯାଏ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମନା କରୁଥିବା ଯନ୍ତ୍ରୀମାନଙ୍କ ବିନା ବର୍ତ୍ତମାନର ପୃଥିବୀ ଚାଲିବା ଏକପ୍ରକାର ଅସମ୍ଭବ। ସେମାନଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଅସାଧାରଣ ବୁଦ୍ଧି ଯୋଗୁଁ ଆମେ ଆଜି ଏକ ଆଧୁନିକ ତଥା ଉନ୍ନତ ସମାଜରେ ବାସ କରିବା ସମ୍ଭବ ହୋଇପାରିଛି।

Advertisment

ଦେଶର ବିଭିନ୍ନ ଜଟିଳ ପ୍ରକଳ୍ପର ଜନକ ଭାବେ ବିବେଚିତ ମହାନ୍‌ ଯନ୍ତ୍ରୀ ମୋକ୍ଷଗୁଣ୍ଡମ୍‌ ବିଶ୍ବେଶ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ୧୯୬୮ ମସିହାରୁ ତାଙ୍କ ଜନ୍ମଦିନକୁ ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଇ ଆସୁଛି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ମୁଦ୍ଦେନାହାଲ୍ଲିଠାରେ ୧୮୬୧ ମସିହା ସେପ୍‌ଟେମ୍ବର ୧୫ରେ ଜନ୍ମିତ ସ୍ବର୍ଗତ ବିଶ୍ବେଶ୍ବରାୟ ବିଶେଷ କରି ଦେଶର ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଦ୍ବିତୀୟ ଅବଦାନ ଦେଇଥିଲେ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯନ୍ତ୍ରବିଦ୍ୟା’। ଅର୍ଥାତ୍‌ ଦେଶର ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଦୀର୍ଘକାଳୀନ ସମାଧାନର ପ୍ରୟାସ ରୂପେ ଯନ୍ତ୍ରବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ବାରୋପ କରିବା।