ପ୍ରତି ବର୍ଷ ଆଜିର ଦିନକୁ ସମଗ୍ର ଦେଶରେ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଭାବେ ପାଳନ କରାଯାଉଛି। ସୂଚନାଯୋଗ୍ୟ, କ୍ଷମତାର ବିକେନ୍ଦ୍ରୀକରଣ କରି ତାହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ୧୯୯୨ ମସିହାରେ ସମ୍ବିଧାନର ୭୩ତମ ସଂଶୋଧନ ଅଣାଯାଇ ପଞ୍ଚାୟତିରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା।
ତହିଁ ପରବର୍ଷ ଏପ୍ରିଲ ୨୪ ତାରିଖରେ ତାହା କାର୍ଯ୍ୟକାରୀ ହୋଇଥିଲା। ତେଣୁ ସେହି ଦିନକୁ ସ୍ମରଣ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ବ ଉପଲବ୍ଧି କରିବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଏହି ଦିନ ବିଶେଷ କରି ଜାତୀୟ ସ୍ଥାନୀୟ ସ୍ବୟଂଶାସନ ଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଉତ୍ସବ ପାଳନର ପରିକଳ୍ପନା କରାଯାଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘୋଷଣା କ୍ରମେ ୨୦୧୦ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି। ସାମାଜିକ ନ୍ୟାୟ ଓ ଦକ୍ଷ ସେବା ପ୍ରଦାନ ସହିତ ସମାବେଶୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ସଶକ୍ତୀକରଣ ଓ ଉତ୍ତରଦାୟିତ୍ବର ଲକ୍ଷ୍ୟ ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ କାର୍ଯ୍ୟ କରୁଛି। ଏକ ସୁଦୃଢ଼ ସ୍ଥାନୀୟ ସ୍ବୟଂଶାସନ ହିଁ ଗ୍ରାମୀଣ ଭାରତର ଆତ୍ମନିର୍ଭରଶୀଳତାର ପ୍ରତିବଦ୍ଧତାକୁ ସୁଦୃଢ଼ କରିପାରିବ ଏବଂ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେଇ ଗ୍ରାମୀଣ ଜୀବନକୁ ରୂପାନ୍ତରିତ କରିପାରିବ। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ପଞ୍ଚାୟତଗୁଡ଼ିକର ସଂକଳ୍ପ ସିଦ୍ଧିର ଉତ୍ସବ’। ଅର୍ଥାତ୍ ବିଭିନ୍ନ କ୍ଷେତ୍ରରେ ଗ୍ରାମୀଣ ଆତ୍ମନିର୍ଭରଶୀଳତା ପାଇଁ ପଞ୍ଚାୟତଗୁଡ଼ିକର ଲକ୍ଷ୍ୟକୁ ଏକ ସଂକଳ୍ପ ଭାବରେ ଗ୍ରହଣ କରିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/3-19.jpg)