ଚିଠି ମୋର ଟିକି ଚଢ଼େଇ

ରାଷ୍ଟ୍ରୀୟ ଡାକ ଦିବସ ଅବସରରେ

ଆମ ସଂସ୍କୃତି ଓ ସଭ୍ୟତାରେ ଚିଠିର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଚିଠି ସହ ଯୋଡ଼ି ହୋଇଛି ଅନେକ ମାନବୀୟ ଆବେଗ। ସେଥିପାଇଁ ଆଜି ବି ପୁରୁଣା ଚିଠିଟିଏ ପଢ଼ିବସିଲେ ହୃଦୟରେ ସୃଷ୍ଟି ହୁଏ ରୋମାଞ୍ଚ। ଖେଳିଯାଏ ଏକ ଅପୂର୍ବ ଶିହରଣ।

ଆଜିର ସଂଚାର କ୍ରାନ୍ତି ଓ ଯାନ୍ତ୍ରିକ ବିକାଶ ଚିଠି ବା ଡାକ ପରମ୍ପରାକୁ ଅନେକାଂଶରେ ଗୌଣ କରିଦେଇଛି ସତ, କିନ୍ତୁ ଏକ ଚିଠି ଭିତରେ ଥିବା ଅକ୍ଷରର ମାର୍ମିକ ଅତ୍ମୀୟତା ଆଜି ବି ସତେଜ ରହିଛି। ଚିଠିକୁ ନେଇ କେତେ ଯେ ସାଂସ୍କୃତିକ ବିଭବ ସୃଷ୍ଟି ହୋଇଛି ତାହାର ହିସାବ ନାହିଁ। ଅନେକ ଗୀତ, ଗଜଲ୍‌, ଭଜନ, ସିନେମା କେବଳ ଚିଠିକୁ କେନ୍ଦ୍ର କରି ନିର୍ମିତ ହୋଇଛି। ଆଜି ବି ପଙ୍କଜ ଉଦାସ ଗାଇଥିବା ‘ଚିଠି ଆଇ ହେ’, ଜଗଜିତ୍‌ ସିଂହ ଗାଇଥିବା ‘ଚିଠି ନା କୋଇ ସନ୍ଦେଶ’, ମହମ୍ମଦ ରଫି ଗାଇଥିବା ‘ଲିଖେ ଯୋ ଖତ୍‌ ତୁଝେ’, ‘ହଂସ୍‌ ରାଜ୍‌ ହଂସ୍‌ ଝର’, ‘ପ୍ୟାର ଭରେ ଖତ୍‌’ ବା ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ‘ଚିଠି ମୋର ଟିକି ଚଢ଼େଇ’ ଗୀତ ଶୁଣିଲେ ଆମେ ଅନ୍ୟ ଏକ ଦୁନିଆକୁ ଟାଣି ହୋଇଯାଉ।

ଆମ ଭିତରୁ ଅନେକଙ୍କ ପାଇଁ ଚିଠି କେବଳ ଏକ ସଂଚାର ମାଧ୍ୟମ ନୁହେଁ, ଆଜି ବି ଏହା ଏକ ସୃଜନାତ୍ମକ ଆବେଗ ଓ ମାର୍ମିକ ମାନବୀୟ ସମ୍ବେଦନାର ଉତ୍ସ।

ଅନେକ ଗବେଷକଙ୍କ ମତରେ ଚିଠି ଲେଖିବା ଦ୍ବାରା ଆମ ବ୍ୟକ୍ତିତ୍ବର ବିଭିନ୍ନ ସ୍ତର ବିକଶିତ ହୁଏ, ବିଶେଷକରି ବୌଦ୍ଧିକ ବିକାଶରେ ପତ୍ରଲିଖନ ଅନେକ ସାହାଯ୍ୟ କରେ। ଆମ ଦେଶରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ରାଷ୍ଟ୍ରୀୟ ଡାକ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି, ବିଗତ ୧୫୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷରେ ଆମର ବିକାଶ ଓ ସାମାଜିକ ପ୍ରକ୍ରିୟାରେ ଚିଠିର ଭୂମିକାର ସ୍ମରଣ। ଆମ ଦେଶରେ ଡାକ ବ୍ୟବସ୍ଥାର ଆରମ୍ଭ ଲର୍ଡ ଡେଲହାଉସିଙ୍କ ଦ୍ବାରା ୧୮୫୪ ମସିହାରେ ହୋଇଥିଲା। ବର୍ତ୍ତମାନ ଭାରତର ଡାକ ବ୍ୟବସ୍ଥା ବିଶ୍ବର ଏକ ବୃହତ୍ତମ ଡାକ ବ୍ୟବସ୍ଥା ଭାବେ ପ୍ରତିଷ୍ଠିତ ଓ ପରିଚିତ। ଏହା କେବଳ ପତ୍ର ମଧ୍ୟରେ ସୀମିତ ନାହିଁ, ବରଂ ବୀମା, ସୁରକ୍ଷା, ସଂଚୟ ପାଣ୍ଠି, ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଯୋଜନା, ଅର୍ଥ ବିନିମୟ ଆଦି କ୍ଷେତ୍ରରେ ମଧ୍ୟ ସଫଳତାର ସହ କାର୍ଯ୍ୟରତ।

ବର୍ତ୍ତମାନ ଦେଶରେ ୨୩ଟି ପୋଷ୍ଟାଲ ସର୍କଲ ଏବଂ ଆର୍ମି ପୋଷ୍ଟ ସର୍ଭିସ୍‌କୁ ମିଶାଇ ୯ ଗୋଟି ପୋଷ୍ଟାଲ ଜୋନ୍‌ ରହିଛି। ଆମ ଦେଶରେ ୧୯୭୨ ମସିହାରେ ପିନ୍‌ କୋଡ୍‌ ସିଷ୍ଟମ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି।

ଡକ୍ଟର ଦେବୀଲାଲ ମିଶ୍ର
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର