ଭୁବନେଶ୍ବର: ଚିଠି ମୋର ଟିକି ଚଢେଇ, ଫୁର କିନା ଦେଲି ଉଡେଇ… ଆଜି ବି ଏ ଗୀତ ଆପଣ ଅନେକ ଜାଗାରେ ଶୁଣିବାକୁ ପାଉଥିବେ କିମ୍ବା କିଏ ୟୁଟ୍ୟୁବରେ ହେଉ କି କାହା ରିଲ୍ସରେ ଦେଖିବାକୁ ପାଉଥିବେ । ଏ ଗୀତ ଅଛି ସତ ହେଲେ ଯାହାକୁ ନେଇ ଏ ଗୀତ, ତାର କିନ୍ତୁ ଚାହିଦା କମିବାକୁ ବସିଲାଣି, ଚମକ କମିଲାଣି, ଚିରିବାକୁ ବସିଲାଣି, ହଜିବାକୁ ବସିଲାଣି…

Advertisment

ହଁ ଆଜ୍ଞା ! ଗୋଟେ ସତ କହିଲେ । ଆପଣ ହୁଅନ୍ତୁ କି ମୁଁ- ଆଜିକାଲି କଣ ଆଉ ଚିଠି ଲେଖୁଛେ । ଆଗରୁ ଯେମିତି ସମସ୍ତେ ଚିଠି ଉପରେ ନିର୍ଭରଶୀଳ ଥିଲେ ସେମିତି କଣ ଆଉ ଚିଠି ଉପରେ ନିର୍ଭରଶୀଳ ହେବାକୁ ପଡୁଛି କି ? ଆମ ବାପା, ଜେଜେ ଅମଳର ଲୋକ ଚିଠି ଲେଖୁଥିଲେ । ହେଲେ ଏବେ ତ ଯୁବପିଢି ଚିଠି ଲେଖିବା ବି ସଂପୂର୍ଣ୍ଣ ଭୁଲିଗଲେଣି। ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ସଂପର୍କର ସେହି ପୁରୁଣା ସେତୁ ଦୁର୍ବଳ ହୋଇଗଲାଣି। ଏବେ ତ ସମସ୍ତଙ୍କୁ ସାଙ୍ଗେ ସାଙ୍ଗେ ବାର୍ତ୍ତା ଦରକାର, ଚୁଟକିରେ ଖବର ଦରକାର । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଚାର ପ୍ରସାର ଫଳରେ ଚିଠିର ଚାହିଦା କମିଛି ଆଉ ମୋବାଇଲ, ଇଂଟରନେଟ ଜରିଆରେ ସୋସିଆଲ ମିଡିଆ ମାଧ୍ଯମରେ ସହଜରେ, କମ ସମୟରେ ହଜାର ହଜାର କିଲୋମିଟର ଦୂରତାରେ ରହୁଥିବା ବନ୍ଧୁ ତଥା ସଂପର୍କୀୟଙ୍କ ସହ ଯୋଗାଯୋଗ କରାଯାଇପାରୁଛି ।

Screenshot 2025-10-10 191808

ଚିଠିର ଚମକ ସିନା ଆଜିର ଏଆଇ ଯୁଗରେ କମିଛି କିନ୍ତୁ- ଚିଠି ପାଇଁ ସେ ଯେଉଁ ଅପେକ୍ଷା, ସେ ଯେଉଁ ଆତ୍ମୀୟତା ତାହା ଅମୂଲ ମୂଲ । ତାର ବିକଳ୍ପ ନାହିଁ । ତେଣୁ ତ ଚିଠି ଛାତିତଳେ ସାଇତା ଥିବା ଏକ ମିଠା ସ୍ମୃତି ।  ଚିଠି ! ଦୁଇଟି ଅକ୍ଷରରେ ଅନେକ ଶବ୍ଦ... ଚିଠି ! ଏକ ଅନୁଭବର ନାଁ, ଆବେଗର ଛୁଆଁ... ଚିଠି କେବେ ଚିହ୍ନା ଠିକଣାରେ ପହଞ୍ଚେ ତ କେବେ ଅଚିହ୍ନା ଇଲାକାରେ... 

ଚିଠି ! ସୀମାର ସନ୍ଦେସ, ମାଆର ମମତା, ପ୍ରେମିକାର ପ୍ରେମ ଜଡସଡ ଇସାରା... ଏମିତି ଅନେକ ଆଶାର ଅମୂଲ୍ୟ ସମ୍ପତ୍ତି ଧରି ଡାକୁଥାଏ ଡାକବାଲା । ଚିଠି କେବେ ଆସେ, ତ ପୁଣି କେବେ ଅଧା ବାଟରେ ଅଟକି ଯାଏ... ଏବେ ସିନା ବଦଳି ଯାଇଛି ଲଫାପା, ପୋଷ୍ଟକାର୍ଡ, ଇନଲାଣ୍ଡର ପରିଭାଷା । ଯୁଗ ସହ ତାଳ ଦେଇ ମୋବାଇଲ ଆସିଛି, ମେଲ୍ ବି ରହିଛି । ଆଉ ମନର ପରିଭାଷାକୁ ପ୍ରିୟ ମଣିଷ ପାଖରେ ପହଞ୍ଚାଇବାକୁ ଡାକବାଲା ନୁହେଁ ବରଂ ମେସେଞ୍ଜର କି ହାତମୁଠାର ହ୍ୱାଟ୍ସଆପ୍ ସମ୍ପର୍କର ସେତୁ ପାଲଟିଛି... 

ହେଲେ ଅତୀତର ପୃଷ୍ଠାକୁ ଥରେ ଓଲଟାଇଲେ । ସେତେବେଳେ ହାତକାଟି ଲେଖିଥିବା ସେଦିନର ସେ ଚିଠିର ମହମହ ମହକ କଣ ଭୁଲି ହେଉଛି ? ଡାକବାଲାର ସେ ଡାକ ଏବେବି ମନେ ପଡିଗଲେ ଛାତି ଭିତରେ କେମିତି କେମିତି ହେଇଯାଉଛି । ୮୦ କିମ୍ବା ୯୦ ଦଶକରେ ଚହଳ ପକାଇଥିଲା ଚିଠି । ମାଟି କାନ୍ଥର ଡାକଘରେ ଟଙ୍ଗା ହୋଇଥାଏ ଡାକବାକ୍ସ । ଧୂଳିଧୂସର ପଡି ସେ ମଇଳା ହେଇଯାଉ ପଛେ କିନ୍ତୁ ଲୋକଙ୍କ ମନର କଥାକୁ ସାଇତି ରଖିବାରେ ସେ କେବେ ହେଳା କରେନି । ଦୁର୍ଗମ ଇଲାକାରେ ଡାକବାଲାର ପହଞ୍ଚିବା ଯଦି ଡେରି ହୁଏ ତେବେ ନିଜକୁ ତାଲା ପକାଇ ଲୋକଙ୍କ ସ୍ନେହ, ପ୍ରେମ, ଆବେଗ, ଅସୁବିଧାକୁ ସେମିତି ସୁରକ୍ଷିତ କରି ରଖିଥାଏ ଟିଣର ତିଆରି ଡାକବାକ୍ସ ।

Untitled-10

ପଚାରୁଛି ଡାକବାକ୍ସ: ଚିଠି କେଉଁଠି ?

ଚିଠିର କାହାଣୀ କହୁ କହୁ ଯଦି ଡାକବାକ୍ସର କଥା ଆସିଲାଣି ତେବେ ଡାକବାକ୍ସର କାହାଣୀ ବି ଚାଲନ୍ତୁ ଶୁଣିବା । କେମିତି ଡାକବାକ୍ସ ଆମ ଜୀବନରେ ଏକ ଭୂମିକା ନେଉଥିଲା ତାହା ଯିଏ ଜାଣିଛି ସିଏ ଡାକବାକ୍ସକୁ ଭୁଲିପାରିନି । ଡାକବାକ୍ସ ! ତା ଦେହଟି ଟିଣରେ ତିଆରି, ରଙ୍ଗ ତାର ନାଲି । ସିଏ ଝୁଲୁଥାଏ ଡାକଘର କାନ୍ଥରେ, ଟଙ୍ଗା ହୋଇଥାଏ କେଉଁ ଛକର ବିଜୁଳି ଖୁଣ୍ଟରେ । କଲେଜ ହେଉ କି କଚେରୀ, ହସ୍ପିଟାଲ ହେଉ କି ହଷ୍ଟେଲ । ସବୁଠି ସିଏ ବସିଥାଏ, ଝୁଲୁଥାଏ । କାହା ଚିଠିକୁ ଅପେକ୍ଷା କରିଥାଏ, ଖବରକୁ ଖୋଜୁଥାଏ... ଆଉ ସମସ୍ତେ ଆସି ତା ପାଟି ବାଟେ ପେଟରେ ଲୁଚାଇ ଦିଅନ୍ତି ବାର୍ତ୍ତାର ବତୁରା ଚିଠି...

ଯେବେ ଚିଠିର ଜମାନା ଥିଲା ସେହି ନାଲି ବାକ୍ସ ଉପରେ ଥିଲା ସମସ୍ତଙ୍କ ନଜର । ଚିଠି ବାକ୍ସରେ କିଏ ଚୁପିଚୁପି ପ୍ରେମର ପତ୍ର ପକାଏ ତ କିଏ ହାତକାଟି ଲେଖି ପଠାଏ ଦୁଃଖ ଦରଦର ଦିଧାଡି କଥା । ସ୍ତ୍ରୀ ଲେଖେ ସ୍ୱାମୀ ପାଖକୁ, ପୁଅ ଲେଖେ ବାପା ପାଖକୁ । ଗାଁ ଡାକଘରକୁ ସୀମା ସେପାରିରୁ ଆସେ ପ୍ରେମର ସନ୍ଦେସ, କୁଆଁରୀ ଝିଅ ପାଇଁ ସହରରୁ ଆସେ ପ୍ରୀତିର ପତ୍ର । 

କଲେଜ ପିଲା ତ ପ୍ରେମରେ ପଡିଲା ପରେ ପାଖାପାଖି ହେଷ୍ଟଲ ଥାଇ ବି, ନିଇତି ଦେଖାସାକ୍ଷାତ ହୋଇ ବି ପ୍ରେୟସୀକୁ ହାତେହାତେ ପ୍ରେମର ପତ୍ର ଦିଏନି ପ୍ରେମିକ । ବରଂ କଲେଜ ହଷ୍ଟେଲର ଡାକବାକ୍ସରେ ଚୁପକିନା ପକାଇଦିଏ । କାରଣ, କାରଣ ଚିଠି ସମ୍ପର୍କର ସେତୁ, ଅପେକ୍ଷାର ମିଠା ଆଲିଙ୍ଗନ । ଚିଠି ଖୋଲିଦେଲେ ସେ ଯେଉଁ ବାସ୍ନା… ଆଃ… ଫର୍ଦ୍ଦ ଓଲଟାଇଲେ ଓଦାଓଦା ଆବେଗର ସେ ଯେଉଁ ଆପଣାପଣ... ଓଃ ଚିଠିର ସେ ନିଜରପଣ, ସେ ଆତ୍ମୀୟତା କଣ ଆଉ କେଉଁଥିରେ ମିଳିବ ?

559604942_1387441266720099_1035224743038987879_n

ଡାକବାକ୍ସ ଦୁଃଖର ସାଥୀ ହେଉଥିଲା ସୁଖର ସାଥୀ ବି ସାଜୁଥିଲା । ବିରହ, ବେଦନାର ମୁକସାକ୍ଷୀ ପାଲଟୁଥିଲା । ଖାଲି ପ୍ରେମ ନୁହେଁ ଅପେକ୍ଷାର ସେହି ନାଲି ବାକ୍ସରେ ପଡୁଥିଲା ଦୂର ଦେଶରେ ରହୁଥିବା ପୁଅ ପାଇଁ ବୁଢୀ ମାଆର ଆଖିଭିଜା ଇନଲାଣ୍ଡ । ସହରରେ ରହି କେବେ ଖବର ଦେଉନଥିବା, ଭଲମନ୍ଦ ବୁଝୁନଥିବା ସ୍ୱାର୍ଥପର ସ୍ୱାମୀର ଶୁଭ ମନାସି ଡାକବାକ୍ସ ଆଗରେ ଚିଠିକୁ ମୁଣ୍ଡରେ ମାରି ମାସକୁ ମାସକୁ ପୋଷ୍ଟକାର୍ଡ ପଠାଉଥିଲା ହତଭାଗିନୀ ସ୍ତ୍ରୀ । ସୀମାରେ ଶତ୍ରୁ ସହ ଲଢୁଥିବା ବୀର ବାପାର ଖବର ପାଇ ଖୁସିରେ ନାଚିଯାଉଥିଲା ପୁଅ । ଏମିତି କେତେ କେତେ କାହାଣୀ, କେତେ କେତେ ସୁଖଦୁଃଖ ମୁହୂର୍ତ୍ତର ମୁକସାକ୍ଷୀ ସାଜୁଥିବା ଚିଠି ଓ ଡାକବାକ୍ସ ଆଜି ଅନ୍ଧାରରେ… ସେମାନଙ୍କ ଭବିଷ୍ୟତକୁ ନେଇ ସମସ୍ତେ ସନ୍ଦେହରେ…

WhatsApp Image 2025-10-10 at 19.26.18

ଆଜି ଜାତୀୟ ଡାକ ଦିବସ । ଏହି ଦିନ ଖାଲି ଆମେ ଚିଠିକୁ ନେଇ ଖାଲି ପୋଷ୍ଟ ପରେ ପୋଷ୍ଟ ଦେଖୁଛେ । ହେଲେ କେତେ ଜଣ ଚିଠି କେମିତି ବଞ୍ଚି ରହିବ ସେ କଥା ଭାବୁଛେ । ଦିନେ ଆମେ ଚିଠିରେ ଅଭିମାନ କରି ଲେଖୁଥିଲେ ହେଲେ ଆଜି ଆମ ଉପରେ ଅଭିମାନ କରିଛି ଚିଠି । ଆସନ୍ତୁ ତା ଅଭିମାନ ଭାଙ୍ଗିବା । ତା ପାଇଁ କିଛି କରିବା…ଆଧୁନିକତାର ଭିଡରେ ମୋବାଇଲ, ମେଲ, ମେସେଞ୍ଜର ରହୁ ମନା ନାହିଁ… କିନ୍ତୁ ଚିଠି ବି ରହୁ । ତାର ଚମକ ନହରାଉ…ଆସନ୍ତୁ ବାକ୍ସରୁ ନିଜ ବାପାଙ୍କର ହେଉ କି ନିଜ ପ୍ରେମିକାର ହେଉ ଅବା ନିଜ ଆତ୍ମୀୟଙ୍କ ପୁରୁଣା ଦିନର ଚିଠି ସବୁ ଖୋଲିବା, ତା ମହକକୁ ଶୁଙ୍ଘିବା ଆଉ ଚିଠିକୁ ବଞ୍ଚାଇ ରଖିବାର ପ୍ରୟାସଟିଏ ଅନ୍ତନ ନିଜଆଡୁ କରିବା । ମାସରେ ଥରୁଟେ ଅନ୍ତତ ନିଜର ଲୋକଙ୍କୁ ଚିଠି ପଠାନ୍ତୁ… ଚିଠି ଲେଖନ୍ତୁ… କାରଣ ଯାହା କହିପାରେ ଚିଠି, ତାହା କହିପାରେନା ମେସେଜ କି ହ୍ବାଟ୍ସଆପ୍ ଚାଟ୍। 

ଅଧିକ ପଢନ୍ତୁ- 

ଆଜି ଜାତୀୟ ଡାକ ଦିବସ: ସମ୍ପର୍କର ସେତୁ ଦୁର୍ବଳ ହେଲାଣି ହଜିଗଲାଣି ପୋଷ୍ଟ କାର୍ଡ , ଲୁଚିବାକୁ ବସିଲାଣି ଲେଟର ବକ୍ସ