ପ୍ରତି ବର୍ଷ ଫେବ୍ରୁଆରି ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି। ମହାନ୍ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ୧୯୨୮ ମସିହା ଫେବ୍ରୁଆରି ଆଜି ଦିନରେ ‘ରମଣ ଇଫେକ୍ଟ’ର ଆବିଷ୍କାର କରିଥିଲେ। ଏଥିପାଇଁ ତାଙ୍କୁ ୧୯୩୦ରେ ନୋବେଲ୍ ପୁରସ୍କାର ମିଳିଥିଲା। ଏହି ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ଆବିଷ୍କାରକୁ ସ୍ମରଣୀୟ କରିବା ଲାଗି ୧୯୮୬ ମସିହାରେ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ (ଏନ୍ସିଏସ୍ଟିସି) ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ୧୯୮୭ ମସିହାରୁ ଦେଶବ୍ୟାପୀ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, ବିଜ୍ଞାନ ପ୍ରତିଷ୍ଠାନ ସମେତ ବିଭିନ୍ନ ଭେଷଜ ଓ ଗବେଷଣା ପ୍ରତିଷ୍ଠାନମାନଙ୍କରେ ବିଜ୍ଞାନ ଦିବସ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଲା ଦୈନନ୍ଦିନ ଜୀବନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ବୈଜ୍ଞାନିକ ଜ୍ଞାନ ଆହରଣ ଓ ଗବେଷଣାକୁ ଉତ୍ସାହିତ କରିବା। ଭାରତୀୟ ବୈଜ୍ଞାନିକଙ୍କ ସଫଳତା ଓ ସମାଜକୁ ସେମାନଙ୍କ ଅବଦାନକୁ ସ୍ବୀକୃତି ଲାଗି ମଧ୍ୟ ବିଜ୍ଞାନ ଦିବସ ହେଉଛି ଏକ ଉତ୍କୃଷ୍ଟ ଅବସର। ୨୦୨୩ ମସିହାର ଜାତୀୟ ବିଜ୍ଞାନ ଦିବସ ପାଳନର ବିଷୟବସ୍ତୁ ହେଉଛି ‘ବିଶ୍ବର ସୁସ୍ଥତା ଲାଗି ବିଶ୍ବସ୍ତରୀୟ ବିଜ୍ଞାନ’। ଏହା ବିଶ୍ବ ସ୍ତରରେ ଭାରତର ଭୂମିକା ଓ ଉଦୀୟମାନ ସ୍ଥିତିକୁ ଉତ୍ଥାପନ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us