ଡମ୍ବରୁଧର ନାୟକ

Advertisment

କିଛି ଦିନ ତଳେ ଆରାୟାଂଶ ନାମକ ଜଣେ ପ୍ରକୃତିପ୍ରେମୀ ସାମାଜିକ ଗଣମାଧ୍ୟମରେ ଏକ ନଦୀ ମଧ୍ୟର ବିସ୍ମୟକର ପଥର ଶଯ୍ୟାରେ ପ୍ରବାହିତ ନୀଳ ଜଳରାଶିର କିଛି ଚମତ୍କାର ଫଟୋ ପୋଷ୍ଟ୍‌ କରିଥିଲେ। ଏହାକୁ ସେ ଓଡ଼ିଶାର ଗ୍ରେଟ୍ କେନ୍ୟନ୍ ଦର୍ଶାଇବା ସହ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହା କେମିତି ସ୍ଥାନ ପାଇନାହିଁ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି ଫଟୋଗୁଡ଼ିକ ମହିନ୍ଦ୍ରା ଗ୍ରୁପ୍ କମ୍ପାନିର ମାଲିକ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ଚମତ୍କୃତ କରିଥିଲା। ସେ ଏହାକୁ ରିଟ୍ବିଟ୍ କରି ଜାତୀୟ ପର୍ଯ୍ୟଟନସ୍ଥଳ ଓ ପରେ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍ କରିବାକୁ ଆମକୁ କ’ଣ କରିବାକୁ ହେବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପ୍ରଶ୍ନ କରିଥିଲେ।

ପ୍ରକୃତିର ବିରଳ ବୈଚିତ୍ର୍ୟ
ଶିଳ୍ପପତି ଆନନ୍ଦଙ୍କ ରିଟ୍ବିଟ୍ ପରେ ସାରା ରାଜ୍ୟ ଓ ଦେଶରେ ଚର୍ଚ୍ଚାକୁ ଆସିଥିବା ଏହି ସ୍ଥାନର ନାମ କନାକୁଣ୍ଡ। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡର ଦ୍ବୀପପୁଞ୍ଜ ଭଳି ଦିଶୁଥିବା ପ୍ରକୃତିର ବିସ୍ମୟ ‘କନାକୁଣ୍ଡ’ ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାଠାରୁ ୫୦ କିଲୋମିଟର ଦୂର ବାଲିଶଙ୍କରା ବ୍ଲକ୍ ଘୋଘର ନିକଟ ଇବ୍‌ନଦୀ ମଧ୍ୟ ଭାଗରେ ଅବସ୍ଥିତ। ଇବ୍‌ ନଦୀର ଶିଳାଶଯ୍ୟାରେ ପ୍ରକୃତି ସୃଷ୍ଟି କରିଥିବା କଳାକୃତିର ଅପରୂପ ସୌନ୍ଦର୍ଯ୍ୟ ନଦେଖିଲେ ବିଶ୍ବାସ କରିହେବ ନାହିଁ। ସତେ ଅବା ନିହାଣମୁନରେ କେହି ଜଣେ କୁଶଳୀ ଶିଳ୍ପୀ ପଥର ଦେହରେ ବୁଢ଼ିଆଣୀ ଜାଲ ସବୁୁ ଖୋଦେଇ କରି ନଦୀ ବକ୍ଷରେ ଥୋଇ ଦେଇଛି! ୩ କିଲୋମିଟର ପରିବ୍ୟାପ୍ତ ଏହି ପଥରଶଯ୍ୟାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ସେ ଭୁଲି ପାରିନି। ତେବେ ବହୁ ବର୍ଷ ଧରି ଲୁକ୍କାୟିତ ଥିବା ଏହି ସ୍ଥାନକୁ କିଛି ପ୍ରକୃତିପ୍ରେମୀ ପର୍ଯ୍ୟଟକ, ୟୁଟ୍ୟୁବର୍‌ ଓ ବ୍ଲଗର୍ ଆସି ଏହାର ଆକର୍ଷଣୀୟ ଫଟୋ ଉଠାଇ  ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ପରେ ଏବେ ଏଠାକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। କନାକୁଣ୍ଡରେ ଭିନ୍ନ ଭିନ୍ନ ଆକୃତିର ପଥରଶଯ୍ୟା ଓ ନୀଳ ଜଳରାଶି ଭିତରେ ଭଉଁରି ସୃଷ୍ଟି କରୁଥିବା ଗଣ୍ଡଗୁଡ଼ିକର ସମାହାର ବିରଳ ଦୃଶ୍ୟ ସଂରଚନା କରେ। ଭୀମକୁଣ୍ଡ, ସାତବଖରା, ଢେକିଖୋଲ, ଭୀମପାଦ, କନିଆବୁଡ଼ା, ବଙ୍କୁର, ଗୌରୀବୁଡ଼ା ନାମକ ଏହି ଗଣ୍ଡଗୁଡ଼ିକ ଯେତିକି ଆକର୍ଷକ ସେତିକି ଭୀତପ୍ରଦ।

କାହ୍ନାକୁଣ୍ଡ ନୁହେଁ, କନାକୁଣ୍ଡ
ପର୍ଯ୍ୟଟନ ବିଭାଗ ଏହାକୁ କାହ୍ନାକୁଣ୍ଡ ନାମକରଣ କରିଛି, ଯାହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏହି ସ୍ଥାନର ପ୍ରକୃତ ନାମ କନାକୁଣ୍ଡ। ଏପରି ନାମକରଣ ପଛରେ ଏକ ରୋଚକ କାହାଣୀ ବି ରହିଛି। ବହୁ ବର୍ଷ ତଳେ ଘୋଘର ଗାଁର  ଦୁତି ନାଏକ ନାମକ ଜଣେ ବ୍ୟକ୍ତି ମାଛ ଧରିବାକୁ ଇବ୍‌ନଦୀ ଭିତରେ ପଶିଥିଲେ। ପଥର ଖୋଲରେ ମାଛ ଧରୁଥିବା ବେଳେ ନିଖୋଜ ହୋଇଗଲେ। ୧୦ ଦିନ ପରେ ବି ତାଙ୍କ ପତ୍ତା ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ଭାବି ଘରଲୋକେ ଶୁଦ୍ଧିକ୍ରିୟା କରିଥିଲେ। କିନ୍ତୁ ଠିକ୍ ସେହିଦିନ ଦୁତି ଘରକୁ ଫେରି ଆସି ତାଙ୍କ ସହ ବିତିଥିବା ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ପଥର ଖୋଲରେ ଏକ ବିଶାଳ କନାମାଛ ତାଙ୍କୁ ଅଟକାଇ ଦେଇଥିଲା। ବଡ଼ କଷ୍ଟରେ ସେ ଖସି ଆସିଥିବା ପ୍ରକାଶ କରିଥିଲେ। ପରେ ଗାଁ ଲୋକେ ଯାଇ ସେ କନାମାଛକୁ ମାରି ଭୋଜି କରିଥିଲେ। ସେଦିନ ଠାରୁ ନଦୀର ଏହି ପଥରଶଯ୍ୟା କନାକୁଣ୍ଡ ନାମରେ ପରିଚିତ। ଦୁତିଙ୍କ ଅଣନାତି କାମେଶ୍ବର ନାଏକ ଏ ଘଟଣା କହିଲା ବେଳେ ଶିହରି ଉଠିଥିଲେ।

କନାକୁଣ୍ଡର କାଳ ଭଉଁରି
କନାକୁଣ୍ଡର ଜଳ ଭଉଁରି ଓ  ଚିତ୍ରିତ ପଥର ଶଯ୍ୟାର ମାୟା ଅନେକଙ୍କ ପାଇଁ କାଳ ସାଜିଛି। ପ୍ରକୃତିର ଏହି ବିସ୍ମୟ ସୃଷ୍ଟିକାରୀ ଶୋଭାକୁ ଉପଭୋଗ କରିବାର ଲାଳସା ଯୋଗୁ ଅକାଳରେ ଅନେକ ପ୍ରାଣ ଯାଇଛି। ରାଜଗାଙ୍ଗପୁରର ୨୭ ବର୍ଷୀୟା ଯୁବତୀ ଅନୁପମା ପ୍ରଜାପତି ୨୦୨୧ ଜାନୁଆରି ୩ ତାରିଖରେ ପରିବାର ଲୋକଙ୍କ ସହ ବଣଭୋଜି କରିବାକୁ ଯାଇଥଇଲେ। ସେ କନାକୁଣ୍ଡର ୭ ବଖରା ଗଣ୍ଡ ନିକଟରେ ସେଲ୍‌ଫି ନେଲା ବେଳେ ଖସିପଡ଼ି ପାଣି ସ୍ରୋତରେ ଭାସି ମୃତ୍ୟୁ ବରଣ କରିଥିଲେ। କନାକୁଣ୍ଡର କାଳ ଭଉଁରିରେ ତାଙ୍କ ଜୀବନର ଏପରି ଦୁଃଖଦ ଅନ୍ତ ସେତେବେଳେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୨୪ ଅକ୍ଟୋବର ୧୩ରେ ବିଶାଖାପାଟଣାର ୧୮ ବର୍ଷୀୟ ସାତ୍ତ୍ବିକ କଞ୍ଜିପତି ପରିବାର ସହ ଭୋଜି କରିବାକୁ କନାକୁଣ୍ଡ ଆସିଥିଲେ। ଗାଧୋଇବାକୁ ନଦୀକୁ  ଓହ୍ଲାଇଥିବା ବେଳେ ପ୍ରଖର ସ୍ରୋତ ତାଙ୍କୁ ଟାଣି ନେଇଥିଲା। ଏହା ମଧ୍ୟ‌ରେ ଏଠାକୁ  ବୁଲିବାକୁ ବା ଭୋଜି କରିବାକୁ ଆସି ୧୦ ଜଣ ସଲିଳ ସମାଧି ନେଲେଣି। କିଏ ଖସଡ଼ା ପଥର ଉପରେ ‌ସେଲ୍‌ଫି ନେଲାବେଳେ ତ କିଏ ପାଣିରେ ପଡ଼ିଯାଇ ପ୍ରାଣ ହରାଇଛନ୍ତି।  ଏଠାରେ ଖସଡ଼ା ପଥର ଓ ଗଭୀର ଜଳଭଉଁରି ଯୋଗୁ ପ୍ରତି ପାଦେ ପାଦେ ମରଣ ଭୟ ରହିଛି। ଏହା ସତ୍ତ୍ବେ ଯୁବକଯୁବତୀ ସେ ସ୍ଥାନକୁ ଯାଇ ସେଲ୍‌ଫି ନେବା କି ପାଣିରେ ଗାଧୋଇବାର ଲୋଭ ସମ୍ବରଣ କରି ନପାରି ମୃତ୍ୟୁମୁଖରେ ପଡୁଛନ୍ତି।

ପର୍ଯ୍ୟଟକଙ୍କୁ ସୁରକ୍ଷା ଲୋଡ଼ା
କନାକୁଣ୍ଡରେ ବର୍ଷ ସାରା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଭିଡ଼ ଜମେ। ବିଶେଷକରି ଅକ୍ଟୋବରରୁ ଫେବ୍ରୁଆରି ମଧ୍ୟରେ ଭିଡ଼ ଅସମ୍ଭାଳ ରହିଥାଏ। କିନ୍ତୁ ଏତେ ଜନସମାଗମ ସତ୍ତ୍ବେ ସେଠାରେ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। କିଛି ବର୍ଷ ତଳେ ଘୋଘର ଗାଁ ଲୋକେ  କନାକୁଣ୍ଡ ବିକାଶ ମଞ୍ଚ  ଗଠନ କରି ନିଜ ଉଦ୍ୟମରେ ପିଣ୍ଡି, ସିମେଣ୍ଟ ବେଞ୍ଚ୍ ଆଦି ତିଆରି କରିଥିବା ବେଳେ ଅଞ୍ଚଳର ସର୍ବବିଧ ବିକାଶ ପାଇଁ ଦାବି କରି ଆସୁଛନ୍ତି। କନାକୁଣ୍ଡର ସୌନ୍ଦର୍ଯୀକରଣ ସହ ଝୁଲାପୋଲ, ଭୋଜି, ପାର୍କିଂ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌ ବ୍ୟବସ୍ଥା ଓ ସର୍ବୋପରି ପାଦେ ପାଦେ ମୃତ୍ୟୁର ଭୟ ଥିବା ପଥରଶଯ୍ୟା ଚାରିପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ବିକାଶ ମଞ୍ଚ ସଭାପତି ଲବଣୀଧର ଦାନୀ ଓ ସମ୍ପାଦକ ତଥା ବାଲିଶଙ୍କରା ସମିତି ସଭ୍ୟ କହ୍ନେଇ ଜୟପୁରିଆ ଦାବି କରି ଆସୁଛନ୍ତି।

ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହେବ
ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ରିଟ୍ବିଟ୍ ପରେ ଓଡ଼ିଶା ସରକାର କନାକୁଣ୍ଡକୁ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଇତିମଧ୍ୟରେ ପର୍ଯ୍ୟଟନ ବିଭାଗର ଏକ ଟିମ୍ ସୁନ୍ଦରଗଡ଼ ଆସି କନାକୁଣ୍ଡ ପରିଦର୍ଶନ କରିଛନ୍ତି ଏବଂ ଏହାର  ବିକାଶ ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ବୋଲି ସୂଚନା ରହିଛି। ତେବେ ଏହା ପୂର୍ବରୁ ପର୍ଯ୍ୟଟନ ଓ ନିର୍ମାଣ ବିଭାଗର ଏକ ପ୍ରତିନିଧି ଦଳ କନାକୁଣ୍ଡ ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବିକାଶ ମଞ୍ଚ ସହ ଆଲୋଚନା ମାଧ୍ୟମରେ ବିକାଶର ରୂପରେଖ ପ୍ରସ୍ତୁତ କରିଛନ୍ତି। ଏଠାରେ ପର୍ଯ୍ୟଟନ ବିକାଶ ପାଇଁ  ୮ କୋଟିର ବ୍ୟୟ ଅଟକଳ କରାଯାଇଛି।