ପ୍ରଥମ ଛଅଦିନର ଉପାସ୍ୟା- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା ଓ କାତ୍ୟାୟନୀଙ୍କ ପରେ, ‘ନବରାତ୍ରି’ର ଶେଷ ତିନିଦିନର ଉପାସ୍ୟା ଯଥାକ୍ରମେ- କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଏହି ନଅରୂପ ହେଉଛନ୍ତି- ‘ନବଦୁର୍ଗା’।

Advertisment

କାଳରାତ୍ରି:‘କାଳରାତ୍ରି’ ମା’ ଦୁର୍ଗାଙ୍କର ସପ୍ତମ ଶକ୍ତି। ତାଙ୍କର ଶରୀରର ବର୍ଣ୍ଣ ନିରନ୍ଧ୍ର ଅନ୍ଧକାର ପରି କଳା। ମସ୍ତକର କେଶ ଆଲୁଳାୟିତ। ଗଳାରେ ବିଦ୍ୟୁତ୍‌ ପରି ଦୀପ୍ତ ମାଳା। ସେ ତ୍ରିନେତ୍ରା ଏବଂ ସେହି ନେତ୍ରତ୍ରୟ ବ୍ରହ୍ମାଣ୍ଡ ପରି ବର୍ତ୍ତୁଳ। ତାଙ୍କର ନାସିକାର ଶ୍ବାସ ପ୍ରଶ୍ବାସରେ ବହ୍ନିଶିଖା ଦୃଶ୍ୟମାନ ହୁଏ। ଦେବୀ ଗର୍ଦ୍ଦଭବାହନା ଓ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଦୁଇ ଭୁଜରେ ଅଭୟ ଓ ବରଦମୁଦ୍ରା ଏବଂ ବାମ ଦୁଇ ଭୁଜରେ ଲୌହକଣ୍ଟକ ଓ ଖଡ୍‌ଗ ପରିଲକ୍ଷିତ ହୁଏ। ମାତ୍ର ରୂପ ଭୟଙ୍କର ହେଲେ ମଧ୍ୟ, ଏହି ଦେବୀ ଦୁଷ୍ଟବିନାଶିନୀ ଓ ମଙ୍ଗଳଦାତ୍ରୀ। ତେଣୁ ତାଙ୍କର ଅନ୍ୟନାମ ‘ଶୁଭଙ୍କରୀ’। ‘କାଳରାତ୍ରି’ ନବରାତ୍ରିର ସପ୍ତମଦିନର ଉପାସ୍ୟା। ଏହିଦିନ ସାଧକଙ୍କର ମନ ସହସ୍ରାରଚକ୍ରରେ ଅବସ୍ଥାନ କରେ। ଦେବୀଙ୍କର ସାକ୍ଷାତ ସାଧକଙ୍କୁ ମହାପୁଣ୍ୟ ପ୍ରଦାନ କରେ। ତାଙ୍କର ସମସ୍ତ ପାପ ଓ ବାଧାବିଘ୍ନର ବିନାଶ ଘଟି ସେ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି।

ମହାଗୌରୀ:‘ମହାଗୌରୀ’ ମା’ ଦୁର୍ଗାଙ୍କର ଅଷ୍ଟମ ଶକ୍ତି। ଶରୀରର ବର୍ଣ୍ଣ ଗୌର ହେତୁ ତାଙ୍କର ନାମ ‘ମହାଗୌରୀ’। ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତାଙ୍କର ଶରୀରର ବର୍ଣ୍ଣର ତୁଳନା କରାଯାଏ। ଶାସ୍ତ୍ରୋକ୍ତି ଅଛି- “ଅଷ୍ଟବର୍ଷା ଭବେଦ୍‌ ଗୌରୀ” ଅର୍ଥାତ୍‌- ତାଙ୍କୁ ଆଠବର୍ଷ ବୟସ ବୋଲି ମନେକରାଯାଏ। ଦେବୀ ଶ୍ବେତବସନା ଏବଂ ଶ୍ବେତବୃଷଭ ବାହନା। ଚତୁର୍ଭୁଜା ଏହି ଦେବୀଙ୍କର ଦକ୍ଷିଣ ଦୁଇଭୁଜରେ ଅଭୟ ମୁଦ୍ରା ଓ ତ୍ରିଶୂଳ ଏବଂ ବାମ ଦୁଇଭୁଜରେ ବରଦମୁଦ୍ରା ଓ ଡମ୍ବରୁ ଶୋଭାପାଏ। ଭାବଭଙ୍ଗୀ‌େର ଏହି ଦେବୀ ଶାନ୍ତା। ‘ମହାଗୌରୀ’ ନବରାତ୍ରିର ଅଷ୍ଟମ ଦିନର ଉପାସ୍ୟା। ତାଙ୍କର ଶକ୍ତି ଅମୋଘ ଓ ଫଳପ୍ରଦ। ତାଙ୍କର ଉପାସନା ଭକ୍ତ ଓ ସାଧକଙ୍କର ସକଳ କଳୁଷ ନାଶ କରେ। ଭବିଷ୍ୟତରେ ମଧ୍ୟ ଭକ୍ତ ଓ ସାଧକଙ୍କର କୌଣସି ପାପ, ସନ୍ତାପ, ଦୁଃଖ, ଦୈନ୍ୟ ରହେନାହିଁ। ସେ ସର୍ବତୋଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି। ଦେବୀଙ୍କର କୃପା ଫଳରେ ‌ଅଲୌକିକ ସିଦ୍ଧି ଲାଭ ହୁଏ।

ସିଦ୍ଧିଦାତ୍ରୀ:‘ସିଦ୍ଧିଦାତ୍ରୀ’ ମା’ ଦୁର୍ଗାଙ୍କର ନବମ ଶକ୍ତି। ‘ମାର୍କଣ୍ଡେୟ ପୁରାଣ’ରେ ଯେଉଁ ‘ଅଷ୍ଟସିଦ୍ଧି’ର ବର୍ଣ୍ଣନା ଅଛି, ତାହା ହେଉଛି- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶିତ୍ବ ଓ ବଶିତ୍ବ। ତେବେ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏହି ସିଦ୍ଧିର ସଂଖ୍ୟା ୧୮ ବୋଲି ବର୍ଣ୍ଣିତ ଅଛି। ଏହି ସକଳ ସିଦ୍ଧିର ଅଧିକର୍ତ୍ତ୍ରୀ ଓ ଦାତ୍ରୀ, ଦେବୀ ‘ସିଦ୍ଧିଦାତ୍ରୀ’।
‘ଦେବୀପୁରାଣ’ ଅନୁସାରେ, ଭଗବାନ ଶିବ ଏହାଙ୍କର କୃପାରେ ହିଁ ସକଳ ସିଦ୍ଧିପ୍ରାପ୍ତ ହୁଅନ୍ତି। ଦେବୀଙ୍କର ଅନୁକମ୍ପା ଫଳରେ ଶିବଙ୍କର ଅର୍ଦ୍ଧାଙ୍ଗ ଦେବୀଙ୍କର ହୋଇଥିଲା ଏବଂ ଶିବ ‘ଅର୍ଦ୍ଧନାରୀଶ୍ବର’ ଭାବରେ ପ୍ରସିଦ୍ଧ ହୋଇଥିଲେ।

ଏହି ଦେବୀ ‘ନବରାତ୍ରି’ର ନବମ ତଥା ଶେଷଦିନର ଉପାସ୍ୟା। ସେ ଉଭୟ ସିଂହବାହନା ଓ ପଦ୍ମାସନା ରୂପରେ ପରିଲକ୍ଷିତ ହୁଅନ୍ତି। ଏହି ଦେବୀ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଦୁଇ ହସ୍ତରେ ଚକ୍ର ଓ ଗଦା ଏବଂ ବାମ ଦୁଇ ହସ୍ତରେ ଶଙ୍ଖ ଓ ପଦ୍ମ ଶୋଭାପାଏ। ତାହାଙ୍କର ପୂଜା କଲେ ଭକ୍ତ ଓ ସାଧକ ସିଦ୍ଧିର ଅଧିକାରୀ ହୁଅନ୍ତି। ସଂସାରର କିଛି ବି ତାଙ୍କପାଇଁ ଅଗମ୍ୟ ହୋଇ ରହେନାହିଁ। ସେ ବ୍ରହ୍ମାଣ୍ଡ ବିଜୟର କ୍ଷମତାଲାଭ କରନ୍ତି। ଏହିପରି ଭାବରେ, ନବରାତ୍ରିରେ ନବଦୁର୍ଗାଙ୍କର ଉପାସନା ଭକ୍ତ ଓ ସାଧକଙ୍କୁ କୃତାର୍ଥ କରିଥାଏ।