ପ୍ରଥମ ତିନି ଦୁର୍ଗା- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ଓ ଚନ୍ଦ୍ରଘଣ୍ଟାଙ୍କ ପରେ, ପରବର୍ତ୍ତୀ ତିନି ଦୁର୍ଗା ହେଉଛନ୍ତି- କୁଷ୍ମାଣ୍ଡା, ସ୍କନ୍ଦମାତା ଓ କାତ୍ୟାୟନୀ। ଏମାନେ ଯଥାକ୍ରମେ ନବରାତ୍ରିର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଦିବସର ଉପାସ୍ୟା।

Advertisment

କୁଷ୍ମାଣ୍ଡା:
କୁଷ୍ମାଣ୍ଡା ମା’ ଦୁର୍ଗାଙ୍କର ଚତୁର୍ଥ ରୂପ। ତତ୍ତ୍ବ ଅନୁସାରେ, ସେ ଈଷତ୍ ହାସ୍ୟ ସହିତ ଅଣ୍ଡ ବା ବ୍ରହ୍ମାଣ୍ଡର ସୃଷ୍ଟି କରାନ୍ତି। ସେଥିପାଇଁ ତାଙ୍କର ନାମ କୁଷ୍ମାଣ୍ଡା। ଯେତେବେଳେ, ଏ ଜଗତ୍ ବା ସଂସାରର ଅସ୍ତିତ୍ବ ନ ଥିଲା, ସବୁକିଛି ଅନ୍ଧକାରରେ ନିମଜ୍ଜିତ ରହିଥିଲା, ସେତେବେଳେ ଏହି ଦେବୀ ତାଙ୍କର ମୃଦୁହାସ୍ୟ ଦ୍ବାରା ବ୍ରହ୍ମାଣ୍ଡର ସୃଷ୍ଟି କରିଥିଲେ। ସେଥିପାଇଁ ସେ ଏ ସଂସାରର ଆଦିରୂପା, ଆଦିଶକ୍ତି। ସୂର୍ଯ୍ୟମଣ୍ଡଳର ଅନ୍ତର୍ଲୋକରେ ସେ ନିବାସ କରନ୍ତି। ସେଥିପାଇଁ ତାଙ୍କର ଅଙ୍ଗକାନ୍ତି ଉଜ୍ଜ୍ବଳ, ସୂର୍ଯ୍ୟସମ। ତାଙ୍କ ପରି ଭାସ୍ବର ଶରୀର ଅନ୍ୟ କାହାର ନାହିଁ। ଦଶଦିଗ ତାଙ୍କରି ତେଜରେ ପ୍ରକାଶମାନ ହୋଇଛନ୍ତି। ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଓ ପ୍ରାଣୀମାନଙ୍କର ସମସ୍ତ ତେଜ ତାଙ୍କରି ଛାୟା।

ଦେବୀ କୁଷ୍ମାଣ୍ଡା ଅଷ୍ଟଭୁଜା। ‌େସ ତାଙ୍କର ସାତ ହାତରେ- କମଣ୍ଡଳୁ, ଧନୁ, ବାଣ, ପଦ୍ମପୁଷ୍ପ, ଅମୃତ କଳସ, ଚକ୍ର ଓ ଗଦା ଧାରଣ କରନ୍ତି। ତାଙ୍କର ଅଷ୍ଟମ ହସ୍ତରେ ସିଦ୍ଧି ଓ ନିଧି ପ୍ରଦାନକାରୀ ଜପମାଳା ଶୋଭିତ। ତାଙ୍କର ବାହନ ସିଂହ। ତାହାଙ୍କୁ କୁଷ୍ମାଣ୍ଡ ବଳି ପ୍ରଦାନ କରାଯାଏ। ନବରାତ୍ରିର ଚତୁର୍ଥ ଦିନ ଏହି ଦେବୀଙ୍କୁ ଉପସନା କରିବା ସମୟରେ ସାଧକଙ୍କର ମନ ଅନାହତ ଚକ୍ରରେ ଅବସ୍ଥାନ କରେ। ତାଙ୍କର ଉପାସନା ଫଳରେ, ଆୟୁ, ଯଶ, ବଳ, ବୁଦ୍ଧି ଓ ଆରୋଗ୍ୟ ଲାଭ ହୁଏ।

ସ୍କନ୍ଦମାତା:
ସ୍କନ୍ଦମାତା ମା’ ଦୁର୍ଗାଙ୍କର ପଞ୍ଚମ ରୂପ। କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ। ଶିଶୁ ସ୍କନ୍ଦ ଏହାଙ୍କର କୋଳରେ ବିରାଜିତ ଥିବା ଦେଖାଯାଏ। ଏଣୁ ସେ ତାଙ୍କର ମାତା- ସ୍କନ୍ଦମାତା। ସାଧକଙ୍କର ମନ ଏହି ଦିନ ବିଶୁଦ୍ଧ ଚକ୍ରରେ ଅବସ୍ଥାନ କରେ। ଏହି ଦେବୀ ଚତୁର୍ଭୁଜା। ସେ ଗୋଟିଏ ଊର୍ଦ୍ଧ୍ବ ହସ୍ତରେ ଶିଶୁ ସ୍କନ୍ଦଙ୍କୁ ଧରିଥିବା ବେଳେ ଊର୍ଦ୍ଧ୍ବମୁଖୀ ଅନ୍ୟ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥାନ୍ତି। ତାଙ୍କର ଗୋଟିଏ ହସ୍ତ ନିମ୍ନମୁଖୀ ହୋଇ ଅଭୟ ମୁଦ୍ରାରେ ରହିଥାଏ ଏବଂ ଅନ୍ୟ ହସ୍ତଟି ଊର୍ଦ୍ଧ୍ବମୁଖୀ ହୋଇ ପଦ୍ମପୁଷ୍ପ ଧାରଣ କରିଥାଏ। ତାଙ୍କର ଶରୀରର କାନ୍ତି ଶୁଭ୍ର। ତାଙ୍କର ବାହନ ସିଂହ। ପଞ୍ଚମ ଦିବସର ଉପାସ୍ୟା ଏହି ଦେବୀଙ୍କର ଉପାସନା କାଳରେ ସାଧକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥାନ କରେ। ସେ ନିଜ ସ୍ବରୂପର ବିଶୁଦ୍ଧ ଚେତନା ଦିଗରେ ଅଗ୍ରସର ହୁଅନ୍ତି। ତାଙ୍କର ମନ ପରମ ଶାନ୍ତି ଓ ସୁଖ ଅନୁଭବ କରେ ଏବଂ ତାଙ୍କ ନିମନ୍ତେ ମୋକ୍ଷର ଦ୍ବାର ଉନ୍ମୁକ୍ତ ହୋଇଯାଏ।

କାତ୍ୟାୟନୀ: କାତ୍ୟାୟନୀ ମା’ ଦୁର୍ଗାଙ୍କର ଷଷ୍ଠ ରୂପ। ଏହି ନାମର ତାତ୍ପର୍ଯ୍ୟ ରହିଛି। ମହର୍ଷି ‘କତ’ଙ୍କର ପୁତ୍ର ଥିଲେ ‘କାତ୍ୟ’। ସେହି ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ କାତ୍ୟାୟନ। ସେ କଠୋର ତପସ୍ୟା କରି ମା’ ଭଗବତୀଙ୍କୁ କନ୍ୟା ରୂପେ ଲାଭ କରିଥିଲେ। ସେହି କନ୍ୟା ହେଉଛନ୍ତି କାତ୍ୟାୟନୀ।ପରବର୍ତ୍ତୀ କାଳରେ ଯେତେବେଳେ ଦୁର୍ଦ୍ଦାନ୍ତ ମହିଷାସୁରର ଉତ୍ପାତରେ ପୃଥିବୀ ଥରହର ହେଲା, ସେତେବେଳେ ଦେବଗଣଙ୍କର ସମ୍ମିଳିତ ତେଜରୁ ଏହି ଦେବୀ, ଦୁର୍ଗା ରୂପେ ଜାତ ହୋଇଥିଲେ। ସେତେବେଳେ ମହର୍ଷି କାତ୍ୟାୟନ ତାଙ୍କୁ ପ୍ରଥମେ ଆରାଧନା କରିଥିଲେ। ତେଣୁ ସେ କାତ୍ୟାୟନୀ ନାମରେ ମଧ୍ୟ ବିଖ୍ୟାତା ହେଲେ।

ଏହି ଦେବୀ ଅମୋଘ ଫଳଦାୟିନୀ। ତାଙ୍କର ରୂପ ଅତ୍ୟନ୍ତ ସୁନ୍ଦର ଓ ଦିବ୍ୟ। ଶରୀରର କାନ୍ତି ସ୍ବର୍ଣ୍ଣିମ ଓ ଉଜ୍ଜ୍ବଳ। ସେ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଊର୍ଦ୍ଧ୍ବ ହସ୍ତରେ ଅଭୟ ମୁଦ୍ରା ଏବଂ ନିମ୍ନ ହସ୍ତରେ ବରଦ ମୁଦ୍ରା ଶୋଭିତ। ବାମ ଊର୍ଦ୍ଧ୍ବ ହସ୍ତରେ ତରବାରି ଏବଂ ନିମ୍ନ ହସ୍ତରେ ପଦ୍ମପୁଷ୍ପ ଶୋଭିତ। ଏହି ଦେବୀ ସିଂହବାହନା। ନବରାତ୍ରିର ଷଷ୍ଠ ଦିନରେ ଏହାଙ୍କର ଉପାସନା କାଳରେ ସାଧକଙ୍କର ମନ ଆଜ୍ଞାଚକ୍ରରେ ଅବସ୍ଥାନ କରେ। ଏହାଙ୍କର ଉପାସନା ଫଳରେ ରୋଗ, ଶୋକ, ସନ୍ତାପ ଓ ଭୟ ଆଦି ବିନଷ୍ଟ ହୁଏ।
(କ୍ରମଶଃ)