ନୂଆ ରୂପ ନେବ ନୌବିହାର ପର୍ଯ୍ୟଟନ; ଆସିବ ଅତ୍ୟାଧୁନିକ, ସୁବିଧାଲବ୍ଧ ଡଙ୍ଗା

ଭୁବନେଶ୍ବର : ଓଡ଼ିଶା ‌ପର୍ଯ୍ୟଟନର ନୌବିହାର ନେବ ନୂଆ ରୂପ। ପୁରୁଣା କାଠ ଡଙ୍ଗାର ସ୍ଥାନ ନେବ ଆଧୁନିକ ଡଙ୍ଗା। ସମସ୍ତ ଡଙ୍ଗାର ରଙ୍ଗ ଏକା ଭଳି ରହିବ। ଫଳରେ ଏହା ଓଡ଼ିଶା ପର୍ଯ୍ୟଟକକୁ ଆହୁରି ଆକର୍ଷିତ କରିବ। ପର୍ଯ୍ୟଟକମାନେ ‘ଫାଇବର୍‌ ଗ୍ଲାସ୍‌ ରେନ୍‌ଫୋର୍ସଡ୍‌ ପ୍ଲାଷ୍ଟିକ୍’(ଏଫ୍‌ଆର୍‌ପି) ଡଙ୍ଗାରେ ବସି ନୌବିହାରର ମଜା ନେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଓ ଭିତରକନିକାରେ ଡଙ୍ଗା ବଦଳାଇବାକୁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ଏହି ସୁବିଧା ପାଇବାର ସମ୍ଭାବନା ରହିଛି। ଓଡ଼ିଶା ପର୍ଯ୍ୟଟନ ନୀତି, ୨୦୨୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ଡଙ୍ଗା ବଦଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୫ ସୁଦ୍ଧା ଏ ବାବଦରେ ୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁ ଡଙ୍ଗା ମାଲିକଙ୍କର ଡଙ୍ଗା ପଞ୍ଜୀକୃତ ହୋଇଥିବ ଓ ଓଡ଼ିଶା ବୋଟ୍‌ ରୁଲ୍‌ସ୍‌-୨୦୦୪ ଅଧୀନରେ ଲାଇସେନ୍ସ ପାଇଥିବେ, ସେହିମାନଙ୍କ ଡଙ୍ଗାକୁ ହିଁ ବଦଳାଯିବ। ସବୁ ଡଙ୍ଗାର ରଙ୍ଗ ସମାନ ହେବ ଓ ଯାତ୍ରୀଙ୍କ ନିରାପତ୍ତା ପାଇଁ ଆବଶ୍ୟକ ସୁବିଧା ବି ରହିବ। ମାଛ ଧରା ଓ ମାଲ୍‌ ପରିବହନ କାର୍ଯ୍ୟରେ ନିୟୋଜିତ ଡଙ୍ଗାକୁ ବଦଳାଯିବ ନାହିଁ ବୋଲି ଜଣାପଡ଼ିଛି।

ପ୍ରାଥମିକ ପର୍ଯ୍ୟାୟରେ ଚିଲିକାରେ ଡଙ୍ଗା ବଦଳାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଖୋର୍ଧା, ପୁରୀ ଓ ଗଞ୍ଜାମରେ ୧୦ଟି ସ୍ଥାନ ବଛାଯିବ। ୪୮୦ ଜଣ ଆବେଦନକାରୀଙ୍କୁ ଚୟନ କରାଯିବ। ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୧୦୦ ଜଣ ଏହି ଯୋଜନାରେ ସୁବିଧା ପାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଡଙ୍ଗା ମାଲିକମାନେ ନୂଆ ଡଙ୍ଗା ମୂଲ୍ୟର ୫୦% ସବ୍‌ସିଡି ପାଇବେ। ଏହି ସବ୍‌ସିଡି ଟଙ୍କାକୁ ସିଧାସଳଖ ଡଙ୍ଗା ପ୍ରସ୍ତୁତକାରୀ ସଂସ୍ଥାକୁ ଦିଆଯିବ। ଡଙ୍ଗା ମାଲିକ ୨୦% ଅର୍ଥ ନିଜେ ବହନ କରିବେ। ଅବଶିଷ୍ଟ ଅର୍ଥକୁ କମ୍ ସୁଧରେ ଋଣ ଆକାର‌ରେ ପାଇବା ପାଇଁ ପର୍ଯ୍ୟଟନ ବିଭାଗ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟବସ୍ଥା କରାଇବ। କେଉଁ କେଉଁ ବ୍ୟାଙ୍କ ସହ ଏହି ଯୋଜନାରେ ଅନୁବନ୍ଧିତ ରହିବ, ତାହାର ତାଲିକା ପର୍ଯ୍ୟଟନ ବିଭାଗ ଡଙ୍ଗା ମାଲିକମାନଙ୍କୁ ଦେବ। ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ। ଏଥିରେ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଆନ୍ତଃ ଜଳ ପରିବହନ ନିର୍ଦ୍ଦେଶାଳୟ, ଓଡ୍ରାଫ୍‌, ଓଟିଡିସିର ପ୍ରତିନିଧି ସଦସ୍ୟ ରହିବ। ଯଦି ଆବଶ୍ୟକ ପଡ଼େ କମିଟି ବିଶେଷଜ୍ଞଙ୍କୁ ମଧ୍ୟ ସଦସ୍ୟ ଭାବେ ନେଇପାରିବ।

ପର୍ଯ୍ୟଟକମାନଙ୍କୁ ମନୋରମ ପରିବେଶରେ ଆରାମଦାୟକ ନୌବିହାର କରିବା ପାଇଁ ଏପରି ଯୋଜନାର ପରିକଳ୍ପନା କରାଯାଇଛି। ପୁରୁଣା ଡଙ୍ଗା ବଦଳାଇଲେ ମାଲିକମାନଙ୍କ ଉପରେ ଯେପରି କୌଣସି ଆର୍ଥିକ ଚାପ ନ ପଡ଼େ, ସେଥିପାଇଁ ମଧ୍ୟ ଆର୍ଥିକ ପ୍ରୋତ୍ସାହନର ବନ୍ଦୋବସ୍ତ କରାଯାଇଛି। ଖୁବ୍ ଶୀଘ୍ର ଚିଲିକାରେ ଡଙ୍ଗା ବଦଳାଯିବା ପ୍ରକ୍ରିୟା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଭିତରକନିକାକୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଯେହେତୁ ଏହି ଦୁଇଟି ସ୍ଥାନ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ତେଣୁ ସେଠାରେ ନୂଆ ଆଧୁନିକ ଡଙ୍ଗା ବ୍ୟବହାର କରି ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ ପ୍ରସ୍ତୁତି କରାଯାଇଛି। କରୋନା ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯ୍ୟଟନକୁ ଏକ ନୂଆ ଚେହେରା ଦେବା ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।

ସମ୍ବନ୍ଧିତ ଖବର