ନବୀନ @ ୨୦ : ପାଞ୍ଚ ପାଳିର ସଫଳ ମୁଖ୍ୟମନ୍ତ୍ରୀ

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ ଦାୟିତ୍ବ ନେଇଥିଲେ ନବୀନ ପଟ୍ଟନାୟକ। ଆଜି ନବୀନ ସରକାରଙ୍କ ଶାସନକୁ ୨୦ବର୍ଷ ଛୁଇଁଲା। ଇତିମଧ୍ୟରେ ସେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଲେଣି। ପୂର୍ବରୁ ଓଡ଼ିଶା ଇତିହାସରେ କୌଣସି ମୁଖ୍ୟମନ୍ତ୍ରୀ ଏତେ ସମୟ ଧରି ଶାସନରେ ନଥିଲେ କିମ୍ବା କ୍ରମାଗତ ଭାବେ ଏତେ ଥର ଶାସନକୁ ଆସି ନଥିଲେ।

କେବଳ ଓଡ଼ିଶା କାହିଁକି, ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏକାଥରକେ ୨୦ବର୍ଷ ଧରି ଶାସନ କଲେଣି। ତାଙ୍କ ପୂର୍ବରୁ ସିକିମ୍ ମୁଖ୍ୟମନ୍ତ୍ରୀ ଭାବେ ପବନ କୁମାର ଚାମଲିଙ୍ଗ ୨୪ ବର୍ଷ ୧୬୫ ଦିନ ଶାସନ କରିଥିଲେ। ସେହିପରି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ୨୩ ବର୍ଷ ୧୩୭ ଦିନ ଶାସନ କରିଥିଲେ ଜ୍ୟୋତି ବସୁ।

ନବୀନଙ୍କ ଏହି ୨୦ବର୍ଷ ସମୟ ମଧ୍ୟରେ ଓଡ଼ିଶା ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିଛି, କିଛି କ୍ଷେତ୍ରରେ ବିବାଦକୁ ବି ଆସିଛି। ୨୦୦୦ ମସିହାରେ ନବୀନ ଶାସନର ଡୋରି ହାତକୁ ନେବା ବେଳକୁ ୧୯୯୯ ମହାବାତ୍ୟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓଡ଼ିଶା। ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ ଜାତିସଂଘଠାରୁ ପ୍ରଶଂସା ଗୋଟାଇଛି। ବଡ଼ କଥା ହେଲା, ନବୀନଙ୍କ ନେତୃତ୍ବ ପ୍ରତି ଆଞ୍ଚ ଆସିଥିଲେ ବି କ୍ଷତି କରି ପାରିନାହିଁ। ଶାସନକଳ ଦୃଢ଼ ରହିଛି, ବିଧାନସଭାରେ ସରକାରୀ ଦଳର ସଂଖ୍ୟା ଭଳି। ସାଂପ୍ରଦାୟିକ ଶାନ୍ତିରକ୍ଷା, କ୍ରୀଡ଼ାର ବିକାଶ ଏବଂ ଐତିହ୍ୟର ସୁରକ୍ଷା ସହ ରାଜନୈତିକ ସ୍ଥିରତା ଆଣିବା େକ୍ଷତ୍ରରେ ନବୀନ ନିଜ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିପାରିଛନ୍ତି। ଓଡ଼ିଶା ବି ବିକାଶ ଆଡ଼କୁ ମୁହାଁଇଛି।

କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ
ନବୀନ ଓଡ଼ିଶାକୁ କେବଳ ଭାରତ ନୁହେଁ; ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ଥାପିତ କରିଛନ୍ତି। ଓଡ଼ିଶା ଏବେ ଭାରତ ସହ ସମଗ୍ର ବିଶ୍ବର ଅନ୍ୟତମ କ୍ରୀଡ଼ା ପେଣ୍ଠସ୍ଥଳୀ ଭାବେ ପରିଚିତ ହେଉଛି। କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ। ରାଜ୍ୟ କ୍ରୀଡ଼ାର ପ୍ରାଣକେନ୍ଦ୍ର ପାଲଟିଥିବା କଳିଙ୍ଗ ଷ୍ଟାଡିୟମର ଉନ୍ନତିକରଣଠାରୁ ଆରମ୍ଭ କରି ଏଠାରେ ବିଭିନ୍ନ କ୍ରୀଡ଼ାର ହାଇପର୍ଫମାନ୍ସ କେନ୍ଦ୍ର ସ୍ଥାପନ କରି ଓଡ଼ିଶା ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଓଡ଼ିଶାରେ ଏସୀୟ ଦୌଡ଼କୁଦ, ହକି ବିଶ୍ବକପ୍, ହକି ଚାମ୍ପିଅନ୍ସ ଟ୍ରଫି, ହକି ଇଣ୍ଡିଆ ଲିଗ୍, ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍, ଇଣ୍ଡିଆନ୍ ସୁପରଲିଗ୍, ଖେଲୋ‌ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭଳି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ସରିଛି। ଆଗକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସହ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ମ୍ୟାଚ୍ ମଧ୍ୟ ଓଡ଼ିଶାରେ ହେବାକୁ ଯାଉଛି। କେବଳ ଆୟୋଜନ ନୁ‌ହେଁ; ଓଡ଼ିଶା ମଧ୍ୟ ପ୍ରଥମ ରାଜ୍ୟ ଭାବେ କଳିଙ୍ଗ ଲାନସର୍ସ ଭଳି ହକି ଦଳର ମାଲିକ ହୋଇଥିଲା ବେଳେ ଜାତୀୟ ହକି ଦଳର ପ୍ରାୟୋଜକ ହେବାର ପାରଙ୍ଗମତା ଦେଖାଇ ପାରିଛି। ଏସୀୟ ଦୌଡ଼କୁଦ ଆୟୋଜନ ଅବସରରେ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଦେବାର ପରମ୍ପରା ଓଡ଼ିଶା ହିଁ ଆରମ୍ଭ କରିଛି। ସର୍ବୋପରି ଭୁବନେଶ୍ବରରେ ସ୍ଥାପିତ ହୋଇଥିବା ୭ରୁ ଅଧିକ ହାଇପର୍ଫମାନ୍ସ ସେଣ୍ଟରରେ ଦେଶ ବିଦେଶର ଖେଳାଳିମାନେ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ଲାଭ କରୁଛନ୍ତି। ସାରା ଦେଶର କ୍ରୀଡ଼ା କିଂବଦନ୍ତିମାନେ ଓଡ଼ିଶାକୁ ନିଜ ଦ୍ବିତୀୟ ଘର ଭାବେ ମୁକ୍ତ କଣ୍ଠରେ ସ୍ବୀକାର କଲେଣି। ରାଜ୍ୟ ଭିତରେ ସୁନ୍ଦରଗଡ଼ର ୧୭ ବ୍ଲକ୍‌ରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଇବା, କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସିଟିର ସ୍ଥାପନା, ରାଉରକେଲା, ସମ୍ବଲପୁର ଭଳି ସହରରେ କ୍ରୀଡ଼ା ବିଦ୍ୟାଳୟ ସ୍ଥାପନା ଭଳି କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି।

ରାଜନୀତିରେ ବି ଶୀର୍ଷରେ…
୨୦୦୦ ମସିହାରେ ଶାସନ କ୍ଷମତାକୁ ଆସିବା ପୂର୍ବରୁ ନିଜର ଅନ୍ୟତମ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଥିବା ନବୀନ ପରେ ପରେ ପ୍ରଥମ ପାଳିରେ ବିଜେଡିର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ବିଜେପିର ପ୍ରଶାନ୍ତ ନନ୍ଦ, କମଳା ଦାସଙ୍କୁ ବିଦା କରିବାର ଦୁଃସାହସ ଦେଖାଇଥିଲେ। ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡାଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ହସ୍ତୀଙ୍କୁ ଦଳର ବାହାର କବାଟ ଦେଖାଇଛନ୍ତି ନବୀନ। ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦଠାରୁ ଆରମ୍ଭ କରି ଏନ୍‌ସିପି, କଂଗ୍ରେସ, ବାମ ଦଳ ଓ ବିେଜପି ଉପରେ ସେ ପ୍ରଭାବ ବିସ୍ତାର କରିଛନ୍ତି ଏହି ୨୦ବର୍ଷ ମଧ୍ୟରେ। ଦୁଇ ଦୁଇଟି ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ପ୍ରଚଣ୍ଡ ଲୋକପ୍ରିୟତା ଥିବା ସତ୍ତ୍ବେ ନବୀନ କିନ୍ତୁ ତାଙ୍କ ବାଟ ଓଡ଼ିଶାରେ ଓଗାଳିବାରେ ସକ୍ଷମ େହାଇଛନ୍ତି। ପ୍ୟାରୀଙ୍କ ଅବର୍ତମାନରେ ୧୧୭ ସଂଖ୍ୟା ହାସଲ କରି ନବୀନ ନିଜ ନେତୃତ୍ବର ପରକାଷ୍ଠା ଦେଖାଇଥିଲେ। ମୋଦୀଙ୍କ ପ୍ରଭାବକୁ ପ୍ରତିହତ କରି ୨୦୧୯ରେ ୧୧୩ ଆସନ ଦଖଲ କରିଛନ୍ତି। ପରିଣାମ ହେଲା, ବିଜେପି ସ୍ବର ବଦଳାଇଛି ଓ ବନ୍ଧୁତ୍ବର ଭାଷା କହିବା ଆରମ୍ଭ କରିଛି। ନିକଟରେ ନବୀନଙ୍କ ଘରେ ବିଜେପିର ଅନ୍ୟତମ ଶୀର୍ଷ ନେତା ଅମିତ ଶାହ ମଧ୍ୟାହ୍ନ େଭାଜନ କରିଛନ୍ତି।

www.leeds-live.co.uk

ଅନ୍ତର୍ଜାତୀୟ ମାନ୍ୟତା ହାସଲ, ବିମାନ ବଢ଼ିଲା
ଓଡ଼ିଶାକୁ ବିମାନ ଉଡ଼ାଣ ସଂଖ୍ୟା ବଢ଼ିଛି। ବିମାନଯାତ୍ରୀ ଯାତାୟାତରେ ଭୁବନେଶ୍ବର ବିମାନବନ୍ଦର ଆଜି ଦେଶର ଅଗ୍ରଣୀ ବିମାନବନ୍ଦର ହୋଇଛି। ଓଡ଼ିଶା ବାସୀ ଦିଲ୍ଲୀ, ବମ୍ବେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ ଭଳି ସହରକୁ ଯେଉଁ ମୁହୂର୍ତ୍ତରେ ଯିବାକୁ ଚାହୁଁଛନ୍ତି ଯାଇପାରୁଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ପରେ ବିଦେଶକୁ ବିମାନ ଉଡ଼ାଣ ସମ୍ଭବ ହୋଇଛି। ଭୁବନେଶ୍ବରରୁ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ ହେଉଛି। ଏବେ ୭ଟି ବିମାନ କମ୍ପାନିର ପ୍ରାୟ ୫୦ଟି ବିମାନ ଦୈନିକ ଉଡ଼ାଣ କରୁଛି। ଭୁବନେଶ୍ବର ବିମାନବନ୍ଦରକୁ ଯେପରି ବୋଇଂ ବିମାନ ଉଡ଼ାଣ କରିବ ସେଥିପାଇଁ ରାଜ୍ୟ ସରକାର ରନ୍‌ୱେ ସମ୍ପ୍ରସାରଣ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି। ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ବିମାନବନ୍ଦର ସ୍ଥାପନ ହୋଇପାରିଛି। ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତା ଭଳି ସହରକୁ ବିମାନ ଉଡ଼ାଣ କରୁଛି। ରାଉରକେଲା, ଉତ୍‌କେଲା, ଜୟପୁର ଭଳି ସହରକୁ ବିମାନ ଉଡ଼ାଣ ଯୋଜନାରେ ରହିଛି।

ଖାଦ୍ୟ ଉତ୍ପାଦନରେ ବଳକା
୨୦୦୦-୦୧ ମସିହାରେ ୫୮.୨୯ଲକ୍ଷ େହକ୍ଟର ଚାଷ ଜମି ଥିଲା, ଏବେ ତାହା କମି କମି ଆସି ୫୩ଲକ୍ଷ ହେକ୍ଟର ତଳକୁ ଆସିଲାଣି। ଚାଷ ଜମିରେ ଶିଳ୍ପସଂସ୍ଥା, ସହର ଗଢ଼ି ଉଠିଛି ବୋଲି ଅଭିଯୋଗ ହୁଏ। କିନ୍ତୁ ଓଡ଼ିଶା ଇତିମଧ୍ୟରେ ଚାଉଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। ବଳକା ଚାଉଳ ବାହାରକୁ ରପ୍ତାନି କରୁଛି ବୋଲି ସରକାର ଦାବି କରିଛନ୍ତି। ଓଡ଼ିଶା ବାରମ୍ବାର କୃଷି କର୍ମଣ ପୁରସ୍କାର କେନ୍ଦ୍ର ସରକାରଙ୍କଠାରୁ ଗ୍ରହଣ କରିଛି। ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାର ନୂଆ କୃଷି ନୀତି କରିଛନ୍ତି।

ସମ୍ବନ୍ଧିତ ଖବର