ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ବିଜୁ ଜନତା ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା। ବିଶେଷ କରି ଉପକୂଳ ଓଡ଼ିଶାରେ ରହିଛି ତାଙ୍କର ରାଜନୈତିକ ଦବ୍ଦବା ଓ ପତିଆରା। ୨୦୦୦ ମସିହା ବିଧାନସଭା ନିର୍ବାଚନରେ ତିର୍ତ୍ତୋଲରେ କଂଗ୍ରେସର ପ୍ରଭାବଶାଳୀ ନେତା ବସନ୍ତ ବିଶ୍ବାଳଙ୍କୁ ହରାଇ ଦେବାଶିଷ ରାଜ୍ୟ ରାଜନୀତିରେ ପାଦ ରଖିଥିଲେ। ୨୦୦୪ରେ ତିର୍ତ୍ତୋଲରେ ପରାଜୟ ପରେ ସେ କଟକ ଫେରିଆସି ୨୦୦୯ ଓ ୨୦୧୪ରେ କଟକ-ବାରବାଟୀ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ କଟକ ବାରବାଟୀରୁ ପରାଜୟ ପରେ ୨୦୨୪ରେ ତାଙ୍କୁ ଦଳ ବିଧାନସଭା ଟିକେଟ୍ ଦେଇ ନଥିଲା। ଏହାପରେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ଦିଲ୍ଲୀ ପଠାଇଥିଲା। ବର୍ତ୍ତମାନର ବିଜେପି ସରକାର ପ୍ରସଙ୍ଗରେ ମତ ଦେଇ ସେ କହନ୍ତି, ପାଖାପାଖି ଦେଢ଼ ବର୍ଷ ପରେ ମଧ୍ୟ ବର୍ତ୍ତମାନର ମୋହନ ସରକାର ଦିଶାହୀନ । ବିଜେପି କେନ୍ଦ୍ର ନେତାଙ୍କ ରିମୋଟ୍ରେ ରାଜ୍ୟ ସରକାର ପରିଚାଳିତ ହେଉଛନ୍ତି। ଏକଦା ନବୀନଙ୍କର ଏକାନ୍ତ ଅନୁଗତ ଓ ଘନିଷ୍ଠ ଥିବା ଦେବାଶିଷ ସଂପ୍ରତି ବିଭିନ୍ନ ପ୍ରସଙ୍ଗରେ ରୋକ୍ଠୋକ୍ ମତ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବ୍ୟବସାୟରୁ ରାଜନୀତିକୁ ଆଗମନ, କଂଗ୍ରେସ ଅମଳରେ ପାରିବାରିକ ବିବାଦ, ବିଜେଡିରେ ପ୍ରବେଶ ଓ ପତିଆରା ହ୍ରାସ ଆଦି ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି।
ରାଜ୍ୟ ରାଜନୀତିରୁ ଆପଣଙ୍କୁ ଦୂରେଇ ରଖିବା ଲାଗି ରାଜ୍ୟସଭାକୁ ପଠାଗଲା ବୋଲି ଚର୍ଚ୍ଚା ହୁଏ। ଏଥିଲାଗି ଆପଣଙ୍କ ଦଳର କିଛି ନେତା ଯୋଜନା କରିଥିଲେ ବୋଲି ବି ଆଲୋଚନା ହୁଏ। ନବୀନବାବୁଙ୍କ ଘନିଷ୍ଠ ହୋଇଥିଲେ ହେଁ ଆପଣଙ୍କୁ ବିଧାନସଭା ଟିକେଟ୍ ନ ଦିଆଯିବା ଏହି ସନ୍ଦେହକୁ ଦୃଢ଼ୀଭୂତ କରୁଛି। ଆପଣ ଏଥିରେ ଏକମତ?
ଏହାକୁ ଅସ୍ବୀକାର କରିହେବନି। କୌଣସି ଗୋଷ୍ଠୀର ଏଥିରେ ଭୂମିକା ଥାଇପାରେ। କିନ୍ତୁ, ମୁଁ ବିଜେଡିର ସକ୍ରିୟ ସଦସ୍ୟ ଓ କର୍ମୀ। ନବୀନବାବୁ ମୋର ନେତା। ସେ ମୋତେ ରାଜନୀତିକୁ ଆଣିଛନ୍ତି। ସେ ଯେତେବେଳେ ଯେଉଁ ଦାୟିତ୍ବ ଦିଅନ୍ତି ତାହା ସମ୍ପନ୍ନ କରିବା ମୋର କର୍ତ୍ତବ୍ୟ। ଏହା ମଧ୍ୟ ସତ୍ୟ ଯେ ମୁଁ ରାଜ୍ୟସଭା ସାଂସଦ ହେବାପରେ କଟକ-ବାରବାଟୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନ ଅତିମାତ୍ରାରେ ଦୁର୍ବଳ ହୋଇପଡ଼ିଛି। ବିଜେଡିକୁ ଆମଦାନି ହୋଇ ଆସିଥିବା ପ୍ରକାଶ ବେହେରା ସବୁ ଛାଡ଼ିଛୁଡ଼ି ସାଲେପୁର ପଳାଇଲେ। ଅନ୍ୟ ଜଣେ ବିଜେଡି ନେତା ଯାହାଙ୍କୁ ମୁଁ ରାଜନୀତିକୁ ଆଣିଥିଲି ସେ ସଂଗଠନ କଥା ନ ବୁଝି କଟକ ମହାନଗର ନିଗମରେ ନିଜସ୍ବ ଧନ୍ଦାରେ ବ୍ୟସ୍ତ ରହିଲେ। ବର୍ତ୍ତମାନ ବିଜେଡି ସଂଗଠନ ସୁଦୃଢ଼ କରିବାକୁ ମୋତେ ବହୁତ ପରିଶ୍ରମ କରିବାକୁ ପଡୁଛି।
ଆପଣ ପାରିବାରିକ ବ୍ୟବସାୟ ଛାଡ଼ି କାହିଁକି ରାଜନୀତିକୁ ଆସିଲେ? ଏକ ସମୟରେ ବସନ୍ତ ବିଶ୍ବାଳଙ୍କ ସହିତ ଆପଣଙ୍କର ପାରିବାରିକ ବିବାଦ ଖୁବ୍ ଚର୍ଚ୍ଚାରେ ଥିଲା?
ମୋ ବାପା ନିତ୍ୟାନନ୍ଦ ସାମନ୍ତରାୟ କଂଗ୍ରେସ ଟିକେଟ୍ରେ ଲଢ଼ି ତିର୍ତ୍ତୋଲରୁ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ସେଠାରୁ ତାଙ୍କୁ କଂଗ୍ରେସ ଟିକେଟ୍ ଦିଆନଯାଇ ବସନ୍ତ ବିଶ୍ବାଳଙ୍କ ପୁଅଙ୍କୁ ଦିଆଗଲା। ତେଣୁ ବାପା ଜନତା ଦଳରେ ଯୋଗଦେଲେ। ସେତେବେଳେ ବାପା ମୋ ପାଇଁ ଓଡ଼ିଶାର ପ୍ରଥମ ବନସ୍ପତି ଘିଅ କାରଖାନା ପ୍ରତିଷ୍ଠା କରାଇଥିଲେ। ଏଥିଲାଗି ଓଡ଼ିଶା ଅର୍ଥ ନିଗମରୁ ଋଣ ଆସିଥିଲା ଏବଂ ମାତ୍ର ୧୫ରୁ ୨୦ ଲକ୍ଷ ଟଙ୍କା ପରିଶୋଧ କରିବାର ଥିଲା। ସେହି ସମୟରେ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ବାଳ ଏବଂ ଅର୍ଥ ବିଭାଗ ତାଙ୍କ ହାତରେ ଥିଲା। ସେ ମୋତେ ଋଣଖିଲାପକାରୀ ଦର୍ଶାଇ ମୋ ଘିଅ କାରଖାନା ବନ୍ଦ କରାଇଲେ ଏବଂ ଚାପ ସୃଷ୍ଟିକରି ଗିରଫ କରିବାକୁ ଗୋଡ଼ାଇଲେ। ପରିସ୍ଥିତି ଏଭଳି ହେବାରୁ ମୁଁ ବ୍ୟବସାୟ ଓ ଶିଳ୍ପ ଛାଡ଼ି ବାପାଙ୍କ ନିର୍ବାଚନ ମଣ୍ଡଳୀର ଦାୟିତ୍ବ ନେଲି।
ଆପଣ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କେମିତି ଘନିଷ୍ଠ ହେଲେ?
ସେତେବେଳେ ଜଗତ୍ସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ତ୍ରିଲୋଚନ କାନୁନ୍ଗୋ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ତାଙ୍କ ପାଇଁ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଯାଉଥିଲେ। ସେ ସମୟରେ ମୁଁ, ତ୍ରିଲୋଚନ କାନୁନ୍ଗୋ ଓ ନବୀନ ପଟ୍ଟନାୟକ ଅନେକ ଥର ଗୋଟିଏ ଗାଡ଼ିରେ ନିର୍ବାଚନ ପ୍ରଚାର କରିଥିଲୁ। ଥରେ ସେ କହିଲେ, ତୁମେ ବହୁତ ଭଲ ଇଂରାଜୀ କହୁଛ। ପରେ ସେ ମୋ ବିଷୟରେ ଓ ବାପାଙ୍କ ବିଷୟରେ ସବୁ ଜାଣିଲେ। ଦିନେ ସେ ହଠାତ୍ କହିଲେ, ତୁମେ ତିର୍ତ୍ତୋଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼। ଏହାପରେ ଆମେ ଘନିଷ୍ଠ ହୋଇଗଲୁ। ଯେଉଁଦିନ ମୁଁ ବସନ୍ତ ବିଶ୍ବାଳଙ୍କୁ ହରାଇଲି ସେଦିନ ନବୀନବାବୁ ମୋ ପିଠି ଥାପୁଡ଼େଇ ‘ୱା ୱଣ୍ଡର୍ଫୁଲ୍’ ବୋଲି କହିଥିଲେ। ସେଦିନ ମୁଁ ଆମ ପାରିବାରିକ ରାଜନୈତିକ ବିବାଦର ପ୍ରତିଶୋଧ ବି ନେଇଥିଲି। ସେ ଦିନଟି ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ।
ନବୀନବାବୁଙ୍କ ଅସୁସ୍ଥତା କଥା ଆପଣମାନଙ୍କୁ ଜଣା ନ ଯିବାକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ଏହାକୁ ନେଇ ଭି.କେ. ପାଣ୍ଡିଆନ୍ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଘଟଣାକୁ ଆପଣ କିଭଳି ଦେଖନ୍ତି?
ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ନେତାମାନଙ୍କୁ ଓ ରାଜ୍ୟବାସୀଙ୍କୁ ନ ଜଣାଇବା ଭୈରବବାବୁଙ୍କର ଏକ ବଡ଼ ଭୁଲ୍ ଏବଂ ଦଳ ପାଇଁ କ୍ଷତି। ଚିକିତ୍ସାଳୟରେ ଭର୍ତ୍ତି ହେବାପରେ ଆମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିଲୁ। ଘରେ ନବୀନବାବୁ ଅସୁସ୍ଥ ହେବା ସମୟରେ ସେ କାହିଁକି କାହାକୁ ଜଣାଇଲେ ନାହିଁ ତାହା ଭାବିଲେ ଦୁଃଖଲାଗେ। ନବୀନବାବୁ ଓଡ଼ିଶାର ନେତା। ତେଣୁ ତାଙ୍କର ସମସ୍ତ ଖବର ଓଡ଼ିଶାବାସୀ ଓ ଦଳର ନେତାମାନେ ଜାଣିବା ଦରକାର। ଭୈରବବାବୁ ‘ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍’ ବୋଲି ପ୍ରତିକ୍ରିୟା ଦେଇଥିବା କଥା ଯେମିତି ଚର୍ଚ୍ଚା ହେଲା ତାହା ମଧ୍ୟ ଠିକ୍ ନୁହେଁ। ଯଦି ଏହା ସତ ହୋଇଥାଏ, ତେବେ ଏହା ଅହଙ୍କାରର ପରିଚାୟକ। ସେ ଜାଣିବା ଦରକାର ଓଡ଼ିଶା ପାଇଁ ତାଙ୍କର ଅବଦାନ ଓ ସ୍ବପ୍ନ କିଛି ନାହିଁ। ପ୍ୟାରୀବାବୁ ବିଜେଡିର ସଂଗଠନ ତିଆରି କରିଥିଲେ ଏବଂ ୨୦୦୦ ମସିହାରୁ ବିଜୁବାବୁଙ୍କ ସ୍ବପ୍ନକୁ ନବୀନବାବୁ ସାକାର କରୁଛନ୍ତି।
୧୯୬୦ ଫେବ୍ରୁଆରି ୧୨ରେ କଟକର ରାଜାବଗିଚାରେ ଦେବାଶିଷ ସାମନ୍ତରାୟଙ୍କ ଜନ୍ମ। ଦେବାଶିଷଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟ ଥିଲେ ଜଣାଶୁଣା ଶିଳ୍ପପତି ଓ ରାଜନୈତିକ ବ୍ୟକ୍ତିତ୍ବ। ତାଙ୍କ ପରିବାର ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଆଶ୍ରିତ। ଇଂରାଜୀ ଓ ଫରାସୀ ଭାଷାରେ ଦକ୍ଷତା ରଖିଥିବା ଦେବାଶିଷ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମର ‘ଶ୍ରୀଅରବିନ୍ଦ ଇଣ୍ଟର୍ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏଜୁକେସନ୍’ରୁ ରାଜନୀତି ଓ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାର ପଣ୍ଡିଚେରୀରେ ଅବସ୍ଥାନ କରୁଛନ୍ତି।
ଦିଲ୍ଲୀରେ ନିର୍ବାଚନ କମିସନର୍ଙ୍କୁ ଭେଟିବା ପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଥିରେ କେବଳ ଜଣେ ସାଂସଦ ଉପସ୍ଥିତ ଥିଲେ। ଅନ୍ୟ ସାଂସଦମାନଙ୍କ ଅନୁପସ୍ଥିତି ଦର୍ଶାଉଛି କି ବିଜେଡିରେ ସବୁ ଠିକ୍ଠାକ୍ ନାହିଁ?
ଏ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସାଂସଦ ସୁଲତା ଦେଓ ଅଧିକ କହିପାରିବେ। ତେବେ ଅନ୍ୟ ବିଜେଡି ସାଂସଦମାନଙ୍କୁ ପ୍ରଥମରୁ ଏ ବିଷୟରେ ଅବଗତ କରାଯାଇ ନ ଥିଲା। ତେଣୁ ପଛରେ ଜଣାଇଲା ବେଳକୁ ସେମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତଥିବାରୁ ଯାଇପାରିଲେ ନାହିଁ।
ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ନବୀନବାବୁଙ୍କ ସହ ଆଲୋଚନା କରିଛନ୍ତି। ଏହାକୁ ନେଇ ବିଜେଡିର ରଣନୀତି କ’ଣ ରହିବ? ୱାକ୍ଫ ବିଲ୍ ଭଳି ସବୁ ଅଙ୍କ ଭୁଲ୍ଭାଲ୍ ହୋଇଯିବନି ତ?
ଦେଖନ୍ତୁ, ୱାକ୍ଫ ବିଲ୍ ପ୍ରସଙ୍ଗରେ ଆମେ ନିଶ୍ଚିତ ଭାବରେ ଏକ ପ୍ରକାର ହଟହଟା ହୋଇ ବଦନାମ ମୁଣ୍ଡାଇଛୁ। ଏଥିପାଇଁ ଯେଉଁମାନେ ଦାୟୀ ସମୟ ଆସିଲେ ଲୋକ ସେମାନଙ୍କ କଥା ବୁଝିବେ। ମୋ ଜାଣିବାରେ ନବୀନବାବୁଙ୍କ ସହିତ ସମସ୍ତେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ।
କୁହାଯାଏ, ନବୀନ ନିବାସକୁ ଆପଣଙ୍କର ଅବାଧ ପ୍ରବେଶ ଥିଲା। ହଠାତ୍ ଆପଣଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଲା। ଏ ଘଟଣା ମଧ୍ୟ ଗୋଟିଏ ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାର ସମାଧାନ ପାଇଁ ଆପଣଙ୍କ ସହିତ କେବେ ଆଲୋଚନା ହୋଇଛି?
କରୋନା ମହାମାରୀ ପରବର୍ତ୍ତୀ ସମୟରେ ନବୀନବାବୁଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା କଥା ଦର୍ଶାଇ ଭୈରବବାବୁ ତାଙ୍କୁ ଏକରକମ ଗୃହ ଭିତରେ ଆବଦ୍ଧ କରି ରଖିଲେ। ମୋର ଯିବାଆସିବା ଉପରେ କଟକଣା ଲାଗିବା ହେତୁ ସୃଷ୍ଟି ହୋଇଥିବା ଅବୁଝାମଣା ଦୂର କରିବାକୁ ସେ ମୋତେ ପ୍ରତାପ ଜେନାଙ୍କ ମାଧ୍ୟମରେ ଡକାଇଥିଲେ। ମୁଁ କିନ୍ତୁ କହିଲି, ମୁଁ ନବୀନବାବୁଙ୍କୁ ଭେଟିବି। ଏହାପରେ ବିଶେଷ କିଛି ଆଲୋଚନା ହୋଇନାହିଁ।