କୁଣ୍ଠିତ ନେତାରୁ ବିକଳ୍ପହୀନ

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୈତିକ ଆକାଶରେ ଉଭା ହେଲା ବେଳକୁ ତାଙ୍କ ଠାରେ କିଞ୍ଚିତ କୁଣ୍ଠା ପରିଲକ୍ଷିତ ହୋଇଥିଲା। ବିଜୁ ବାବୁଙ୍କ ଭଳି ଜଣେ ସର୍ବମାନ୍ୟ ରାଜନୈତିକ ବ୍ୟକ୍ତିତ୍ବ, ଯାହାଙ୍କ ଶୋଣିତର ପ୍ରତିଟି ବିନ୍ଦୁରେ ରାଜନୀତିର କଣିକା ଥିଲା, ତାଙ୍କର ପିତା ହୋଇଥିବା ସତ୍ତ୍ବେ ନବୀନ ବାବୁ ଥିଲେ ପ୍ରତ୍ୟକ୍ଷ ରାଜନୀତି ଠାରୁ ଆଲୋକ ବର୍ଷ ଦୂରରେ। ସେହି ଦୃଷ୍ଟିରୁ ଅନେକଙ୍କ ଧାରଣା ଥିଲା ଯେ ହୁଏତ ନବୀନ ପଟ୍ଟନାୟକ ଆଞ୍ଚଳିକ ରାଜନୀତିର ଦାବି ଓ ବାଧ୍ୟବାଧକତା ଆଗରେ ଅଧିକ କାଳ ତିଷ୍ଠି ରହିପାରିବେ ନାହିଁ।

ସେହି ସମୟରେ ଯେଉଁ ବିଜୁ ସମର୍ଥକ ପୋଖତ ରାଜନେତାମାନେ ନବୀନ ବାବୁଙ୍କୁ ଓଡ଼ିଶା ରାଜନୀତିରେ ପାଦ ଦେବା ଲାଗି ପ୍ରବର୍ତ୍ତାଇବାରେ ସମର୍ଥ ହୋଇଥିଲେ, ତାଙ୍କ ହାତ ଧରି ଡାକି ଆଣିଥିଲେ, ସେମାନେ ମଧ୍ୟ ବୋଧହୁଏ ଧରି ନେଇଥିଲେ‌ ଯେ ନବୀନ ବାବୁ ଅତି ଶୀଘ୍ର ରାଜ୍ୟ ରାଜନୀତିର ଦାଓଁପେଁଚ ଭିତରେ ବିରକ୍ତ ହୋଇ ଏଥି ପ୍ରତି ଆଗ୍ରହ ହରାଇ ବସିବେ। କିନ୍ତୁ ଏହା ପରିବର୍ତ୍ତେ ଯାହା ଦେଖିବାକୁ ମିଳିଛି, ତାହା ଐତିହାସିକ। ସେ କେବଳ ତିଷ୍ଠି ରହି ନାହାନ୍ତି, ତାଙ୍କ ନେତୃତ୍ବର ପରାକାଷ୍ଠା ଅଧିକରୁ ଅଧିକ ପ୍ରାଞ୍ଜଳ ହେବାରେ ଲାଗିଛି। ତାଙ୍କ ନେତୃତ୍ବରେ ବିଜେଡି ଲଗାତର ପାଞ୍ଚ ଥର ନିର୍ବାଚନ ଜିଣି ସରକାର ଗଠନ କରିଛି। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ଯେତେବେ‌ଳେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ଯେ ନବୀନ ବାବୁଙ୍କ ନେତୃତ୍ବ ଦୁର୍ବଳ ‌ହୋଇଯାଇପାରେ, ସେତିକିବେଳେ ତାହା ଅଧିକ ଉଜ୍ଜ୍ବଳ ହୋଇଛି।

ଶାସନକୁ ଆସୁ ଆସୁ ଦଳର ଦୁଇ ପୋଖତ ନେତା ବିଜୟ ମହାପାତ୍ର ଏବଂ ନଳିନୀ ମହାନ୍ତି ତାଙ୍କ ଆଦେଶରେ ଦଳରୁ ବହିଷ୍କୃତ ହେବା ପରେ ଅନେକ ଏକ ସନ୍ଦେହ ପ୍ରକାଶ କରିଥିଲେ ଯେ ରାଜନୀତିରେ ନୂଆ କରି ପାଦ ଦେଇଥିବା ନବୀନ ବାବୁ ଠିକଣା ଭାବେ ଗୋଟି ଚାଳନା କରି ନାହାନ୍ତି। ଏହା ତାଙ୍କର ସ୍ଥିତିକୁ ଦୁର୍ବଳ କରିବ। କିନ୍ତୁ ତାହା ଅଚିରେ ଭୁଲ ବୋଲି ପ୍ରମାଣିତ ହେଲା। ଉପରୋକ୍ତ ଦୁଇ ନେତା କ୍ରମେ ରାଜନୈତିକ କ୍ଷେତ୍ରରେ ନିଷ୍ପ୍ରଭ ଓ ଅପାଂକ୍ତେୟ ହୋଇଗଲେ। ସେହିଭଳି ୨୦୦୯ ମସିହାରେ ନିଜ ମେଣ୍ଟ ସାଥୀ ବିଜେପିର ହାତ ଛାଡ଼ି ଏକୁଟିଆ ନିର୍ବାଚନ ଲଢ଼ିବା ଲାଗି ବିଜେଡି ପ୍ରସ୍ତୁତ ହେବା ସମୟରେ ନବୀନଙ୍କ ନିଷ୍ପତ୍ତି ମଧ୍ୟ ଏଭଳି ସନ୍ଦେହ ସୃଷ୍ଟି କିନ୍ତୁ କରିଥିଲା। ଏକୁଟିଆ ନିର୍ବାଚନ ଲଢ଼ି ବିଜେଡି ୧୦୩ ଆସନ ପାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତାର ସହିତ ସରକାର ଗଠନ କଲା। ସେହିଭଳି ଦଳର ସଫଳତା ପଛର ଅସଲ ‘ବ୍ରେନ୍‌’ ବୋଲି କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଗଲା ପରେ ମଧ୍ୟ ଏଭଳି ଏକ ସନ୍ଦେହ ଘନୀଭୂତ ହୋଇଥିଲା। ସେହି ସମୟରେ ପ୍ୟାରୀ ବାବୁ ମଧ୍ୟ ପ୍ରତିଜ୍ଞା କରିଥିଲେ ଯେ ଅଚିରେ ବିଜେଡିର ପତନ ଘଟାଇବେ। ସେତିକିବେଳେ ଅନେକ ଧରି ନେଇଥି‌େଲ ଯେ ହୁଏତ ‘ଚାଣକ୍ୟ’ଙ୍କ ବିନା ‘ଚନ୍ଦ୍ରଗୁପ୍ତ’ ଦିଗହରା ହୋଇଯିବେ। କିନ୍ତୁ ତାହା ହେବା ପରିବର୍ତ୍ତେ ଦଳ ୨୦୧୪ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ସଫଳତାର ସହିତ ବିଜୟୀ ହେଲା।

ଲଗାତାର ତିନି ପାଳି ବିଜେଡି ନିର୍ବାଚନ ଜିଣିବା ପରେ କୁହାଗଲା ଯେ ଏହି ସଫଳତା ପଛରେ କାମ କରୁଛି ‘ଟିନା’ ଫ୍ୟାକ୍ଟର। ‘ଟିନା’ ହେଉଛି ଏକ ଇଂରେଜୀ ଅଭିବ୍ୟକ୍ତିର ସଂକ୍ଷିପ୍ତ ରୂପ, ଯାହା ହେଲା ‘ଦେୟାର ଇଜ ନୋ ଅଲଟରନେଟିଭ୍‌ ’ ଅର୍ଥାତ୍‌ କୌଣସି ବିକଳ୍ପ ନାହିଁ। କୁହାଗଲା ଯେ ବିରୋଧୀ ଦଳରେ ସମର୍ଥ ବିକଳ୍ପର ଅଭାବରୁ ନବୀନ ବାବୁ ନିର୍ବାଚନରେ ଜିଣିବାରେ ଲାଗିଛନ୍ତି। କିନ୍ତୁ ଯେଉଁମାନେ ରାଜ୍ୟ ରାଜନୀତିକୁ ଗଭୀର ଭାବେ ଅନୁଧ୍ୟାନ କରୁଛନ୍ତି ସେମାନେ ଜାଣନ୍ତି କିଭଳି ନବୀନ ବାବୁ ବିପୁଳ ଜନ ସମର୍ଥନ ବଳରେ ନିଜ ବିରୋଧୀମାନଙ୍କୁ ବିଧ୍ବସ୍ତ କରିବାରେ ସଫଳ ହୋଇଛନ୍ତି। ବିରୋଧୀ ଦଳରେ ତାଙ୍କର କୌଣସି ବିକଳ୍ପ ନ ଥିବା ଏକ ଭାଗ୍ୟର କଥା ନୁହେଁ, ବରଂ ସେ ତାହା ସାଧନ କରିଛନ୍ତି। ଦଳ ବାହାରେ ଓ ଦଳ ଭିତରେ ତାଙ୍କ ନେତୃତ୍ବ ସର୍ବମାନ୍ୟ ଏବଂ ବିକଳ୍ପହୀନ। ତେଣୁ ଏବେ ଯେଉଁ ଅଭିବ୍ୟକ୍ତିଟି ତାଙ୍କ ଲାଗି ପ୍ରଯୁଜ୍ୟ ହେବ, ତାହା ହେଲା ‘ନିଟା’। ନିଟା ହେଉଛି ଇଂରେଜୀ ଅଭିବ୍ୟକ୍ତି ‘ନବୀନ ଇଜ ଦ ଅଲଟରନେଟିଭ୍‌’ର ସଂକ୍ଷିପ୍ତ ରୂପ।

ଜଣେ କୁଣ୍ଠିତ ନେତାରୁ ‘ଟିନା’ ଦେଇ ‘ନିଟା’ରେ ପରିଣତ ହେବା କମ୍‌ ଐତିହାସିକ ନୁହେଁ।

ସମ୍ବନ୍ଧିତ ଖବର