ଲାଲଗଡ଼ରେ ନବୀନ : ହିଂସା ଛାଡି ବିକାଶରେ ସାମିଲ ହେବାକୁ ଆହ୍ଵାନ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନକ୍ସଲ ଗଡ଼ରେ ପାଦ ରଖି ସେମାନଙ୍କୁ ମୁଖ୍ୟସ୍ରୋତରେ ଫେରିବା ପାଇଁ ଖୋଲା ଆହ୍ଵାନ ଦେଇଛନ୍ତି। କହିଛନ୍ତି, ମୁଁ ନିବେଦନ କରୁଛି ନକ୍ସଲମାନେ ହିଂସାର ମାର୍ଗ ଛାଡ଼ନ୍ତୁ ଓ ବିକାଶ ମାର୍ଗରେ ପାଦ ଦିଅନ୍ତୁ। କେବଳ ସେତିକି ନୁହେଁ, ନକ୍ସଲମାନେ ମୁକ୍ତ ଅଂଚଳ ବୋଲି ଘୋଷଣା କରିଥିବା ବିଛିନ୍ନାଞ୍ଚଳରେ କେଇ ମିନିଟ୍‌ କାଟି ନକ୍ସଲ ଦମନ କ୍ଷେତ୍ରରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭାସମିତିରେ ନକ୍ସଲଙ୍କୁ ମୁଖ୍ୟ ସ୍ରୋତକୁ ଆସିବା ଲାଗି ଆହ୍ଵାନ ଦେଇଥିଲେ। ଆଜି କିନ୍ତୁ ନକ୍ସଲ ଗଡ଼ରେ ଯୋଗ ଦେଇ ରେକର୍ଡ କରିଛନ୍ତି। ବିଛିନ୍ନାଞ୍ଚଳକୁ ନବେ ଦଶକରୁ ନକ୍ସଲମାନେ ସେମାନଙ୍କର କବ୍‌ଜାକୁ ନେଇଯାଇଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ୨୦୦୮ ମସିହା ବେଳକୁ ଏହି ଅଞ୍ଚଳଟି ଏକ ପ୍ରକାର ନକ୍ସଲଙ୍କ ଦଖଲକୁ ଚାଲିଯାଇଥିବା ମନେ ହେଉଥିଲା। ପରିସଂଖ୍ୟନ ଦେଖିଲେ ୨୦୦୮ରୁ ୨୦୧୮ ମଧ୍ୟରେ ଚିତ୍ର ଆକାଶ ପାତାଳ ବଦଳିଛି। ଯେଉଁ ଗଡ଼ରେ ଆଜି ମୁଖ୍ୟମନ୍ତ୍ରୀ ପାଦ ରଖିଥିଲେ ସେହି ଅଂଚଳରେ ଗତ ୧୦ ବର୍ଷ ମଧ୍ୟରେ ୧୦୧ ଜଣ ସାଧାରଣ ନାଗରିକଙ୍କୁ ନକ୍ସଲମାନେ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡର ୩୭ ଯବାନଙ୍କ ସମେତ ମୋଟ ୭୭ ଜଣ ସୁରକ୍ଷା କର୍ମଚାରୀ ଏହି ଜିଲ୍ଲାରେ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ୨୮୩ ଜଣ ନକ୍ସଲ ଇତିମଧ୍ୟରେ ଗିରଫ ହୋଇଛନ୍ତି। ସରକାରୀ ପରିସଂଖ୍ୟାନ ଅନୁସାରେ ଏହି ଦଶ ବର୍ଷ ମଧ୍ୟରେ ୧୫୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ବ୍ୟତୀତ ୩ ହଜାର ୬୧୦ ଜଣ ମିଲିସିଆ ମୁଖ୍ୟସ୍ରୋତକୁ ଫେରିଥିବା ପୁଲିସ ରେକର୍ଡ କହୁଛି। ବିଏସ୍‌ଏଫ୍‌ ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଗୁରୁପ୍ରିୟା ସେତୁ ଆଜି ଯେଉଁ ଠାରେ ନିର୍ମାଣ ହୋଇଛି ଓ ଯେଉଁ ଅଂଚଳକୁ ସଂଯୋଗ କରିଛି, ଉଭୟ ସ୍ଥାନ ନକ୍ସଲଙ୍କ କବଜାରେ ଥିଲା। ଗୁରୁପ୍ରିୟା ପୋଲ ନିକଟରେ ସେମାନଙ୍କର ଏକ ବଡ ସହିଦସ୍ତମ୍ଭ ମଧ୍ୟ ନିର୍ମାଣ ହୋଇଥିଲା। ବିଏସ୍‌ଏଫ୍‌ ଏହାକୁ ଭାଙ୍ଗି ସେଠାରେ କ୍ୟାମ୍ପ କରିବା ସହିତ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ସେହିଭଳି ଗାଁ ଗାଁରେ ବିଏସଏଫ ଯବାନ ଜଗି ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଥିଲେ।

ଗୁରୁପ୍ରିୟା ସେତୁ ନିର୍ମାଣ କରିଥିବା ରୟାଲ ଇନଫ୍ରା ନିର୍ଦେଶକ ବୈଭବ ଜୈନ କହିଛନ୍ତି, ଆରମ୍ଭରୁ ନକ୍ସଲମାନେ ସେମାନଙ୍କୁ ଭୟ ଦେଖାଇ ଅର୍ଥ ମାଗିବାକୁ ଉଦ୍ୟମ କରୁଥିଲେ। ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ନିଜସ୍ୱ କ୍ୟାମ୍ପ ସୃଷ୍ଟି କରି ଏହାକୁ ପ୍ରତିହତ କରିବାକୁ ଆମେ ସକ୍ଷମ ହୋଇଛୁ। ସ୍ଥାନୀୟ ବିଧାୟକମାନେ କହିଛନ୍ତି, ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପୂର୍ବରୁ ଏହି ଅଂଚଳଟି ନକ୍ସଲଙ୍କ କବଜାରେ କେବଳ ଥିଲା ତାହା ନୁହେଁ, ସେମାନେ ଏଠାରେ ନିଜର କର୍ତ୍ତୃତ୍ୱ ଜାହିର କରିଛନ୍ତି। ସେତୁ ନିର୍ମାଣ ପରେ ତୁରନ୍ତ ଅଧିକ ବିଏସ୍‌ଏଫ୍‌ ଅବସ୍ଥାପିତ ହେଲେ ଯାଇ ସ୍ଥିତିରେ ଉନ୍ନତି ଆସିପାରେ।

ଅନ୍ୟପକ୍ଷରେ ଜଣେ ପୁଲିସ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ଆଜି ଦିନରେ ମଧ୍ୟ ପ୍ରତି ଗାଁରେ ମିଲିସିଆ ବା ସୂଚନାଦାତା ରହିଛନ୍ତି। ଆଦିବାସୀମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ସେମାନେ ଲୋକଙ୍କୁ ଉଠବସ କରାଉଛନ୍ତି। ପୁଲିସ ପଶି ପାରୁ ନାହିଁ। ଯଦିଓ ରାଜ୍ୟ ସରକାର ଏହାକୁ ଉତ୍କଷ୍ଟ ଆତ୍ମସମର୍ପଣ ପଲିସି କହିଛନ୍ତି ଓ ଏହି ବାବଦରେ ପ୍ରାୟ ୭ କୋଟି ଟଙ୍କା ବିନିଯୋଗ କରାଯାଇସାରିଲାଣି ତଥାପି ସେମାନଙ୍କୁ ଏଥିରୁ ନିବୃତ୍ତ କରାଯାଇପାରୁନାହିଁ। ସେମାନେ କ୍ୟାମ୍ପକୁ ବିରୋଧ କରୁଛନ୍ତି ଓ ଲୋକଙ୍କୁ ମତାଉଛନ୍ତି। ଏପରି ପରିସ୍ଥିତିରେ ସେତୁ ଆମକୁ ସହାୟକ ହେବ।

ପ୍ରକାଶଥାଉକି ଆନ୍ଧ୍ର ଓ ଛତିଶଗଡ଼ର ମାଓବାଦୀମାନେ ବିଛିନ୍ନାଞ୍ଚଳକୁ ସେମାନଙ୍କର ପରୀକ୍ଷାଗାର ଭାବେ ବ୍ୟବହାର କରିଆସୁଛନ୍ତି। ଏଠାରୁ ଓଡ଼ିଶା ସମେତ ଦୁଇ ତିନିଟି ରାଜ୍ୟ ପାଇଁ ନକ୍ସଲ ଆକ୍ରମଣ ଯୋଜନା ପ୍ରସ୍ତୁତି ହେଉଛି। ସାଧାରଣ ଲୋକଙ୍କୁ ଭୟଭୀତ କରି ସେମାନେ ନିଜର ଆଡ୍ଡାକୁ ଦିନକୁ ଦିନ ସୁଦୃଢ଼ କରିଚାଲିଛନ୍ତି। ଏପରି ସ୍ଥଳେ ଗୁରୁପ୍ରିୟା ସେତୁ ଓ ନବୀନଙ୍କ ଆହ୍ଵାନ ଏବଂ ସରକାରଙ୍କ ବିକାଶ ଖସଡ଼ା କେତେଦୁର ପ୍ରଭାବିତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର