କରୋନା ମୁକାବିଲା ପାଇଁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡିର ସବୁ ସାଂସଦ, ବିଧାୟକ ଦରମା ପ୍ରଦାନ କରିବାକୁ ନିବେଦନ, ବିଧାୟକ ଅମର ଶତପଥୀ ଦେଲେ ଗୋଟିଏ ମାସର ଦରମା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ)କୁ ଦାନ କରିଛନ୍ତି। ଏହି ଦୁଃସମୟରେ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଏହି ପାଣ୍ଠିକୁ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଏହା ପରେ ବିଜେଡି ପକ୍ଷରୁ ଏ ‌େନଇ ତତ୍‌କାଳ ପଦକ୍ଷେପ ନିଆଯାଇଛି। ଦଳର ସମସ୍ତ ସାଂସଦ ଓ ବିଧାୟକ ନିଜ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଦଳର ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ଏଭଳି ସମୟରେ ଆମ ସମସ୍ତଙ୍କୁ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ବିପୁଳ ଅର୍ଥର ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ-୧୯ ଫଣ୍ଡ)କୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତେଣୁ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ କୋଭିଡ-୧୯ ଫଣ୍ଡକୁ ଦଳର ବିଧାୟକ ଓ ସାଂସଦମାନେ ନିଜର ୩ ମାସର ଦରମା ଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନୁରୋଧକୁ ରକ୍ଷା କରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେବାକୁ ବିଧାନସଭା ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

କରୋନା ପାଇଁ ଅର୍ଥ ଦେଇପାରିବେ ବିଧାୟକ
ଭୁବନେଶ୍ବର : କରୋନା ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଚାଲିଛନ୍ତି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବିଧାୟକମାନଙ୍କୁ ସେମାନଙ୍କ ହାତପାଣ୍ଠି ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ ବିଧାୟକମାନେ କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ଅର୍ଥ ମଞ୍ଜୁର କରିପାରିବେ। ଏଥିପାଇଁ ୧୯୯୭ ବିଧାୟକ ହାତପାଣ୍ଠି ଖର୍ଚ୍ଚ ନେଇ ଉଦ୍ଦିଷ୍ଟ ସର୍ତ୍ତାବଳୀରେ ୬ଟି ପ୍ରକଳ୍ପକୁ ସାମିଲ କରାଯାଇଛି। ଯୋଜନା ଓ ସଂଯୋଜନ ବିଭାଗ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛି।

ଚିଠି ଅନୁଯାୟୀ, କରୋନା ବା କୋଭିଡ୍‌-୧୯କୁ ମୁକାବିଲା କରିବା ପାଇଁ ବିଧାୟକମାନେ ଆବଶ୍ୟକ ଲୋକଙ୍କୁ ନିୟୋଜିତ କରିପାରିବେ। ଅସ୍ଥାୟୀ ସ୍ବାସ୍ଥ୍ୟଶିବିର ପାଇଁ ଆବଶ୍ୟକ ମେଡିକାଲ ଉପକରଣ ଓ ପୋଷାକ କିଣାଯାଇପାରିବ। ସେହିପରି ଅସ୍ଥାୟୀ ଟଏଲେଟ୍‌ ବ୍ୟବସ୍ଥା, ରୋଗୀଙ୍କ ପରିବହନ ପାଇଁ ଭଡ଼ାରେ ଆମ୍ବୁଲାନ୍‌ସ୍‌ ଆଣିବା କିମ୍ବା ଅନ୍ୟ ଗାଡ଼ିର ବ୍ୟବସ୍ଥା, ଖାଦ୍ୟ, ପାନୀୟ, ପରିମଳ ଓ ତଦାରଖ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇପାରିବ। ଏହାସହିତ ସଙ୍ଗରୋଧ କେନ୍ଦ୍ର ପାଇଁ ହାତପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇପାରିବ ବୋଲି ସରକାର ଜଣାଇଛନ୍ତି। ଏଥିପାଇଁ ଜିଲ୍ଲାପାଳମାନେ ଆବଶ୍ୟକତା ମୁତାବକ ବିଧାୟକମାନଙ୍କ ସହ ଆଲୋଚନା କରି ହାତପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର