ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅନ୍ୟ କୌଣସି ନେତାଙ୍କ ଭାଗ୍ୟରେ ଯୁଟିନାହିଁ। ଲଗାତର ୪ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରଚିଛନ୍ତି ଇତିହାସ। ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ମଙ୍ଗ ଧରିଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ୭୧ ତମ ଜନ୍ମ ଦିବସ। ଏଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ରାଜନୈତିକ ଦଳ, ଅନୁଷ୍ଠାନ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହିତ ତାଙ୍କ ରାଜନୈତିକ ଜୀବନରେ ସେ ଆହୁରି ଉନ୍ନତି କରନ୍ତୁ ବୋଲି କାମନା କରିଛନ୍ତି।
ଆଜି ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହିତ ସୁସ୍ଥ ତଥା ନିରୋଗ ଦୀର୍ଘ ଜୀବନ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟ ପକ୍ଷରେ ନବୀନ ନିଜର ଜନ୍ମଦିନ ଅବସରରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ୧୭ ବର୍ଷର ରାଜନୀତିରେ ପାଲଟିଯାଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ ନେତା। ଚାରି ଚାରି ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ସେ କେବଳ ରେକର୍ଡ ସୃଷ୍ଟି କରି ନାହାଁନ୍ତି, ଆଞ୍ଚଳିକ ଦଳର ଏହି ସୁପ୍ରିମୋ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ରାଜ୍ୟରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି।

ଓଡ଼ିଶା ରାଜନୀତିରେ ନବୀନ ଯୁଗ :୧୯୯୭ – ୨୦୧୭ । ୧୯୯୭ ମସିହାରେ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ କଡ଼ ବଦଳାଇଥିଲା ରାଜ୍ୟ ରାଜନୀତିର ଇତିହାସ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ଅତି ଆକସ୍ମିକ ଭାବେ ରାଜନୀତିରେ ସେଦିନ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ୨୦ ବର୍ଷ ତଳେ ଯେତେବେଳେ ରାଜନୀତିରେ ନବୀନ ପ୍ରବେଶ କଲେ, ସେତେବେଳେ ତାଙ୍କ ବିଷୟରେ ଜାଣିଥିଲେ ଖୁବ କମ୍ ଲୋକ । ସେଦିନ ହୁଏତ କେହି ଅନ୍ଦାଜ ଲଗାଇ ପାରିନଥିଲେ ଯେ ନବୀନ ଦିନେ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ରାଜନୀତିରେ ସେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ରାଜନୀତିର ପୂରା ସମୀକରଣ । ୧୯୯୭ରେ ଆସ୍କା ଉପନିର୍ବାଚନରେ ଜିତି ସାଂସଦ ଭାବେ କ୍ୟାରିଅର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ୧୭ ବର୍ଷ ଧରି ରାଜ୍ୟ ଶାସନର ଡୋରି ।
ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ ନବୀନଙ୍କୁ ମୋହରା କରି ଅନୁକମ୍ପା ସାଉଁଟି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଗଢିଲେ ନିଜର ଇମାରତ୍ । ରାଜନୀତିକୁ ପ୍ରବେଶ କରିବାର କିଛି ମାସ ମଧ୍ୟରେ ଗଢା ହେଲା ବିଜେଡି । ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ । ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜ ମୁକୁଟ । ଏହା ପୂର୍ବରୁ ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ରାସ୍ତାରୁ ହଟାଇ ସାରିଥିଲେ ନବୀନ। ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦେଇଥିଲେ ସେ । ବିରୋଧୀଙ୍କ ମୁହଁ ଉପରେ ଦୁର୍ନୀତିର କଳାଚାଦର ଢାଙ୍କି ଦେଇ ନବୀନ ନିର୍ମାଣ କଲେ ନିଜର ସ୍ୱଚ୍ଛ ଭାବମୂତି । ଏହା ସହ ବଢିଚାଲିଲା ତାଙ୍କର ଲୋକପ୍ରିୟତା ।
ବିଜେପି ହାତ ଛାଡ଼ି ବି ନବୀନ ସଫଳ: ୨୦୦୪ ନିର୍ବାଚନରେ ପୁଣି ଥରେ ଓଡ଼ିଶାବାସୀଙ୍କ ଭରସା ଓଜାଡି ହୋଇ ପଡିଥିଲା ତାଙ୍କ ଉପରେ । ତେବେ ୨୦୦୯ ନିର୍ବାଚନ ଥିଲା ତାଙ୍କ ପାଇଁ ଅଗ୍ନିପରୀକ୍ଷା । ପ୍ରଥମ ଥର ପାଇଁ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ସେ । ପ୍ରଥମେ ତାଙ୍କ ବିଜୟର ବଡ ଶ୍ରେୟ ନେଉଥିଲା ବିଜେପି । ୨୦୦୯ରେ ସେ ପ୍ରମାଣ କରିଥିଲେ ବିଜେଡି ଓ ତାଙ୍କ ନେତୃତ୍ୱର ଏକକ ଲୋକପ୍ରିୟତା । ଆଉ ୨୦୧୪ରେ ସେ ଯାହା କରି ଦେଖାଇଥିଲେ, ତାହା ଥିଲା ଅନ୍ୟ ଏକ ଇତିହାସ । ଯେଉଁ ପ୍ୟାରୀମୋହନ ମହାପାତ୍ରଙ୍କ ସାଂଗଠନିକ କୌଶଳ ବିଜେଡି ସଫଳତାର ଚାବିକାଠି କୁହାଯାଉଥିଲା ତାକୁ ବି ଭୁଲ ପ୍ରମାଣିତ କରିଥିଲେ । ସାରା ଭାରତରେ ବହୁଥିବା ମୋଦିଙ୍କ ହାୱା ମଧ୍ୟ ଓଡ଼ିଶାରେ ପ୍ରଭାବହୀନ ହୋଇଥିଲା । ୧୨୦ ଆସନ ଜିତି ନବୀନ ଏକାକୀ ସରକାର ଗଢିଲେ । ନବୀନ ପ୍ରମାଣ କରିଥିଲେ, ଜନମାନସରେ ସେ ହିଁ ଏକମାତ୍ର ଜନନେତା । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଜାତୀୟ ଗଣମାଧ୍ୟମ ପତ୍ରିକା ‘ଆଉଟଲୁକ’ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ କରାଯାଇଥିଲା ।
୨୦୧୯ ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ସମୀକରଣ ସହ ପ୍ରସ୍ତୁତ ହେଉଛି ନିର୍ବାଚନ ମଇଦାନ । ପଂଚାୟତ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇବା ପରେ ଉତ୍ସାହ ଖେଳିଯାଇଛି ବିଜେପି ଶିବିରରେ । ସେପଟେ ବିଜେଡିରେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ନେଇ କିଛି ନେତା ପ୍ରଶ୍ନଚିହ୍ନ ଲଗାଇଛନ୍ତି ।
ନବୀନଙ୍କ ପାଇଁ ଚ୍ୟାଲେଞ୍ଜ :ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତିର ପାଣିପାଗ ସରଗରମ ହୋଇଛି । ୧୭ ବର୍ଷ ଧରି ଅପ୍ରତିଦ୍ୱନ୍ଦୀ ଭାବେ ରାଜ୍ୟ ଶାସନର ମଙ୍ଗ ଧରିଥିବା ନବୀନଙ୍କ ଆଗରେ ଏବେ ସୃଷ୍ଟି ହୋଇଛି ନୂଆ ଚ୍ୟାଲେଂଜ । ୨୦୧୭ ପଂଚାୟତ ନିର୍ବାଚନ ପରେ ହଠାତ ରାଜନୈତିକ ପାଣିପାଗ ବଦଳିଛି । ୨୦୧୯ ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ସମୀକରଣ ସହ ପ୍ରସ୍ତୁତ ହେଉଛି ନିର୍ବାଚନ ମଇଦାନ । ପଂଚାୟତ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇବା ପରେ ଉତ୍ସାହ ଖେଳିଯାଇଛି ବିଜେପି ଶିବିରରେ । ସେପଟେ ବିଜେଡିରେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ନେଇ କିଛି ନେତା ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଗୋଟିଏ ପଟେ ନିଷ୍କଂଟକ ଭାବେ ୧୭ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଶିବିରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ବଦଳୁଥିବା ପରିସ୍ଥିତିରେ ପୁନର୍ବାର କ୍ଷମତାକୁ ନିଜ ହାତମୁଠାରେ ରଖିବାକୁ ଉଦ୍ୟମ କରୁଛି ବିଜେଡି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତ ଅଭିଯାନ ଯୋଜନାରେ ଟାର୍ଗେଟ ରହିଛି ଓଡ଼ିଶା ଦଖଲ। ପଂଚାୟତ ନିର୍ବାଚନ ପରେ ଓଡ଼ିଶା ଦଖଲ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଂଟ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମିଶନ ୧୨୦ର ନାରା ଦେଇ ଓଡ଼ିଶାରେ ଶକ୍ତି ସଂଗ୍ରହ ପାଇଁ ଲାଗି ପଡିଛି ବିଜେପି । ସେପଟେ ଦଳର ଅଧ୍ୟକ୍ଷ ଅମିତ ଶାହା, ନବୀନଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୨୦୧୭ ମସିହା ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାମାନେ ନବୀନଙ୍କ ପ୍ରତି ଏଭଳି ଆଭିମୁଖ୍ୟ କେବେ ବି ଦେଖାଇନଥିଲେ । ଗତ ୪ଟି ନିର୍ବାଚନରେ ବିରୋଧୀ ଦଳକୁ ଫୁ’ କରି ଉଡାଇ ଦେଇଥିବା ନବୀନଙ୍କ ପାଇଁ ଏହା ହେବ ପ୍ରକୃତ ଏସିଡ୍ ଟେଷ୍ଟ ।