ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମାଦଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୪ର୍ଥ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା କୁଷ୍ମାଣ୍ଡା ରୂପରେ ।
ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି । ସେ ଅଷ୍ଟଭୂଜା, ନିଜର ବିଭିନ୍ନ ହସ୍ତରେ କମଣ୍ଡଳୁ,ଧନୁ,ତୀର,ପଦ୍ମ, ମଦ୍ୟପାତ୍ର, ଚକ୍ର ଓ ଗଦା । ଅଷ୍ଟମହସ୍ତରେ ସେ ଜପମାଳା ଧରିଥାନ୍ତି । ଏହି ଜପମାଳା ମାଧ୍ୟମରେ ସେ ଭକ୍ତମାନଙ୍କୁ ଅଷ୍ଟସିଦ୍ଧି ଓ ନବନିଧି ପ୍ରଦାନ କରିଥାନ୍ତି । ସହସ୍ର ସୂର୍ଯ୍ୟସମ ତେଜପ୍ରକାଶ କରୁଥିବା ମା କୁଷ୍ମାଣ୍ଡା ଆଦିତ୍ୟନାରାୟଣଙ୍କ ମୂଳ ଶକ୍ତି ସ୍ୱରୂପା ଓ ତାଙ୍କରି ତେଜରେ ହିଁ ସମଗ୍ର ବିଶ୍ୱ ଆଲୋକିତ ହେଉଛି । ସେ ସୂର୍ଯ୍ୟମଣ୍ଡଳର କେନ୍ଦ୍ରସ୍ଥଳରେ ବାସ କରନ୍ତି । ଏଣୁ ସେ ସୂର୍ଯ୍ୟ ଭଗବାନଙ୍କ ପରମାରାଧ୍ୟା ଇଷ୍ଟଦେବୀ । ମାତା କୁଷ୍ମାଣ୍ଡାଙ୍କ ମନ୍ଦ ହାସ୍ୟରୁ ହିଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିବାରୁ ତାହା ବ୍ରହ୍ମାଣ୍ଡ ନାମରେ ପରିଚିତ । କୁଷ୍ମାଣ୍ଡା ତିନୋଟି ଶବ୍ଦର ମିଶ୍ରଣ-କୁ(କ୍ଷୁଦ୍ର),ଉଷ୍ମ ଓ ଅଣ୍ଡା । ଏହାର ସାମଗ୍ରିକ ଅର୍ଥ ହେଉଛି ଯିଏ ନିଜର ଶକ୍ତି ବଳରେ ଅଣ୍ଡା ସଦୃଶ ବିଶ୍ୱକୁ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ ପାଣିକଖାରୁ ବା କୁଷ୍ମାଣ୍ଡ ତାଙ୍କର ଅତିପ୍ରିୟ, ସେଥିପାଇଁ ସେ କୁଷ୍ମାଣ୍ଡା ନାମରେ ପରିଚିତ ।