ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୮ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ମହାଗୌରୀ ରୂପରେ ।

Advertisment

ନବଦୁର୍ଗାଙ୍କ ଅଷ୍ଟମ ରୂପ ହେଲେ ମା ମହାଗୌରୀ। ସେ ପରିଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ। ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ରୁ, ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ। ଶାସ୍ତ୍ର ଅନୁସାରେ, ମହାତପସ୍ୟାରୁ ଶରୀର କଳାବର୍ଣ୍ଣ ହୋଇଥିବା ପାର୍ବତୀଙ୍କୁ ମହାଦେବ ଗଙ୍ଗାଜଳ ସ୍ନାନ କରାଇଥିଲେ, ଯାହାରୁ ସେ ହିମଶୁଭ୍ର ରୂପ ପ୍ରାପ୍ତ କରି ମହାଗୌରୀ ନାମରେ ପରିଚିତ ହେଲେ। ମା ମହାଗୌରୀଙ୍କ ପୂଜାରୁ ଭକ୍ତମାନେ ପାପ, ଦୁଃଖ ଓ ଦାରିଦ୍ର୍ୟରୁ ମୁକ୍ତି ପାଆନ୍ତି। ସେ ସୁଖ, ସମୃଦ୍ଧି ଓ ମୋକ୍ଷର ପ୍ରଦାତ୍ରୀ।

ଧ୍ୟାନ
ଶ୍ଵେତେ ଵୃଷେ ସମାରୂଢା ଶ୍ଵେତାଂବରଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଦ୍ୟାନ୍ମହାଦେଵପ୍ରମୋଦଦା ॥