ବିଶ୍ୱର ସବୁଠୁ ଛୋଟ ମହିଳା ଭାବେ ରେକର୍ଡ ସୃଷ୍ଟି କରିଥିବା ୩୩ ବର୍ଷୀୟ ଏଲିଫଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଛୋଟ ମହିଳା ଥିବା ଏଲିଫ କୋକାମନଙ୍କ ପରଲୋକ । ମାତ୍ର ୩୩ ବର୍ଷ ବୟସରେ ଏଲିଫଙ୍କର ମୃତ୍ୟୁ ହୋଇଛି । ତୁର୍କୀର କାଦିରଲୀ ସହରରେ ରହୁଥିବା ଏଲିଫଙ୍କ ନାଁ ପୂର୍ବରୁ ବିଶ୍ୱର ଛୋଟ ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଥିଲା । ୨୦୧୦ରେ ପୂରା ବର୍ଷେ ପର୍ଯ୍ୟନ୍ତ ଏଲିଫଙ୍କ ନାଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ରହିଥିଲା ।

ସୂଚନା ମୁତାବକ, ଗତ ମଙ୍ଗଳବାର ଏଲିଫଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଏହି କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଗଲା । ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଏଲିଫଙ୍କ ଶରୀରର ଅନେକ ଅଙ୍ଗ କାମ କରୁନଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏଲିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା । ଆଉ ଗୁରୁବାର ଦିନ ଏଲିଫଙ୍କର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏଲିଫଙ୍କ ଶରୀରର ଉଚ୍ଚତା ୭୨.୬ ସେଣ୍ଟିମିଟର ବା ୨.୫ ଫୁଟ୍ ରହିଥିଲା । ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ନିଜ ନାଁ ସାମିଲ ହେବା ପରେ ଏଲିଫ କହିଥିଲେ ଯେ, ମୋର ବିଶ୍ୱାସ ଥିଲା ଯେ, ଦିନେ ନା ଦିନେ ମୋତେ ପୂରା ବିଶ୍ୱ ଚିହ୍ନିବ । ପିଲାବେଳେ ମୋ ଉଚ୍ଚତାକୁ ନେଇ ସ୍କୁଲରେ ବହୁତ ଚିଡାଉଥିଲେ । କିନ୍ତୁ ଏହି ଉଚ୍ଚତା ପାଇଁ ମୋତେ ଏକ ଭିନ୍ନ ପରିଚୟ ମିଳିଥିଲା । ଏବେ ମୋ ଉଚ୍ଚତାକୁ ନେଇ ମୁଁ ଗର୍ବିତ ବୋଲି କହିଥିଲେ ଏଲିଫ୍ ।

एलीफ कोकामन (फाइल फोटो)
aajtak

ଏଲିଫଙ୍କ ମା’ କୁହନ୍ତି, ଯେତେବେଳେ ଏଲିଫ୍ ଗର୍ଭରେ ଥିଲେ ସେତେବେଳେ କୌଣସି ସମସ୍ୟା ନଥିଲା । ଏପରିକି ଜନ୍ମ ବେଳେ ମଧ୍ୟ ସାଧାରଣ ଶିଶୁଙ୍କ ଭଳି ଜନ୍ମ ନେଇଥିଲେ ଏଲିଫ୍ । ଏପରିକି ଜନ୍ମ ବେଳେ ତାଙ୍କର ଓଜନ ୧.୬ କିଲୋଗ୍ରାମ ଥିଲା । ତେବେ ଜନ୍ମର କିଛି ଦିନ ପରେ ଏଲିଫଙ୍କ ଉଚ୍ଚତା ବେଶି ବଢୁନଥିବା ଜାଣିବାକୁ ମିଳିଥିଲା । ଯେତେବେଳେ ଏଲିଫଙ୍କୁ ୪ ବର୍ଷ ହେଲା ସେତେବେଳେ ତାଙ୍କର ଆଉ ଉଚ୍ଚତା ବଢିନଥିଲା । ଆଉ ଏହାପରେ ମାତ୍ର ୨.୫ ଫୁଟର ହୋଇ ରହିଯାଇଥିଲେ ଏଲିଫ୍ ।

ଏନେଇ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଏଲିଫଙ୍କ ଉଚ୍ଚତା ନ ବଢିବା ପଛର କାରଣ ଜଣାପଡିନଥିଲା । ଯେତେବେଳେ ଏଲିଫଙ୍କୁ ୧୦ ବର୍ଷ ହେଲା ଏବଂ ତାଙ୍କର ଉଚ୍ଚତା ଆଉ ବଢିଲା ନାହିଁ ସେତେବେଳେ ସବୁ ଆଶା ଛାଡି ଦେଇଥିଲେ ବାପା-ମା’ । ୨୦୧୧ରେ ଏଲିଫଙ୍କର ଏହି ରେକର୍ଡକୁ ଆମେରିକାର ବ୍ରିଜେଟ ଜୋର୍ଡାନ ଭାଙ୍ଗିଥିଲେ । ବ୍ରିଜେଟଙ୍କ ଉଚ୍ଚତା ୬୯ ସେଣ୍ଟିମିଟର ଅଥାର୍ତ ୨.୩ ଫୁଟ୍ ରହିଥିଲା । ଜୋର୍ଡାନଙ୍କ ମୃତ୍ୟୁ ୨୦୧୯ରେ ହେବା ପରେ ଏହି ରେକର୍ଡ ଏବେ ଭାରତର ଜ୍ୟୋତି କିଶାନଜୀଙ୍କ ନାଁରେ ରହିଛି । ଜ୍ୟୋତିଙ୍କ ଉଚ୍ଚତା ୬୨.୮ ସେଣ୍ଟିମିଟର ରହିଛି ।

ସମ୍ବନ୍ଧିତ ଖବର