ଭୁବନେଶ୍ବର: ଆମେ ଏମିତି ଏକ ସମାଜରେ ବଞ୍ଚୁଛେ… ଯେଉଁଠି ଯେଉଁ ଜଗତ ଜଣେ ନାରୀକୁ ଦେବୀ ରୂପେ ପୂଜା କରୁଛି ସେହି ଜଗତରେ ନାରୀଙ୍କ ପ୍ରତି ଅପରାଧ ବଢୁଛି… ସେମାନଙ୍କ ପ୍ରତି ନିର୍ଯାତନା ବଢୁଛି । ଗୋଟେ ପଟେ ମାଟିର ମାଆକୁ ପୂଜା କରି, ମାଆ ଦୁର୍ଗାଙ୍କୁ ଆବାହନୀ କରି ନାରୀକୁ ସମ୍ମାନର ବାର୍ତ୍ତା ଦିଆଯାଉଥିବା ବେଳେ ସେହି ସମାଜରେ ରକ୍ତ ମାଂସରେ ଗଢା ଜଣେ ନାରୀକୁ ଅପମାନ କରାଯାଉଛି । ତା ପ୍ରତି ଦୃର୍ବବ୍ୟହାର ହେଉଛି… ଆଶ୍ଚର୍ଯ୍ୟ ଲାଗୁଛି- ଏମିତି କେମିତି ହୋଇପାରେ ? ଯେଉଁ ହାତ ଦେବୀଙ୍କୁ ପୂଜି ପାରେ ସେହି ହାତ ନାରୀକୁ କେମିତି ଆସୁରିକ ଆକ୍ରମଣ କରିପାରେ ? ସତରେ ଆମେ ମଣିଷ ତ ? ନା ମଣିଷ ନାଁରେ ଜଣେ ଜଣେ ମହିଷାସୁର… ଯାହାର ଖୁଲାସା କରିଛି ଏନସିଆରବି ରିପୋର୍ଟ…
ନାରୀ ଆଜି ବି ପୀଡିତା, ନାରୀ ଆଜି ବି ନିର୍ଯାତିତା… ଖାଲି ଭାଷଣରେ ନାରୀଙ୍କୁ ସମ୍ମାନର କଥା କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏ ସମାଜ ନାରୀକୁ ଅପମାନ ଦିଏ, ବାଟରେ କମେଣ୍ଟ ମାରି ମାନସିକ ନିର୍ଯାତନା ଦିଏ, ଲୋଲୁପ ଦୃଷ୍ଟିରେ ନାରୀଙ୍କୁ ଦେଖେ… ଏମିତି କେତେ କଣ ସମସ୍ୟା ନାରୀଟିଏ ସମାଜରୁ ସହେ ତାର ହିସାବ ରିପୋର୍ଟରେ ପ୍ରତିଫଳିତ ହୋଇଛି ।
ତେବେ ନାରୀଟିଏ ଖାଲି ସମାଜରେ ନୁହେଁ ମାଆର ଗର୍ଭ ବେଳୁ ସଂଘର୍ଷ କରେ । ଭୃଣ ହତ୍ୟାରୁ ଆରମ୍ଭ ହୁଏ ଗୋଟେ ନାରୀର ସଂଘର୍ଷ । ଝିଅ ବଢ ହେଲେ ପାଖ ପଡୋଶୀଙ୍କ ନଜରରୁ ବଞ୍ଚାଇବାକୁ ହୁଏ । ସ୍କୁଲ ଗଲେ ତାକୁ ଜଗି ଛକି ଚଳିବାକୁ ପଡେ । ଘରୁ ବାହାରକୁ ଗଲେ ତାର ସୁରକ୍ଷା ନେଇ ଚିନ୍ତିତ ଥାନ୍ତି ପରିବାର ଲୋକେ । କଲେଜରେ ବି ନାରୀ ଅସୁରକ୍ଷିତ । କେବେ ପ୍ରେମରୁ ପ୍ରତାରଣାର ଶିକାର ପରେ ଏସିଡ ଆକ୍ରମଣ ତ କେବେ ମରଣାନ୍ତକ ଆକ୍ରମଣ ସହେ ନାରୀ । ବିବାହ ପରେ ଯୌତୁକ ଯାତନା, ଶାରୀରିକ ନିର୍ଯାତନା ବି ସହେ ନାରୀ । ଏମିତି କେତେ କଣ ସମସ୍ୟାର ସାମ୍ନା ନାରୀଟିଏ କରୁଥିବା ବେଳେ ଆଜି ସେହି ପୁରୁଷମାନେ, ସେହି ସମାଜ ଜଣେ ନାରୀଙ୍କୁ ଦେବୀ ରୂପେ ପୁଜୁଛି । ଏଠି ପ୍ରଶ୍ନ ଉଠୁଛି ମାଆ ଦୁର୍ଗା ବି ତ ନାରୀ, ତାଙ୍କୁ ଯଦି ଏତେ ପୂଜା, ଏତେ ସମ୍ନାନ ତେବେ ଅନ୍ୟ ନାରୀଙ୍କୁ କାହିଁକି ନୁହେଁ…
ସେପଟେ ସମସ୍ତଙ୍କୁ ଚମକାଇ ଦେଇଛି ୨୦୨୩ର ଏନସିଆରବି ରିପୋର୍ଟ । ଯେଉଁଥିରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ୨୦୨୨ ଠାରୁ ବୃଦ୍ଧି ପାଇଛି । ଆଉ ତାହା ୪,୪୮,୨୧୧ ହୋଇଛି। ଆଇପିସି ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ଅଧୀନରେ ଅଧିକାଂଶ ମାମଲା ‘ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା’ (୧,୩୩,୬୭୬ ମାମଲା, ୨୯.୮%), ୪,୧୯୯ଟି ଯୌନ ଶୋଷଣ ଏବଂ ‘ମହିଳା ଅପହରଣ’ (୮୮,୬୦୫ ମାମଲା, ୧୯.୮%) ଅଧୀନରେ ପଞ୍ଜୀକୃତ ହୋଇଛି। ‘ମହିଳାଙ୍କ ପ୍ରତି ଆକ୍ରମଣ’ (୮୩,୮୯୧ ମାମଲା, ୧୮.୭୧%) ଏବଂ ‘ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ (ପୋକ୍ସୋ)’ (୬୬,୨୩୨ ମାମଲା, ୧୪.୮%) ଅଧୀନରେ ପଞ୍ଜୀକୃତ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଓଡିଶା ଏହି ମହିଳା ବିରୋଧୀ ମାମଲାରେ ଶୀର୍ଷ ୧୦ ରାଜ୍ୟରୁ ୩ୟ ସ୍ଥାନରେ ରହିଛି ।
ଅପରାଧ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଦେଶର ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶାର ନାଁ ରହିଛି। ମହିଳା ଓ ଶିଶୁ ବିରୋଧୀ ଅପରାଧ ଠାରୁ ଆରମ୍ଭ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ନିର୍ଯାତନା, ସାଇବର ଅପରାଧ ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଉଦ୍ବେଗଜନକ । ଏନ୍ସିଆର୍ବି ରିପୋର୍ଟ-୨୦୨୩ରେ ଓଡ଼ିଶାର ଅପରାଧ ସ୍ଥିତିକୁ ନେଇ ଏହି ବିକଳ ଚିତ୍ର ପଦାକୁ ଆସିଛି। ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି।
ମହିଳା ବିରୋଧୀ ଅପରାଧରେ ଜାତୀୟ ସ୍ତରରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୨୩ ମସିହାରେ ପ୍ରତି ଏକ ଲକ୍ଷ ମହିଳା ଜନସଂଖ୍ୟାରେ ଅପରାଧ ହାର ୯୦.୨ରେ ପହଞ୍ଚିଛି, ଯାହାକି ଭାରତରେ ସର୍ବାଧିକ। ୨୦୦୦ ମସିହାରେ ୮୨୧୪ ମାମଲା ରୁଜୁ ହୋଇଥିବା ବେଳେ ୨୦୨୩ରେ ୩୬୪୩୨ ମାମଲା ରୁଜୁ କରାଯାଇଛି। ଏହା ୩୪୩%କୁ ବୃଦ୍ଧି ପାଇଛି। ୨୦୧୫ ମସିହାରେ ୨୦୯୬୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୩୧୩୫୨କୁ ବୃଦ୍ଧି ପାଇଛି ଏବଂ ୨୦୨୩ରେ ଏହା ୩୬୪୩୨ରେ ପହଞ୍ଚିଛି। ଯାହାକି ୮ ବର୍ଷ ମଧ୍ୟରେ ୭୪% ବୃଦ୍ଧି ପାଇଛି। କେବଳ ୨୦୨୨ ତୁଳନାରେ ୨୦୨୩ରେ ଓଡ଼ିଶାରେ ୨.୬୩ ପ୍ରତିଶତ ମହିଳା ବିରୋଧୀ ଅପରାଧ ମାମଲା ବୃଦ୍ଧି ପାଇଛି। ୨୦୨୩ ମସିହାରେ ଅପହରଣ ନେଇ ୫୨୧୩ଟି ମାମଲା ପଞ୍ଜୀକୃତ ହୋଇଛି। ଯାହାକି ୨୦୨୨ର ୪୯୮୨ ମାମଲା ତୁଳନାରେ ୪.୬% ଅଧିକ। ଏହି ଅପହରଣ ମାମଲାରେ ୨୯୧୪ ଜଣ ମହିଳା ଓ ବାଳିକା ଏବଂ ୧୮୭୩ ଜଣ ଶିଶୁ ଶିକାର ହୋଇଛନ୍ତି। ଏହି ମାମଲାଗୁଡ଼ିକରେ ୮୬.୪% ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୮% ରହିଛି।
ତେବେ ଉପରୋକ୍ତ ରିପୋର୍ଟ ଚିନ୍ତା ଜନକ ଥିବା ବେଳେ ନାରୀକୁ ସମ୍ମାନ ଦେବାରେ ଓଡିଶା ଏବଂ ଏ ସମାଜ ବିଫଳ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ନାରୀକୁ ସମ୍ମାନ ଖାଲି ଯାହା ନାରାରେ ସୀମିତ । ବାସ୍ତବରେ ନାରୀ ପ୍ରତି ଅପମାନ ବଢୁଛି । ପୁରୁଷ ସହ ନାରୀ ପାଦ ଦେଇ ଆଗକୁ ବଢିବା କଷ୍ଟ । ମହାମାୟାଙ୍କ ମହାପର୍ବରେ ଯେତେବେଳେ ମାଆଙ୍କୁ ପୂଜା କରି ନିଜ ଶ୍ରଦ୍ଧାର ପରିଚୟ ଦେଉଛି ଏ ସମାଜ, ସେତେବେଳେ ପ୍ରକୃତ ଦେବୀ, ଜୀବନ୍ତ ଦେବୀ ନାରୀକୁ ଅସମ୍ମାନ କରିବାରେ ବ୍ୟସ୍ତ ଏ ସମାଜ । ଯାହାର ନଗ୍ନ ଉଦାହରଣ ସଦ୍ୟତମ ଏନସିଆରବି ରିପୋର୍ଚ...