ଓଡ଼ିଆରେ ଗୋଟିଏ କଥା ଅଛି– “ପୁଷେ ଖଇ, ମାଘେ ଦହି, ଚଇତେ ନିମଚକୁଳି ଖାଇ।” ଏହା ଆମକୁ ସୂଚାଏ ଯେ ପୌଷ ମାସରେ ଖଇ ଓ ମାଘ ମାସରେ ଦହି ପରି, ଚୈତ୍ର ମାସରେ ନିମଚକୁଳି ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ହିତକର।

Advertisment

ଚୈତ୍ର ମାସ ଫାଲ୍‌ଗୁନ ପରବର୍ତ୍ତୀ ଓ ବୈଶାଖର ପୂର୍ବବର୍ତ୍ତୀ ମାସ। ଏହିଠାରୁ ବସନ୍ତ ଋତୁ ଶେଷ ହୁଏ ଏବଂ ଗ୍ରୀଷ୍ମଋତୁ ଆରମ୍ଭ ହୁଏ। ଏହି ସମୟକୁ ନିମ ଗଛରେ ନୂଆପତ୍ର କଅଁଳି, କଢ଼ି ଧରେ ଓ ଫୁଲ ଫୁଟେ। ପ୍ରକୃତି ଆମ ପାଇଁ ଋତୁ ଅନୁସାରେ ଯେଉଁସବୁ ସ୍ବାସ୍ଥ୍ୟକର ଉପାଦାନ ବା ରୋଗ ପ୍ରତିରୋଧକ ଖଞ୍ଜିରଖିଛି, ସେସବୁ ମଧ୍ୟରୁ ନିମକଢ଼ ବା ନିମଫୁଲ ଗୋଟିଏ।

ନିମ୍ବ ବା ନିମ ଏପରି ଗୋଟିଏ ବୃକ୍ଷ– ଯାହାର ପତ୍ର, ଫୁଲ, ଫଳ, ମଞ୍ଜି, ଛେଲି ଓ ଚେର, ସବୁଥିରେ ଔଷଧୀୟ ଗୁଣ ଭରି ରହିଛି। ଏ ଦୃଷ୍ଟିରୁ ଏହା ‘ଈଶ୍ବରୀୟ ବୃକ୍ଷ’ ରୂପେ ବିବେଚିତ ହୁଏ। ଦେବତାଙ୍କର ପ୍ରତିମା ଗଠନପାଇଁ ମଧ୍ୟ ଏହି ବୃକ୍ଷ ଅତ୍ୟନ୍ତ ଉପଯୋଗୀ। ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କର ଦାରୁବିଗ୍ରହ ଏହି ବୃକ୍ଷରେ ହିଁ ଗଠିତ ହୋଇଥାଏ।

ଶୀତଋତୁର ପତ୍ରଝରା ପରେ, ବସନ୍ତଋତୁର ଦ୍ବିତୀୟ ମାସ– ଏହି ଚୈତ୍ର ବେଳକୁ ନିମ ଗଛରେ ପତ୍ର କଅଁଳେ। ତାହା ଈଷତ୍ ଲାଲ ଓ ସବୁଜ ରଙ୍ଗର ହୋଇଥିବାବେଳେ, କ୍ରମେ ଗାଢ଼ ସବୁଜ ରଙ୍ଗ ଧାରଣ କରେ। କଅଁଳ ପତ୍ର ସହିତ ନିମଗଛରେ କଢ଼ି ମଧ୍ୟ ଧରେ ଓ ଫୁଲ ଫୁଟେ। ଏହି ଫୁଲ ଧଳା ଓ ସୁଗନ୍ଧିଯୁକ୍ତ ହୋଇଥାଏ। ଫୁଲଗୁଡ଼ିକ ୫-୬ ମିଲିମିଟର ଏବଂ ଏହାର ଡେମ୍ଫ ପ୍ରାୟ ୨୫ ମିଲିମିଟର ହୋଇଥାଏ। ଏହା ପେନ୍ଥା ପେନ୍ଥା େହାଇ ଫୁଟେ ଏବଂ ପ୍ରତି ପେନ୍ଥାରେ ପ୍ରାୟ ୧୫୦ରୁ ୨୫୦ଟି ଫୁଲ ବା କଢ଼ି ରହିଥାଏ। ଏହି ନିମ କଢ଼କୁ ତୋଳି ବାଇଗଣ ସହିତ ଭାଜିି ଖିଆଯାଏ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ।

କୌଣସି କୌଣସି ଅଞ୍ଚଳରେ, ଏହାକୁ ବିରିଚାଉଳର ପିଠଉ ବା ଆଣରେ ମିଶାଇ ଚକୁଳି ପିଠା ପ୍ରସ୍ତୁତ କରାଯାଏ। ଏହା ଚର୍ମରୋଗ ନାଶ କରିବା ସହିତ ଆମର ଚର୍ମକୁ ସୁସ୍ଥ ରଖେ। ଏହି ଫୁଲ ଓ କଢ଼କୁ ଖରାରେ ଶୁଖାଇ, ସାଇତି ରଖି, ଦୀର୍ଘଦିନ ପର୍ଯ୍ୟନ୍ତ ବ୍ୟବହାର ମଧ୍ୟ କରାଯାଏ। ପିତ୍ତ, କଫ, କାଶ, ଜ୍ବର, କୃମି ଓ ବ୍ରଣ ମଧ୍ୟ ଏହା ନାଶ କରିଥାଏ। ବିଶେଷକରି ମୂତ୍ରଦୋଷ ଓ ମଧୁମେହ ନାଶକାରୀ ଗୁଣ ନିମକଢ଼ ସମେତ ଏହାର ପତ୍ର, ଛାଲି ଓ ମଞ୍ଜି ଆଦିରେ ଥିବାରୁ, ତିକ୍ତ ରସଯୁକ୍ତ ହେଲେ ମଧ୍ୟ ଏହାର ଆଦର କ୍ରମେ ବଢ଼ିବା ଲକ୍ଷ୍ୟ କରାଯାଉଛି।