ନିଟ୍‌ କେଳେଙ୍କାରୀ: ଝାଡ଼ଖଣ୍ଡରୁ ସାମ୍ବାଦିକଙ୍କୁ ଗିରଫ କଲା ସିବିଆଇ

ଗୁଜରାଟର ୭ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: ନିଟ୍‌-ୟୁଜି ପେପର୍‌ ଲିକ୍‌ ମାମଲାରେ ସିବିଆଇ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ମାମଲାର ସମସ୍ତ ଦୋଷୀଙ୍କୁ ଠାବ କରିବାପାଇଁ ସିବିଆଇ ସବୁ ଚେଷ୍ଟା ଲଗାଇ ଦେଇଛି। ବିଭିନ୍ନ ରାଜ୍ୟରେ ସିବିଆଇ ଏହାର ତଦନ୍ତ ପରିସର ବୃଦ୍ଧି କରିଛି। ସିବିଆଇ ଆଜି ନିଟ୍‌ ୟୁଜି ପେପର୍‌ ଲିକ୍‌ ମାମଲାରେ ଝାଡ଼ଖଣ୍ଡର ହଜାରିବାଗ୍‌ ଜିଲ୍ଲାରୁ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସାମ୍ବାଦିକଙ୍କ ନାଁ ଜମାଲୁଦ୍ଦିନ ଏବଂ ସେ ଏକ ହିନ୍ଦୀ ଖବରକାଗଜରେ କାମ କରୁଥିଲେ। ଗତକାଲି ମଧ୍ୟ ସିବିଆଇ ଝାଡ଼ଖଣ୍ଡର ହଜାରିବାଗ୍‌ ସ୍ଥିତ ଓଏସିସ୍‌ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏହସାନୁଲ ହକ୍‌ ଏବଂ ଭାଇସ୍‌ ପ୍ରିନ୍ସପାଲ ଇମ୍‌ତିଆଜ ଆଲମଙ୍କୁ ଏହି ମାମଲାରେ ଗିରଫ କରିଥିଲା। ସାମ୍ବାଦିକ ଜମାଲୁଦ୍ଦିନ ଓଏସିସ୍‌ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏବଂ ଭାଇସ୍‌ ପ୍ରିନ୍ସପାଲ୍‌ଙ୍କୁ ଜାଲିଆତିରେ ସହଯୋଗ କରିବା ମାମଲାରେ ଗିରଫ ହୋଇଛନ୍ତି।

ଇତିମଧ୍ୟରେ ସିବିଆଇ ମଧ୍ୟ ଆଜି ଏହି ମାମଲାରେ ଗୋଧ୍ରା, ଖେଡ଼ା, ଆନନ୍ଦ ଏବଂ ଅହମଦାବାଦ ସମେତ ଗୁଜରାଟର ୭ଟି ସ୍ଥାନରେ ଚଢ଼ଉ କରିଛି। ଗୋଧ୍ରା ପୁଲିସ ଦ୍ବାରା ଏହି ମାମଲାରେ ରୁଜୁ ହୋଇଥିବା ଏତଲା ଆଧାରରେ ସିବିଆଇ ଆଜି ବିଭିନ୍ନ ସନ୍ଦିଗ୍ଧଙ୍କ ଠିକଣାରେ ଚଢ଼ଉ କରିଛି। ଉଲ୍ଲେଖଯୋଗ୍ୟ, ନିଟ୍‌ ୟୁଜି ପେପର୍‌ ଲିକ୍‌ ମାମଲାରେ ସିବିଆଇ ଦ୍ବାରା ଜୁନ୍‌ ୨୩ ତାରିଖରେ ପ୍ରଥମ ଏତଲା ରୁଜୁ ହେଲା। ମାମଲାର ତଦନ୍ତଭାର ଶିକ୍ଷା ମନ୍ତ୍ରାଳୟ ସିବିଆଇକୁ ହସ୍ତାନ୍ତର କରିବାର ଦିନକ ପରେ ସିବିଆଇ ଏହି ମାମଲାରେ ପ୍ରଥମ ଏତଲା ରୁଜୁ କରିଥିଲା। ତେବେ ଜୁନ୍‌ ୨୭ ତାରିଖରେ ସିବିଆଇ ଏହି ମାମଲାରେ ପ୍ରଥମ ଗିରଫ କରିଥିଲା। ପାଟନାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ଆଶୁତୋଷ କୁମାର ଏବଂ ମନୀଷ କୁମାର ଏକ ଘର ଯୋଗାଡ଼ କରି ସେଠାରେ କିଛି ନିଟ୍‌ ପରୀକ୍ଷାର୍ଥୀଙ୍କୁ ରଖାଇଥିଲେ। ଉକ୍ତ ଘରେ ଛାତ୍ରଛାତ୍ରୀମାନଙ୍କୁ ଲିକ୍‌ ହୋଇଥିବା ନିଟ୍‌ ପ୍ରଶ୍ନପତ୍ର ଏବଂ ’ଉତ୍ତର କୀ’ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ସିବିଆଇ ନିଟ୍‌ ୟୁଜି ପେପର୍‌ ଲିକ୍‌ ସଂକ୍ରାନ୍ତ ୬ଟି ମାମଲାର ତଦନ୍ତ କରୁଛି। ବିହାର, ଗୁଜରାଟ, ଏବଂ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ ମାମଲା ଏବଂ ରାଜସ୍ଥାନରୁ ୩ଟି ମାମଲାର ସିବିଆଇ ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୫୭୧ଟି ସହରରେ ମୋଟ୍‌ ୪,୭୫୦ଟି କେନ୍ଦ୍ରରେ ଏନ୍‌ଟିଏ ଦ୍ବାରା ନିଟ୍‌-ୟୁଜି ପରୀକ୍ଷା ପରିଚାଳନା କରାଯାଇଥିଲା। ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏବଂ ଜୁନ୍‌ ୪ ତାରିଖରେ ପରୀକ୍ଷା ଫଳ ବାହାରିଥିଲା। ତେବେ ପରୀକ୍ଷା ଫଳ ଆସିବା ସଙ୍ଗେସଙ୍ଗେ ଛାତ୍ରମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଦାବି କରି ଆନ୍ଦୋଳନ ଆରମ୍ଭ କରିଥିଲେ। ୬୭ ଜଣ ପରୀକ୍ଷାର୍ଥୀ ସମାନ ୭୨୦ ନମ୍ବର ରଖିବାରୁ ଏହାକୁ ନେଇ ବିବାଦ ହୋଇଥିଲା। ସେହିପରି ବିହାରରେ ମଧ୍ୟ ପେପର୍‌ ଲିକ୍‌ ହୋଇଥିବା ପ୍ରମାଣ ମିଳିଥିଲା ଏବଂ ଗିରଫ ହୋଇଥିବା କେତେକ ଛାତ୍ର ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପାଇଥିବା କହିଥିଲେ।

ସମ୍ବନ୍ଧିତ ଖବର