ନୂଆଦିଲ୍ଳୀ: ବାଲ୍ୟ ବିବାହ ସମାଜରୁ ଉଚ୍ଛେଦ ହୋଇ ଯାଇଥିଲେ ମଧ୍ୟ ଏବେ ବି କେତେକ ସ୍ଥାନରେ ଏହି ପ୍ରଥା ରହିଛି। କମ୍‌ ବୟସର ପୁଅଝିଅମାନଙ୍କୁ ପରିବାର ଲୋକ ଚାପ ପକାଇ ବିବାହ କରାଇ ଦେଉଛନ୍ତି। ଆଜି ଆମେ କହିବୁ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରାଜସ୍ଥାନର ଚିତ‌ୌଡ଼ଗଡ଼ ଜିଲ୍ଳାର ଘୋସୁଂଦା ନିବାସୀ ରାମଲାଲ୍‌ ଭୋଇଙ୍କ ବିଷୟରେ, ଯିଏକି ୧୧ ବର୍ଷ ବୟସରେ ବିବାହ କରିଥିଲେ।

Advertisment

ତାଙ୍କ ବାପା ଚାହୁଁନଥିଲେ ରାମଲାଲ୍‌ ପାଠ ପଢନ୍ତୁ। ମାତ୍ର ରାମଲାଲ୍‌ଙ୍କର ଏକା ଜିଦ୍‌ ଥିଲା ସେ ପାଠ ପଢ଼ିବେ। ରାମଲାଲ୍‌ ନିଟ୍‌ ୟୁଜି ପରୀକ୍ଷାରେ ୬୩୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏବେ ପରିବାରର ପ୍ରଥମ ଡାକ୍ତର ବନିବାକୁ ଯାଉଛନ୍ତି।

ରାମଲାଲ୍‌ଙ୍କର ଯେତେବେଳେ ବିବାହ କରାଯାଇଥିଲା ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ବାଲ୍ୟ ବିବାହ ପରେ ବି ସେ ପାଠ ପଢ଼ା ଛାଡ଼ିନଥି‌ଲେ। ପରିବାର ଲୋକଙ୍କ ପୁରୁଣାକାଳିଆ ଚିନ୍ତାଧାରା ମଧ୍ୟରେ ପାଠପଢ଼ା ଜାରି ରଖିବା ତାଙ୍କ ପାଇଁ ଆଦୌ ବି ସହଜ ନଥିଲା, ହେଲେ ବି ହାରି ଯାଇନାହାନ୍ତି ସେ। ରାମଲାଲ୍‌ଙ୍କର ଏକ ଝିଅ ବି ଅଛି।

ଦଶମ ପରେ ସେ ଆଉ ପଢ଼ନ୍ତୁ ବୋଲି ତାଙ୍କ ବାପା ଚାହୁଁନଥିଲେ। ହେଲେ ତାଙ୍କର ଜିଦ୍‌ ଥିଲା ସେ ଆଗକୁ ପଢ଼ିବେ। ଲୋକଙ୍କ କଥାରେ ଆସି ଥରେ ରାମଲାଲ୍‌ଙ୍କ ବାପା ତାଙ୍କୁ ଖୁବ୍‌ ବାଡ଼େଇ‌ଲେ ଓ ଆଉ ପାଠ ନପଢ଼ିବାକୁ ବାରଣ ବି କଲେ। ହେଲେ ରାମଲାଲ୍‌ଙ୍କ ସାଙ୍ଗମାନଙ୍କ ବାପା ଯେତେବେ‌ଳେ ଆସି ତାଙ୍କ ବାପାଙ୍କୁ ବୁଝାଇଲେ ତ ସିଏ ପୁଅକୁ ଆଗକୁ ପଢ଼ିବାକୁ ଦେଲେ। ପରିବାର ଲୋକ କରଜ କରି ତାଙ୍କୁ ପାଠ ପଢ଼ାଇଲେ, ୫ମ ପ୍ରୟାସରେ ରାମଲାଲ୍‌ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।