କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଉଦ୍ଭାବନ ବୋଲି ଅନେକ ବିଶେଷଜ୍ଞ ବିଶ୍ବାସ କରନ୍ତି। ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ବ୍ୟକ୍ତିବିଶେଷ ଏବଂ କମ୍ପାନି ଏଆଇର ଉପଯୋଗ କରୁଛନ୍ତି। ମାତ୍ର କାର୍ଯ୍ୟସ୍ଥଳୀରେ ଏଆଇ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଲୋକଙ୍କ ଜୀବନଶୈଳୀରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ଏଆଇ ଜ୍ଞାନକୌଶଳର ବହୁଳ ବ୍ୟବହାର ଯୋଗୁଁ କାର୍ଯ୍ୟଭାର ବଢ଼ିବା ସହ ଚାକିରି ବା ନିଯୁକ୍ତି ଅସୁରକ୍ଷିତ ହୋଇପଡ଼ିବ, ଯାହାର ପ୍ରତ୍ୟକ୍ଷ କୁପ୍ରଭାବ ଜୀବନର ମାନ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏଆଇର ପ୍ରୟୋଗ ମଣିଷ କରୁଥିବା ଅନେକ ଚାକିରିକୁ ସ୍ବୟଂକ୍ରିୟ କରିଦେବ, ନିଯୁକ୍ତି ହ୍ରାସ ସହ ଜୀବନର ମାନକୁ ମଧ୍ୟ କମାଇଦେବ। ଲଣ୍ଡନ ସ୍ଥିତ ଵାରଵିକ ବିଜ୍ନେସ୍ ସ୍କୁଲ ଓ ଇମ୍ପେରିଆଲ୍ କଲେଜ ସହ ମିଶି ‘ଇନ୍ଷ୍ଟିଚ୍ୟୁଟ୍ ଫର୍ ଦି ଫ୍ୟୁଚର ଅଫ୍ ଵର୍କ’ ଦ୍ବାରା କରାଯାଇଥିବା ଏହି ଅନୁଧ୍ୟାନରେ ୬ ହଜାରରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସାମିଲ କରି ସେମାନଙ୍କ କାର୍ଯ୍ୟସ୍ଥଳୀରେ ପରିଧାନଯୋଗ୍ୟ ଟ୍ରାକର୍ସ, ରୋବଟ୍ ଓ ଏଆଇ ସଫ୍ଟୱେର ଆଦି ବ୍ୟବହାରର ଭିନ୍ନ ଦିଗ ବାବଦରେ ବିବରଣୀ ନିଆଯାଇଥିଲା। ସେମାନଙ୍କ ଜୀବନଶୈଳୀରେ ସେଗୁଡ଼ିକର ପ୍ରଭାବକୁ ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ବିଶେଷ କରି ସେମାନଙ୍କ ଚଳପ୍ରଚଳତା, ମାନସିକ ସ୍ବାସ୍ଥ୍ୟ, ଯନ୍ତ୍ରଣା ସ୍ତର ପରି ଜୀବନର ବିଭିନ୍ନ ମାନକୁ ବିଶ୍ଳେଷଣ କରାଯାଇଥିଲା। ତେବେ ଏଆଇର ବ୍ୟବହାର ଦୁର୍ବଳ ସ୍ବାସ୍ଥ୍ୟ ସହ ଜଡ଼ିତ ବୋଲି ଜଣାଯାଇଛି। ଅପରପକ୍ଷେ, ଲାପ୍ଟପ୍ ଓ ଇନ୍ଷ୍ଟାଣ୍ଟ ମେସେଜିଙ୍ଗ୍ ପରି ପାରମ୍ପରିକ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳର ବହୁଳ ବ୍ୟବହାର ଜଣଙ୍କର ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ସ୍ପଷ୍ଟ ହୋଇଛି।
କାର୍ଯ୍ୟକ୍ଷେତ୍ରରେ ଏଆଇର ନକାରାତ୍ମକ ପ୍ରଭାବ
/sambad/media/post_attachments/wp-content/uploads/2024/03/dgjdgdgjdgj.jpg)