ଆଜିକାଲି ଆମ ଚତୁଃପାର୍ଶ୍ବରେ ପ୍ଲାଷ୍ଟିକ୍‌ ଟୁକୁରା ଭର୍ତ୍ତି ହୋଇ ରହିଥିବା ବେଳେ ଆମ ମସ୍ତିଷ୍କରେ ମଧ୍ୟ ଅଣୁପ୍ଲାଷ୍ଟିକ୍‌ ମିଳିବା ଚିନ୍ତାର କାରଣ ହୋଇଛି। ନ୍ୟୁ ମେକ୍ସିକୋ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ସଂଗୃହୀତ ଶବଗୁଡ଼ିକର ମସ୍ତିଷ୍କ ନମୁନାରେ ହାରାହାରି ୦.୪୮ ପ୍ରତିଶତ ଓଜନର ଅଣୁୁପ୍ଲାଷ୍ଟିକ୍‌ ରହିଥିବା ଜଣାଯାଇଛି। ଗବେଷକମାନେ ନ୍ୟୁ ମେକ୍ସିକୋର ଆଲବୁକ୍ବେର୍କସ୍ଥିତ ଅଟୋପ୍‌ସି ପରୀକ୍ଷଣ କେନ୍ଦ୍ରରେ ୨୦୧୬ରୁ ୨୦୨୪ ମଧ୍ୟରେ ବିଭିନ୍ନ ଶବର ଯକୃତ, ବୃକ୍‌କ ଓ ମସ୍ତିଷ୍କ ଆଦିର ନମୁନାର ପରୀକ୍ଷା କରିଥିଲେ। ଏହି ଅବଧି ମଧ୍ୟରେ ଶରୀରର ବିଭିନ୍ନ ପ୍ରତ୍ୟଙ୍ଗରେ ଅଣୁପ୍ଲାଷ୍ଟିକ୍‌ର ସ୍ତର ଚିନ୍ତାଜନକ ଭାବେ ବଢ଼ିଥିବା ଜଣାପଡ଼ିଛି। ଏପରିକି ଏହି ପରିମାଣ ୨୦୧୬ ତୁଳନାରେ ୨୦୨୪ ବେଳକୁ ୫୦ ପ୍ରତିଶତ ବଢ଼ିଛି। ଯକୃତ ଓ ବୃକ୍‌କ ତୁଳନାରେ ମସ୍ତିଷ୍କରେ ଅଣୁପ୍ଲାଷ୍ଟିକ୍‌ ପରିମାଣ ୭ରୁ ୩୦ ଗୁଣ ଅଧିକ ରହିଛି। ଉପରୋକ୍ତ ଆଭ୍ୟନ୍ତରୀଣ ପ୍ରତ୍ୟଙ୍ଗମାନଙ୍କରେ ମିଳିଥିବା ପ୍ଲାଷ୍ଟିକ୍‌ ହେଉଛି ପଲିଇଥିଲିନ୍‌, ଯେଉଁ ପଲିମର୍‌ ପ୍ଲାଷ୍ଟିକ୍‌ ବ୍ୟାଗ ଓ ବୋତଲ ନିର୍ମାଣରେ ବ୍ୟବହୃତ ହୋଇଥାଏ। ତେବେ ମନୁଷ୍ୟ ମସ୍ତିଷ୍କରେ ଏହାର ପରିମାଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି। 

Advertisment

ଆମ ମସ୍ତିଷ୍କ କେତେ ପରିମାଣର ଅଣୁପ୍ଲାଷ୍ଟିକ୍‌ ଧାରଣ କରିବା ପାଇଁ ସହନଶୀଳ, ତାହା ସ୍ପଷ୍ଟ ହୋଇନାହିଁ। ସେଥିଯୋଗୁଁ ବିଶ୍ବବ୍ୟାପୀ ଆଲ୍‌ଝାଇମର୍ସ ରୋଗ ସମେତ ଅନ୍ୟାନ୍ୟ ବିସ୍ମରଣ ସଂକଟ ଉପୁଜୁଛି ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି

ଉଲ୍ଲେଖଯୋଗ୍ୟ, ଅଣୁପ୍ଲାଷ୍ଟିକ୍‌ ଟୁକୁରା ଆମ ଶରୀରରେ ପ୍ରବେଶ କରି ନାନା ପ୍ରକାର ଦୀର୍ଘକାଳୀନ ରୋଗର କାରଣ ସାଜିବା ସହ ଡିଏନ୍‌ଏ ନଷ୍ଟ, ପ୍ରତ୍ୟଙ୍ଗ ନିଷ୍କ୍ରିୟତା, ଶାରୀରିକ ଗଠନରେ ଅସ୍ବାଭାବିକତା ଓ ରୋଗ ପ୍ରତିରୋଧକତା ଆଦିକୁ ପ୍ରଭାବିତ କରିଥାଏ। ବିଶେଷ କରି ଟୁଥ୍‌ପେଷ୍ଟ୍‌, ମଦ୍ୟ, ପ୍ରକ୍ରିୟାକୃତ ମହୁ ସମେତ ଉଭୟ ଟ୍ୟାପ୍‌ ପାଣି ଓ ବୋତଲ ପାଣି ଆଦି ଜରିଆରେ ଅଣୁପ୍ଲାଷ୍ଟିକ୍‌ ଆମ ଶରୀରକୁ ପ୍ରବେଶ କରିଥାଏ। ଯଦିଓ ଆମ ମସ୍ତିଷ୍କ କେତେ ପରିମାଣର ଅଣୁପ୍ଲାଷ୍ଟିକ୍‌ ଧାରଣ କରିବା ପାଇଁ ସହନଶୀଳ, ତାହା ସ୍ପଷ୍ଟ ହୋଇନାହିଁ, ତେବେ ସେଥିଯୋଗୁଁ ବିଶ୍ବବ୍ୟାପୀ ଆଲ୍‌ଝାଇମର୍ସ ରୋଗ ସମେତ ଅନ୍ୟାନ୍ୟ ବିସ୍ମରଣ ସ୍ଥିତି ଉପୁଜୁଛି ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।