ନୂଆଦିଲ୍ଲୀ: ରବିବାର ନେପାଳର ପୋଖରାରେ ଦୁର୍ଘଟଣାର ଶିକାର ହୋଇଥିଲା ୟେତି ଏୟାରଲାଇନ୍ସର ୯ଏନ୍‌- ଏନ୍‌ସିଏଟିଆର୍‌-୭୨ ବିମାନ। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ଯାଇଛି। ରବିବାର ସକାଳେ ଏହି ଘଟଣା ଘଟିବା ପରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ସହ ଏହି ଦୁର୍ଘଟଣା ଅନେକ ଲୋକଙ୍କ ପୁରୁଣା ସ୍ମୃତିକୁ ତାଜା କରିଥିଲା।

Advertisment

ନେପାଳରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ନେପାଳର ଜାମସମ ଅଞ୍ଚଳରେ ୨୦୧୨ରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଲୋକପ୍ରିୟ ଶିଶୁ କଳାକାର ତରୁଣୀ ସଚ୍ଚଦେବ ପ୍ରାଣ ହରାଇଥିଲେ। ତାଙ୍କ ମା’ ଗୀତା ସଚ୍ଚଦେବ ଏହି ବିମାନରେ ତରୁଣୀଙ୍କ ସହ ଯାତ୍ରା କରୁଥିଲେ। ଝିଅ ଏବଂ ପତ୍ନୀଙ୍କୁ ହରାଇଥିବା ହରିଶ ସଚ୍ଚଦେବ ଯେତେବେଳେ ରବିବାର ନେପାଳ ବିମାନ ଦୁର୍ଘଟଣାର ଖବର ଶୁଣିଲେ, ସେତେବେ‌ଳେ ତାଙ୍କ ଦୁଃଖ ତାଜା ହୋଇଉଠିଥିଲା।

ହରିଶ ସଚ୍ଚଦେବ କହିଛନ୍ତି ଯେ, ଯେତେବେଳେ ମୁଁ ବିମାନ ଦୁର୍ଘଟଣା ବିଷୟରେ ଶୁଣିଲି, ସେତେବେଳେ ମୁଁ ଖୁବ ଜୋରରେ ରାଗି ଯାଇଥିଲି। ଏମାନେ ଏବେ ବି ସତର୍କ ହୋଇନାହାନ୍ତି। କେ‌ତେ ଲୋକଙ୍କ ଜୀବନ ଗଲାଣି। ଆଗକୁ କେଜାଣି ଆଉ କେ‌ତେ ଲୋକଙ୍କ ଜୀବନ ଯିବ। ନେପାଳ ପାଖରେ ଥିବା ବିମାନ ବହୁତ ପୁରୁଣା। ଏହାକୁ ବଦଳାଇବା ପରିବର୍ତ୍ତେ ସେମାନେ ତାକୁ ବ୍ୟବହାର କରୁଛନ୍ତି। ନିଜ ଲାଭ ପାଇଁ ସେମାନେ ଲୋକଙ୍କ ଜୀବନ ବିଷୟରେ ଭାବୁ ନାହାନ୍ତି। ସେମାନଙ୍କ ଭୁଲ ପାଇଁ ମୋ ପତ୍ନୀ ଓ ଝିଅ ମଧ୍ୟ ମୋଠାରୁ ଦୂରକୁ ଚାଲିଗଲେ। ଆଜି ମୁଁ ସେ ୭୨ଜଣଙ୍କ ପରିବାରର ଦୁଃଖକୁ ଅନୁଭବ କରିପାରୁଛି। ଭଗବାନ ସେମାନଙ୍କୁ ଏହି ଦୁଃଖକୁ ସହିବାର ସାହସ ଏବଂ ଶକ୍ତି ଦିଅନ୍ତୁ।