ସ୍ମୃତିରେ ସୁଭାଷ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ କରି ବ୍ରିଟିସ୍‌ ବିରୋଧୀ ସଂଗ୍ରାମ ଚଳାଇଥିଲେ। ଛାତ୍ରାବସ୍ଥାରେ ତାଙ୍କ ମନରେ ବିପ୍ଳବର ନିଆଁ ଜାଗରିତ ହୋଇଉଠିଥିଲା। ୧୮୯୭ ଜାନୁଆରି ଆଜିର ଦିନରେ ଐତିହାସିକ କଟକ ନଗରୀର ଓଡ଼ିଆ ବଜାରରେ ସେ ଜନ୍ମ ହୋଇଥିଲେ। ସେ ଥିଲେ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ। କୋଲକାତାର ପ୍ରେସିଡେନ୍‌ସି କଲେଜ୍‌ରେ ସ୍ନାତକ ଶ୍ରେଣୀର ଛାତ୍ର ଥିବା ବେଳେ ତାଙ୍କର ସଂଗ୍ରାମୀ ନେତୃତ୍ୱର ପରିଚୟ ମିଳିଥିଲା। ଭାରତୀୟ ଛାତ୍ରଙ୍କ ପ୍ରତି ମୁଖ୍ୟ ଅଧ୍ୟାପକ ଓଟନ୍‌ ସାହେବଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ଧର୍ମଘଟର ନେତୃତ୍ୱ ନେଇଥିଲେ ସୁଭାଷ। ପରେ ସେ ଇଂଲଣ୍ଡ୍‌ ଯାତ୍ରା କରି, ଆଇସିଏସ୍‌ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଦେଶ ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ। ଦେଶବନ୍ଧୁ ଚିତ୍ତରଂଜନ ଦାସ ଥିଲେ ସୁଭାଷଙ୍କ ସଂଗ୍ରାମୀ ଜୀବନର ପ୍ରେରଣା ଓ ଦିଗ୍‌ଦର୍ଶକ। ସେ ଯୁବଗୋଷ୍ଠୀ ମଧ୍ୟରେ ବ୍ରିଟିସ୍‌ ବିରୋଧୀ ଉଗ୍ର ଜାତୀୟତାବୋଧର ନବଜାଗରଣ ସୃଷ୍ଟି କରିପାରିଥିଲେ। ଗାନ୍ଧୀଜିଙ୍କ ଆଦର୍ଶଗତ ମତ-ପାର୍ଥକ୍ୟରୁ ସୁଭାଷ କଂଗ୍ରେସ୍‌ ଛାଡ଼ି ଗଢ଼ିଥିଲେ ‘ଫର୍‌ଓ୍ଵାଡ୍‌ର୍ ବ୍ଲକ୍‌।’ ତାହା ପରେ ବିଦେଶରେ ‘ଆଜାଦ ହିନ୍ଦ ଫୌଜ’ ଗଢ଼ି ଏହାର ନେତୃତ୍ୱ ନେଇଥିଲେ। ‘ଆଜାଦ ହିନ୍ଦ ଫୌଜ’ର ଆହ୍ଵାନ ଥିଲା- ‘ଦିଲ୍ଲୀ ଚଲୋ’। ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଦେଶବାସୀଙ୍କୁ ଏହି ବଜ୍ର ଆହ୍ଵାନ ଦେଇ ସେ ବ୍ରିଟିସ୍‌ ଶାସକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଥିଲେ।
ଆଜି ତାଙ୍କ ପବିତ୍ର ଜୟନ୍ତୀ ତିଥିରେ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା –

କାନ୍ଥ କହେ କାହାଣୀ

କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟର ମୁଖ୍ୟ ଗେଟ୍‌ (ଜେଲ୍‌ ରୋଡ)କୁ ଯିବା ପୂର୍ବରୁ ରାସ୍ତାର ଦକ୍ଷିଣ ପାର୍ଶ୍ୱ ପାଚେରିରେ ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଅକାରରେ ଦର୍ଶାଯାଇଛି। ପ୍ରଥମ ପର୍ଯ୍ୟାୟରେ ନେତାଜୀଙ୍କ ଶୈଶବରୁ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ ଗଠନ ପରର ଫଟୋ ଅଙ୍କା ଯାଇଛି। ଦ୍ୱିତୀୟରେ ନେତାଜୀଙ୍କ ଚିନ୍ତାଧାରା ଉପରେ ମହାତ୍ମା ଗାନ୍ଧୀ ଦେଇଥିବା ମନ୍ତବ୍ୟ ଓ ତାଙ୍କ ଚିନ୍ତାଧାରା ଉପରେ ନେତାଜୀ ଦେଇଥିବା ମନ୍ତବ୍ୟକୁ କାନ୍ଥରେ ଲେଖାଯିବା ସହ ଦୁଇଜଣଙ୍କ ଫଟୋକୁ ମଧ୍ୟ ଅଙ୍କାଯାଇଛି। ତୃତୀୟରେ ନେତାଜୀଙ୍କ ଜୀବନକୁ ବିଭିନ୍ନ ସମୟରେ ଆସିଥିବା ଅନେକ ଲୋକଙ୍କ ଫଟୋଚିତ୍ର ମଧ୍ୟ ଏଠାରେ ରହିଛି। ସେମାନଙ୍କ ମଧ୍ୟରେ ଅଦବ୍‌ ଖାନ୍‌, ଭଗତ ରାମ ତଲ୍‌ବାର, ଉତ୍ତମ ଚନ୍ଦ୍ର ମଲହୋତା, ଏମ୍‌.ଆକବର ସାହା, ଶିଶିର କୁମାର ବୋଷ ଅଛନ୍ତି। ସେହିପରି ନେତାଜୀ ଦେଇଥିବା ସ୍ଲୋଗାନ୍‌ ‘ଦିଲ୍ଲୀ ଚଲୋ’ ଓ ‘ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ସହିତ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ର ସୈନ୍ୟ ଓ ନେତାଜୀ ଉଡାଜାହାଜରୁ ଓହ୍ଲାଉଥିବାର ଚିତ୍ର ମଧ୍ୟ ଅଙ୍କାଯାଇଛି।

ପ୍ରଭାବିତ କରିଥିଲେ ମା’, ଦୁଇ ଶିକ୍ଷକ

ନେତାଜୀ ସୁଭାଷଙ୍କୁ ମା’ ପ୍ରଭାବତୀ ଦେବୀ, ରେଭେନ୍‌ସା କଲିଜିଏଟ୍‌ର ପ୍ରଧାନଶିକ୍ଷକ ବେଣୀମାଧବ ଦାସ ଓ ନାରାୟଣ ପ୍ରସାଦ ମହାନ୍ତି ବିଶେଷ ପ୍ରଭାବିତ କରିଥିଲେ। ୧୯୦୨ରେ ୟୁରୋପିୟାନ୍‌ ପ୍ରୋଟେଷ୍ଟାଣ୍ଟ ସ୍କୁଲ (ଷ୍ଟିଆର୍ଟ ସ୍କୁଲ)ରେ ଶିକ୍ଷା ଆରମ୍ଭ କରିଥିବା ନେତାଜୀଙ୍କ ପ୍ରକୃତ ପରିବର୍ତ୍ତନ ହୋଇଥିଲା ରେଭେନ୍‌ସା କଲିଜିଏଟ୍‌ରେ। ୧୯୦୯ରେ ରେଭେନ୍‌ସା କଲିଜିଏଟ୍‌ର ୪ର୍ଥ ଶ୍ରେଣୀରେ ନାମ ଲେଖାଇବା ପରେ ନେତାଜୀ ତତ୍କାଳୀନ ପ୍ରଧାନଶିକ୍ଷକ ବେଣୀମାଧବ ଦାସଙ୍କ ଠାରୁ ଦେଶପ୍ରେମ, ଆଦର୍ଶ ଜୀବନର କୌଶଳ ଶିକ୍ଷା କରିଥିଲେ। ପରେ ପ୍ରଧାନଶିକ୍ଷକ ନାରାୟଣପ୍ରସାଦ ମହାନ୍ତି ମଧ୍ୟ ତରୁଣ ସୁଭାଷଙ୍କୁ ଗଭୀର ପ୍ରଭାବିତ କରିଥିଲେ। ଅଧ୍ୟାତ୍ମିକତାରେ ଗଭୀର ବିଶ୍ୱାସ କରୁଥିବା ନେତାଜୀ ରାମକୃଷ୍ଣ ମିସନ, ବିବେକାନନ୍ଦ, ପ୍ରଭୁପାଦଙ୍କ ଆଦର୍ଶ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥିଲେ। ବିବେକାନନ୍ଦଙ୍କ ବାଣୀ ନେତାଜୀଙ୍କ ଜୀବନ ଓ କର୍ମରେ ପ୍ରତିଫଳିତ ହେବାର ବହୁ ପ୍ରମାଣ ରହିଛି।

ଗୋଲାପ ସହ ହର୍ବାଲ ଗାର୍ଡେନ୍‌

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଚଳିତ ବର୍ଷ ନୂଆକରି ହର୍ବାଲ ଗାର୍ଡେନ କରାଯାଇଛି। ନେତାଜୀ ଉଦ୍ୟାନ ଓ ଫୁଲକୁ ଭଲ ପାଉଥିବା ବେଳେ ଏଥର ସଂଗ୍ରହାଳୟର ପରିସରରେ ଥିବା ରୋଜ୍‌ ଗାର୍ଡେନ ନିକଟରେ ଏକ ‘ହର୍ବାଲ ଗାର୍ଡେନ’ କରାଯାଇଛି, ଯେଉଁଠାରେ ୩୦ ପ୍ରକାର ଔଷଧୀୟ ଚାରା ରୋପଣ କରାଯାଇଛି।

‘ନେତାଜୀଙ୍କ ସ୍ମୃତି ପାଇଁ ଆହୁରି କିଛି ହେବା ଉଚିତ’

ନେତାଜୀଙ୍କ ସ୍ମୃତି ପାଇଁ କଟକ ସହର ସମେତ ଦେଶର ବିଭିନ୍ନ ସ୍ଥାନରେ ଯାହା କିଛି ହୋଇଛି ତାହା ଯଥେଷ୍ଟ ନୁୁହେଁ। ସେ ଥିଲେ ଅନନ୍ୟ ବୀର। ଦେଶରେ ଏବେ ବି ନେତାଜୀଙ୍କ ଆଦର୍ଶର ପ୍ରାସଙ୍ଗିକତା ରହିଛି। ନେତାଜୀଙ୍କ ବିଷୟରେ ଅଧିକ ଚର୍ଚ୍ଚା, ଆଲୋଚନା ହେବା ଉଚିତ। ଓଡ଼ିଆ ବଜାର ଜନ୍ମସ୍ଥାନ ସଂଗ୍ରହାଳୟରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଉ। ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବ୍ୟବସ୍ଥା କରାଯାଉ। ତାଙ୍କ ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ ହେଉ। ତାଙ୍କ ସଂପର୍କିତ ସମସ୍ତ ଇତିହାସ ଲୋକଲୋଚନକୁ ଆସୁ। ବର୍ଷସାରା ତାଙ୍କ ସଂପର୍କରେ କାର୍ଯ୍ୟକ୍ରମ ହେବା ଦରକାର। ଏହା ହିଁ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଦାବି କରିଛନ୍ତି ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ।

ଏଥର ନୂଆ: ‘ଦି ସ୍ପ୍ରିଙ୍ଗିଙ୍ଗ୍‌ ଟାଇଗ୍‌ର’

ବିଟ୍ରଶ ଲେଖକ ହଗ୍‌ ଟୟଙ୍କ ଚରିତ ପୁସ୍ତକ ‘ଦି ସ୍ପି୍ରଙ୍ଗିଙ୍ଗ୍‌ ଟାଇଗର୍‌: ଏ ଷ୍ଟଡି ଅନ୍‌ ସୁଭାଷ ଚନ୍ଦ୍ର ବୋଷ’ ଏବର୍ଷ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହାଳୟ ଲାଇବ୍ରେରୀରେ ସ୍ଥାନିତ ହୋଇଛି। ବର୍ଷିୟାନ ସାମ୍ବାଦିକ ହରିହର ପ୍ରସାଦ ମହାଲିକ ଏହି ବିରଳ ପୁସ୍ତକକୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଲାଇବ୍ରେରୀକୁୁ ପ୍ରଦାନ କରିଛନ୍ତି। ଏହି ପୁସ୍ତକର ବିଶେଷତ୍ୱ ହେଉଛି, ଏଥିରେ ନେତାଜୀଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ବିରଳ ତଥ୍ୟ ରହିଛି। ୧୯୫୯ ମସିହାରେ ପ୍ରକାଶ ପାଇଥିବା ଏହି ପୁସ୍ତକର ଲେଖକ ଟୟ ନେତାଜୀଙ୍କ ସମସାମୟିକ ହୋଇଥିବାରୁ ପୁସ୍ତକଟି ବେଶ୍‌ ତଥ୍ୟ ସମ୍ବଳିତ ହୋଇଛି। ପୁଣି ଏହି ପୁସ୍ତକରେ ନେତାଜୀଙ୍କ କନ୍ୟା ଅନିତା ବୋଷଙ୍କ ସ୍ୱାକ୍ଷର ରହିବା ସହିତ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ରହିଛି। ୧୯୬୧ରେ ଅନିତା କଟକ ଆସିଥିବା ବେଳେ ଏହି ପୁସ୍ତକକୁ ଦେଖି ନିଜର ସ୍ୱାକ୍ଷର କରିିଥିଲେ।

କଲିଜିଏଟ୍‌ ସ୍କୁଲ୍‌: ସୁଭାଷଙ୍କ ରୁମ୍‌ରେ ଏବେ ଶୁଭାଶିଷ

୧୯୦୯ରୁ ୧୯୧୩ ପର୍ଯ୍ୟନ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରେଭେନ୍‌ସା କଲିଜିଏଟ୍‌ ସ୍କୁଲ ଛାତ୍ର ଥିଲେ। ଓଡ଼ିଆ ବଜାରରେ ଘର ହୋଇଥିଲେ ମଧ୍ୟ ଶିକ୍ଷକମାନଙ୍କ ସାନ୍ନିଧ୍ୟ ପାଇବା ସହିତ ଶୃଙ୍ଖଳିତ ହେବା ଉଦ୍ଦେଶ୍ୟରେ ବାପା ଜାନକୀନାଥ ଓ ମା’ ପ୍ରଭାବତୀ ତାଙ୍କୁ ହଷ୍ଟେଲରେ ରହିବାର ସୁଯୋଗ ଦେଇଥିଲେ। ହଷ୍ଟେଲର ରୁମ୍‌ ନମ୍ବର-୧୧ରେ ନେତାଜୀ ରହୁଥିଲେ। ନେତାଜୀଙ୍କ ସ୍ମୃତିରେ ଉକ୍ତ ପ୍ରକୋଷ୍ଠର ନାମ ନେତାଜୀ କକ୍ଷ ରଖାଯିବା ସହିତ ତାଙ୍କ ପ୍ରତିକୃତି ମଧ୍ୟ ସେଠାରେ ସ୍ଥାନିତ ହୋଇଛି। ଖାଲି ସେତିକି ନୁହେଁ, ବିଦ୍ୟାଳୟର ମେଧାବୀ, ଶୃଙ୍ଖଳିତ ତଥା ଆଜ୍ଞାଧୀନ ଛାତ୍ରମାନେ ଏହି ପ୍ରକୋଷ୍ଠରେ ରହିବାର ସୁଯୋଗ ପାଉଛନ୍ତି। ଏବେ ନେତାଜୀ ସୁଭାଷଙ୍କ ପ୍ରକୋଷ୍ଠରେ ନବମ ଶ୍ରେଣୀ(କ) ଛାତ୍ର ଶୁଭାଶିଷ ସ୍ୱାଇଁ ରହୁଛନ୍ତି। ଶୁଭାଶିଷଙ୍କ ସହିତ ଷଷ୍ଠ ଶ୍ରେଣୀର ସତ୍ୟଜିତ ପାତ୍ର, ଅଷ୍ଟମର ଶିରିଶ ମିଶ୍ର, ଜୟପ୍ରକାଶ ଦାସ ପ୍ରମୁଖ ରହୁଛନ୍ତି। ସମସ୍ତେ ଏହି ପ୍ରକୋଷ୍ଠରେ ରହୁଥିବାରୁ ଗର୍ବିତ। ଆଉ ନିଜକୁ ସେହିଭଳି ପ୍ରସ୍ତୁତ କରୁଛନ୍ତି। ମେଧାବୀ ଓ ଶୃଙ୍ଖଳିତ ଛାତ୍ରମାନଙ୍କୁ ଏହି କୋଠରୀରେ ସୁଯୋଗ ଦିଆଯାଉଥିବା କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ ଡ. ଅନୁସ୍ମିତା ସ୍ୱାଇଁ। ଆମେ ସମସ୍ତେ ନେତାଜୀଙ୍କ ଆଦର୍ଶକୁ ଅନୁକରଣ କରୁଅଛୁ ବୋଲି ଡ. ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର